ଇସ୍‌ଲାମାବାଦ,୨୪/୦୫: ପାକିସ୍ତାନୀ ସାଂସଦ ସୟେଦ ଅଲୀ ଜାଫର  ସିନ୍ଧୁ ନଦୀ ଜଳ ସଙ୍କଟକୁ ପାଣି ବୋମା (ୱାଟର ବମ୍‌) କହିଛନ୍ତି । ପାକିସ୍ତାନ  ସରକାରଙ୍କୁ ଏହାର ସମାଧାନ ପାଇଁ  ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି  କରିଛନ୍ତି । ନଚେତ ବହୁ ପାକିସ୍ତାନୀ  ଭୋକରେ ମରିଯିବେ ବୋଲି ସେ  ସତର୍କ କରାଇ ଦେଇଛନ୍ତି । ପାକିସ୍ତାନର  ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ  ଦଳ ପାକିସ୍ତାନ ତହରିକ୍‌-ଏ-ଇନ୍‌ସାଫ  (ପିଟିଆଇ) ପାର୍ଟିର ସାଂସଦ ଜାଫର ଶୁକ୍ରବାର ପାକିସ୍ତାନ ସଂସଦରେ ଉଦ୍‌ବୋଧନ ଦେଇ  କହିଛନ୍ତି, ଦେଶର ପ୍ରତି ୧୦ରୁ ୯ ଜଣ  ନାଗରିକ ସିନ୍ଧୁ ନଦୀର ପାଣି ଉପରେ  ନିର୍ଭରଶୀଳ । 

ଦେଶର ୯୦% କୃଷି ପାଇଁ  ସିନ୍ଧୁ ନଦୀ ପାଣି ବ୍ୟବହାର ହୁଏ । ଯଦି  ଭାରତ ପକାଇଥଇବା ଏହି ପାଣି ବୋମା (ଜଳ ସଙ୍କଟ) କୁ ଏବେଠାରୁ ଦୂର କରା  ନ ଯିବ ତେବେ ପାକିସ୍ତାନୀ ଖାଦ୍ୟ ବିନା  ମରିଯିବେ । ସେଥିପାଇଁ ସିନ୍ଧୁ ତଟକୁ  ପାକିସ୍ତାନର ଜୀବନରେଖା କୁହାଯାଏ ।  ପାକିସ୍ତାନର ତିନି ଚତୁର୍ଥାଂଶ ପାଣି ଦେଶ  ବାହାରୁ ଆସିଥାଏ । ଦେଶର ବିଦ୍ୟୁତ  ପ୍ରକଳ୍ପ ବି ଏହି ପାଣିରେ ଚାଲୁଛି । ତେଣୁ  ଏହି ୱାଟର ବମ୍‌କୁ ଭଲ ଭାବେ ବୁଝି  ତୁରନ୍ତ ତାକୁ ଡିଫ୍ୟୁଜ୍‌ କରିବାକୁ ପଡ଼ିବ ।  ଏହି ସମସ୍ୟାର ସମାଧାନ କରିବାକୁ  ହେବ ବୋଲି ସେ କହିଛନ୍ତି ।  

ପ୍ରକାଶଥାଉ କି, ଏପ୍ରିଲ ୨୨ରେ  ଆତଙ୍କୀମାନେ ଜମ୍ମୁ-କାଶ୍ମୀରର  ପହଲଗାମ୍‌ରେ ୨୮ ଜଣ ପର୍ଯ୍ୟଟକଙ୍କୁ  ହତ୍ୟା କରିବା ପରେ ଭାରତ ସରକାର  ପାକିସ୍ତାନ ସହ ଥିବା ୬୫ ବର୍ଷ ପୁରୁଣା  ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଛନ୍ତି ।  ପାକିସ୍ତାନ ବିଶ୍ୱସନୀୟ ଢଙ୍ଗରେ  ଆତଙ୍କବାଦ ବିରୋଧରେ ପଦକ୍ଷେପ  ନ ନେବା ପର୍ଯ୍ୟନ୍ତ ଏହି ଚୁକ୍ତି ସ୍ଥଗିତ  ରହିବ ବୋଲି ଭାରତ ସରକାର ସ୍ପଷ୍ଟ  କରିଦେଇଛନ୍ତି । ଏଥିସହ ଅଟାରି ଚେକ୍‌ ପୋଷ୍ଟ ବି ବନ୍ଦ କରିଦିଆଯାଇଛି ।  ସବୁ ପାକିସ୍ତାନୀଙ୍କ ଭିସା ବାତିଲ କରି  ସେମାନଙ୍କୁ ତୁରନ୍ତ ଭାରତ ଛାଡ଼ିବାକୁ  ନିର୍ଦ୍ଦେଶ ଦେଇଥିଲେ । ସିନ୍ଧୁ ନଦୀ  ଜଳ ପାଣିକୁ ବନ୍ଦ କରାଯିବା ଫଳରେ  ପାକିସ୍ତାନର ବିପୁଳ କ୍ଷତି ଘଟିବ ।  ପାକିସ୍ତାନର ୯୦ ପ୍ରତିଶତ ଚାଷଜମି  ଅର୍ଥାତ ୪.୭ କୋଟି ଏକର ଜମି  ଚାଷକାର୍ଯ୍ୟ ଲାଗି ସିନ୍ଧୁ ନଦୀ ଜଳ  ଉପରେ ନିର୍ଭର କରେ । ପାକିସ୍ତାନର  ଜାତୀୟ ଆୟରେ କୃଷିର ପରିମାଣ  ହେଉଛି ୨୩ ପ୍ରତିଶତ । ଏଥିରେ ୬୮  ପ୍ରତିଶତ ଗ୍ରାମୀଣ ପାକିସ୍ତାନୀଙ୍କ ଜୀବିକା  ନିର୍ବାହ ହୋଇଥାଏ ।  

ତେଣୁ ସିନ୍ଧୁ ନଦୀ ଜଳ ଅଟକିବା  ଫଳରେ କେବଳ ସାଧାରଣ ଜନତା  ନୁହେଁ, ପାକିସ୍ତାନର ଅର୍ଥନୀତି ମଧ୍ୟ  ଗଭୀର ଭାବେ ପ୍ରଭାବିତ ହେବ ।  ସେହିଭଳି ପାକିସ୍ତାନର ମଙ୍ଗଳ ଓ  ତାରବେଳା ଜଳବିଦ୍ୟୁତ ପ୍ରକଳ୍ପ ମଧ୍ୟ  ସିନ୍ଧୁ ନଦୀ ଜଳ ଉପରେ ନିର୍ଭର କରେ ।  ଯଦି ପାଣି ନ ମିଳିବ ତେବେ ଏହି ଦୁଇ  ପ୍ରକଳ୍ପରୁ ପାକିସ୍ତାନର ବିଦ୍ୟୁତ ଉତ୍ପାଦନ  ୩୦-୫୦ ପ୍ରତିଶତ ହ୍ରାସ ପାଇବ ।  ଏହାଫଳରେ ଶିଳ୍ପ ଓ ରୋଜଗାର ଉପରେ  ପ୍ରଭାବ ପଡ଼ିବ ।