ଚନ୍ଦାହାଣ୍ଡି,୨୯/୧୧ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅଧିନ ଖଇରଭାଡ଼ି ଗ୍ରାମରେ ଜଳ ଜହର ପାଲଟିଛି l ଏହି ଦୃଷ୍ଟିରୁ ଶୁକ୍ରବାର ଜଳଯୋଗାଣ ବିଭାଗ ଦ୍ୱାରା ଗାଁରୁ ୧ କିମି ଦୂରରେ ଖୋଲାଗଲା ୨୦୦ଫୁଟ ଗଭୀର ନଳକୂପ l  ଖୋଳା ଯାଇଥିବା ନେଇ ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ବିଜୟ କୁମାର ଲାକ୍ରା  ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି l   ନଳକୂପ ଖୋଳା ସରିବା ପରେ ପାଣିରେ ଫ୍ଲୋରାଇଡ ଅଂଶ ପରୀକ୍ଷା କରାଯିବ l  

ପରୀକ୍ଷା ପରେ ପାଣିରେ ଫ୍ଲୋରାଇଡ  ଅଂଶ  ନ ବାହାରିଲେ  ପାଇପ ଯୋଗେ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି l ନଳକୂପରେ ମୋଟର ଲଗାଇ ନଳକୂପ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ଗ୍ରାମବାସୀଙ୍କୁ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ ବୋଲି  କନିଷ୍ଠଯନ୍ତ୍ରୀ ବିଜୟ ଲାକ୍ରା ପ୍ରକାଶ କରିଛନ୍ତି l ପ୍ରକାଶ ଥାଉ ଯେ, ଖଇରଭାଡି ଗ୍ରାମରେ ପାଣିରେ ଫ୍ଲୋରାଇଡ ଅଂଶ  ଥିବା ଫଳରେ ଗ୍ରାମବାସୀଙ୍କ ଦାନ୍ତ ହଳଦିଆ ପଡିଯିବା ସହ ହାତ ଗୋଡ଼, ଅଙ୍କା, ବଙ୍କା ହେବା ସହ ଯୌବନରୁ ବାର୍ଦ୍ଧକ୍ୟ ମାଡି ଆସୁଛି l ଏହି ଶୀର୍ଷକ ଖବର ବାରମ୍ବାର ପ୍ରସାରଣ ପରେ ଗ୍ରାମରେ ଥିବା ୧୩ଟି ନଳକୂପର ପାଣି ପରୀକ୍ଷା କରାଯିବା ପରେ ୫ଟି ସରକାରୀ ନଳକୂପରେ ଫ୍ଲୋରାଇଡ ଅଂଶ ଚିନ୍ନଟ ହେବାରୁ ସେ ସବୁ ପ୍ରଶାସନ ସିଲ୍ କରିବା ସହ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ଆଜି ପ୍ରଶାସନ ଦ୍ୱାରା ଗାଁରୁ ୧କିମି ଦୂରରେ ଏକ ନୂତନ ନଳକୂପ ଖୋଲାଯାଇଛି l