ଧାନ କଳ ମେସିନ୍ ପଙ୍ଖାରେ କଟିଲା ଯୁବତୀଙ୍କ ହାତ

କୃଷ୍ଣପ୍ରସାଦ,୯/୧୨: ଗୋମୁଣ୍ଡିଆ ପଞ୍ଚାୟତ ସାମନ୍ତରାପୁର ଗ୍ରାମରେ ଏକ ଧାନ କଳ ମେସିନ ପଙ୍ଖାରେ ଗ୍ରାମର ଯୁବତୀଙ୍କ ହାତ କଟିଯାଇଛି। ଯୁବତୀ ଜଣକ ସେହି ଗ୍ରାମର ଟୁନା ଦାସଙ୍କ ଝିଅ ୨୦ ବର୍ଷୀୟା ଲିଜା ଦାସ ବୋଲି ଜଣାପଡିଛି।
ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନ ୩ ଟା ସମୟରେ ଟୁନା ଦାସଙ୍କ ପରିବାର ଧାନ କଳ ମେସିନରେ ଧାନ ଚୁରୁଥିବା ସମୟରେ ଲିଜା ଧାନ କଳ ଭିତରେ କଳେଇ ପୁରେଇବାକୁ ଯାଉଥିବା ବେଳେ ଧାନ କଳ ମେସିନ ଫ୍ୟାନରେ ଲାଗି ବାମ ହାତଟି କଟିଯାଇଥିଲା। ହାତଟି ତଳେ ପଡି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହେଉଥିବା ବେଳେ ଯୁବତୀ ଜଣଙ୍କ ଅଚେତ ହୋଇପଡ଼ିଥିଲେ। ତୁରୁନ୍ତ ଗାଁ ଲୋକେ ପହଞ୍ଚି ଯୁବତୀଙ୍କୁ ଗୁରୁତର ଅବସ୍ଥାରେ କଟା ହାତ ସହ ଚାରିଛକ ସ୍ଥିତ ଘରୋଇ ଚିକିତ୍ସାଳୟ ଓ ପରେ ୧୦୮ଯୋଗେ ବ୍ରହ୍ମପୁର ନେଇଥିଲେ।
ସେଠାରେ ଯୁବତୀଙ୍କ ଅବସ୍ଥା ସଂକଟାପନ ଥିବାରୁ ପରିବାର ଲୋକେ କଟକ ସ୍ଥାନାନ୍ତରିତ କରିଥିବା ଗାଁ ଲୋକଙ୍କ ଠାରୁ ସୂଚନା ମିଳିଛି। ଟୁନା ଦାସଙ୍କ ପରିବାର ଅଭାବ ଅନଟନରେ ଚଲୁଥିବା ବେଳେ ଝିଅର ଚିକିତ୍ସା ନିମନ୍ତେ ବାପାଙ୍କ ପାଖରେ ଅର୍ଥ ବାଧକ ସାଜିଛି। ସଙ୍କଟାପନ୍ ଅବସ୍ଥାରେ ଥିବା ଯୁବତୀଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ନିମନ୍ତେ ଅଞ୍ଚଳବାସୀଙ୍କ ତରଫରୁ ଦାବି ହେଉଛି।