ଆପ୍ ମନ୍ତ୍ରୀ ମନୀଷ ସିସୋଦିଆ ବାରମ୍ବାର ମୋବାଇଲ ବଦଳାଇଛନ୍ତି, ପ୍ରମାଣ ନଷ୍ଟ କରିଛନ୍ତି: EDର ଚାଞ୍ଚଲ୍ୟକର ତଥ୍ୟ

ନୂଆଦିଲ୍ଲୀ ୩୦/ ୧୧: ବହୁ ଚର୍ଚ୍ଚିତ ଦିଲ୍ଲୀ ମଦ ନୀତି ମହାଦୁର୍ନୀତି ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛି ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ବୁଧବାର ଇଡି ପକ୍ଷରୁ କୁହାଯାଇଛି ଯେ, ଦିଲ୍ଲୀ ମଦ ନୀତି ଦୁର୍ନୀତିର ଅଭିଯୁକ୍ତ ତଥା ଆପ୍ ନେତା ମନୀଷ ସିସୋଦିଆ ତଦନ୍ତ ଚାଲିଥିବା ବେଳେ ତାଙ୍କ ଫୋନ ବଦଳାଇଛନ୍ତି । ଥରେ ନୁହେଁ ଏକାଧିକ ଥର ସେ ବ୍ୟବହାର କରୁଥିବା ଫୋନ ବଦଳାଇଛନ୍ତି । ପ୍ରମାଣ ନଷ୍ଟ କରିବା ପାଇଁ ସେ ଏଭଳି କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଛି । କେବଳ ସେ ନୁହେଁ ଲିକ୍ୟୋର୍ ପଲିସି ସ୍କାମ୍ (ମଦ ନୀତି ଦୁର୍ନୀତି)ରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ବି ପ୍ରମାଣ ନଷ୍ଟ କରିବାକୁ ମୋବାଇଲ ଫୋନ ବଦଳାଇଛନ୍ତି ।
ଦିଲ୍ଲୀର ଏକ କୋର୍ଟରେ ଯାଞ୍ଚ ଏଜେନ୍ସି କହିଛି ଯେ, ଆମ୍ ଆଦମୀ ପାର୍ଟି ନେତା ତଥା ଅବକାରୀ ବିଭାଗ ମନ୍ତ୍ରୀ ମନୀଷ ସିସୋଦିଆ ବାରମ୍ବାର ମୋବାଇଲ ଫୋନ୍ ବଦଳାଇଛନ୍ତି । ଦିଲ୍ଲୀର ପ୍ରତିଷ୍ଠିତ ବ୍ୟବସାୟୀ ଅମିତ ଆରୋରା ଯିଏକି ଗତ ବୁଧବାର ଗିରଫ ହୋଇଥିଲେ ସେ ମଧ୍ୟ ଗୋଟିଏ କି ଦୁଇଟି ନୁହେଁ ୧୧ଟି ମୋବାଇଲ ଫୋନ୍ ବଦଳାଇଛନ୍ତି । ମଦ ମହାଦୁର୍ନୀତି ଚାଲିଥିବା ବେଳେ ଅତି ଚତୁରତାର ସହ ଏଭଳି କରାଯାଇଛି । କେବଳ ଫୋନ ବଦଳାଇନାହାନ୍ତି ମନୀଷ ସିସୋଦିଆ ଏବଂ ଅମିତ ଆରୋରା ପ୍ରମାଣ ମଧ୍ୟ ନଷ୍ଟ କରିଥିବା କୋର୍ଟଙ୍କୁ କହିଛନ୍ତି ଇଡି ଅଧିକାରୀ ।
ଦିଲ୍ଲୀର ରାଉସ୍ ଏଭିନ୍ୟୁ କୋର୍ଟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି ଯେ, ‘ଅବକାରୀ ମନ୍ତ୍ରୀ ମନୀଷ ସିସୋଦିଆ ଏବଂ ତାଙ୍କ ସହ ଥିବା କିଛି ବ୍ୟବସାୟୀ ପ୍ରମାଣ ନଷ୍ଟ କରିଛନ୍ତି । ଦୁର୍ନୀତିରେ ବ୍ୟବହାର କରାଯାଇଥିବା ଏବଂ ନଷ୍ଟ କରାଯାଇଥିବା ବୈଦ୍ୟୁତିକ ଯନ୍ତ୍ର (ମୋବାଇଲ, ଲାପଟପ୍ ଇତ୍ୟାଦି)ର ଦାମ୍ ୧.୩୮ କୋଟି ଟଙ୍କା ହେବ’।
ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ବ୍ୟବସାୟୀ ଅମିତ ଆରୋରାଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅମିତ ହେଉଛନ୍ତି ଆପ୍ ସରକାରରେ ଅବକାରୀ ମନ୍ତ୍ରୀ ଥିବା ତଥା ମଦ ଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ ମନୀଷ ସିସୋଦିଆଙ୍କ ଘନିଷ୍ଠ । ମଦ ନୀତି ଦୁର୍ନୀତି ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।