ଜେଲ୍ ବାଥରୁମ୍ରେ ମୁଣ୍ଡ ବୁଲାଇ ହୋଇ ପଡିଗଲେ ସତ୍ୟେନ୍ଦ୍ର ଜୈନ, ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୨୫।୫: ମନି ଲଣ୍ଡରିଂ ମାମଲାରେ ତିହାର ଜେଲ୍ରେ ଥିବା ଆମ୍ ଆଦମୀ ପାର୍ଟି ନେତା ସତ୍ୟେନ୍ଦ୍ର ଜୈନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁବାର ଜେଲ୍ ବାଥରୁମ୍ରେ ସକାଳେ ପଡି ସେ ଆହତ ହୋଇଛନ୍ତି। କୁହାଯାଉଛି ଯେ, ବାଥରୁମ୍ରେ ମୁଣ୍ଡ ବୁଲେଇ ହୋଇ ସେ ତଳେ ପଡିଯାଇଥିଲେ। ଏହାପରେ ତାଙ୍କୁ ଦୀନ ଦୟାଲ ଉପାଧ୍ୟୟ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ତାଙ୍କର ଟେଷ୍ଟ କରାଯାଉଛି।
ସତୈନ୍ଦ୍ର ଜୈନ ତିହାର ଜେଲ୍ ନମ୍ବର ୭ରେ ଅଛନ୍ତି। ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ସକାଳ ୬ଟା ବେଳେ ସେ ବାଥରୁମ୍ ଯାଇଥିଲେ। ସେତେବେଳେ ମୁଣ୍ଡ ବୁଲାଇ ହୋଇ ସେ ତଳେ ପଡିଯାଇଥିଲେ। ଏହା ପୂର୍ବରୁ ମଧ୍ୟ ସତ୍ୟେନ୍ଦ୍ର ଜୈନ ବାଥରୁମ୍ରେ ପଡିଥିଲେ ଓ ତାଙ୍କ ମେରୁଦଣ୍ଡ ହାଡ଼ରେ ଗଭୀର ଆଘାତ ଲାଗିଥିଲା। ଏକ ସପ୍ତାହରେ ଦ୍ବିତୀୟ ଥର ଯେତେବେଳେ ସତ୍ୟେନ୍ଦ୍ର ଜୈନଙ୍କୁ ହସ୍ପିଟାଲ ଯିବାକୁ ପଡିଛି। ହସ୍ପିଟାଲରେ ତାଙ୍କର ସବୁ ଟେଷ୍ଟ କରାଯାଉଛି। ସତ୍ୟେନ୍ଦ୍ର ଜୈନଙ୍କ ମେରୁଦଣ୍ଡ ସର୍ଜରୀ ମଧ୍ୟ ହେବାର ଅଛି। ମେରୁଦଣ୍ଡରେ ସମସ୍ୟା ଥିବା କାରଣରୁ ସେ ମଧ୍ୟ ଅଣ୍ଟାରେ ବେଲ୍ଟ ପିନ୍ଧିଛନ୍ତି।
ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗତ ବର୍ଷ ମେ’ରୁ ତିହାର ଜେଲ୍ରେ ଅଛନ୍ତି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ କରିଥିଲା। ନିକଟରେ ତାଙ୍କର ଜାମିନ୍ ଆବେଦନ ଉପରେ ଶୁଣାଣି ବେଳେ ତାଙ୍କ ଓକିଲ କୋର୍ଟରେ କହିଥିଲେ ଯେ, ସତ୍ୟେନ୍ଦ୍ର ଜୈନଙ୍କ ଓଜନ ୩୫ କିଲୋ ହ୍ରାସ ପାଇଛି । ସୋମବାର ଯେତେବେଳେ ସତ୍ୟେନ୍ଦ୍ର ଜୈନଙ୍କୁ ସଫଦରଜଙ୍ଗ ହସ୍ପିଟାଲ ନିଆଯାଇଥିଲା ତାଙ୍କର ଏକ ଫଟୋ ସାମନାକୁ ଆସିଥିଲା ଯେଉଁଥିରେ ସେ ଖୁବ୍ ଦୁର୍ବଳ ଦେଖାଯାଉଥିଲେ।