ନୂଆଦିଲ୍ଲୀ,୦୩/୦୪; କୋଲକାତା ବିପକ୍ଷ ମ୍ୟାଚରେ ଜବରଦସ୍ତ ବିଜୟ ହାସଲ କରି ଖାତା ଖୋଲିଲା ସନରାଇଜର୍ସ ହାଇଦ୍ରାବାଦ । ହେଲେ ଅଡୁଆରେ ପଡିଛନ୍ତି ଷ୍ଟାର ବ୍ୟାଚର ଅଭିଷେକ ଶର୍ମା । ଅର୍ଥ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ଆଇପିଏଲ ଆଚରଣ ସଂହିତା ଉଲ୍ଲଂଘନ ପାଇଁ ଅଭିଷେକ ଶର୍ମାଙ୍କୁ ତାଙ୍କ ମ୍ୟାଚ୍ ଫିରୁ ଜରିମାନା କରାଯାଇଛି । ମ୍ୟାଚ୍ ଫିରୁ ୨୫ ପ୍ରତିଶଥ କାଟିବା ସହିତ ଗୋଟିଏ ଡିମେରିଟ୍ ପଏଣ୍ଟ ଦିଆଯାଇଛି । ଯାହା ତାଙ୍କ ବିଜୟ ଖୁସିକୁ ପାଣିଚିଆ କରିଛି ।
ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ୍) ଗୁରୁବାର ଇଡେନ ଗାର୍ଡେନରେ ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ଷଷ୍ଠ ମ୍ୟାଚ୍ ୬୫ ରନରେ ଜିତିଛି । କୋଲକାତାର ଲଗାତାର ଦ୍ୱିତୀୟ ପରାଜୟ ହୋଇଛି । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ୮ ୱିକେଟ୍ ହରାଇ ୨୨୬ ରନ କରିଥିଲା । ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମାଙ୍କ ପ୍ରାରମ୍ଭିକ ଯୋଡ଼ି ଏହି ଦଳକୁ ଭଲ ଆରମ୍ଭ ଦେଇଥିଲେ। ଉଭୟ ଖେଳାଳି ୫.୪ ଓଭରରେ ୮୨ ରନ କରିଥିଲେ । ଅଭିଷେକ ଶର୍ମା ୨୧ଟି ବଲ୍ରୁ ୪ ଚୌକା ଓ ୪ଛକା ବଳରେ ୪୮ ରନ୍ କରିଥିଲେ । କୋଲକାତା ଜିତିଲା ହେଲେ ମୁସକିଲରେ ପଡିଛନ୍ତି ଅଭିଷେକ । ଆଇପିଏଲ ଆଚରଣ ସଂହିତା ଉଲ୍ଲଂଘନ କରିଥିବାରୁ ତାଙ୍କ ମ୍ୟାଚ୍ ଫିର ୨୫ ପ୍ରତିଶତ ଜରିମାନା ଏବଂ ଗୋଟିଏ ଡିମେରିଟ୍ ପଏଣ୍ଟ ଦିଆଯାଇଛି । ସେ ଧାରା ୨.୩ଅନୁଯାୟୀ ଲେବଲ ୧ ଅପରାଧ ସ୍ୱୀକାର କରିଛନ୍ତି ଏବଂ ମ୍ୟାଚ୍ ରେଫରୀଙ୍କ ଦଣ୍ଡ ଗ୍ରହଣ କରିଛନ୍ତି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତାଙ୍କୁ ଆଚରଣ ସଂହିତା ଉଲ୍ଲଂଘନ କରିଥିବାକୁ ଦୋଷୀ ସାବ୍ୟସ୍ତ କରିଛି । ଏହା ପୂର୍ବରୁ ଗୁଜରାଟ ବିପକ୍ଷରେ ସ୍ଲୋ ଓଭର ବୋଲିଂ ପାଇଁ ପଞ୍ଜାବ କ୍ୟାପ୍ଟେନ୍ ଶ୍ରେୟସ ଆୟର ଅର୍ଥଦଣ୍ଡରେ ଦଣ୍ଡିତ ହୋଇଥିଲେ ।
ଏହା ବି ପଢନ୍ତୁ...ମାଲିକ-ଅଧିନାୟକ ବିବାଦ ୨.୦, ରାହୁଲଙ୍କ ପରେ ପନ୍ତଙ୍କ ଉପରେ ଫଁ ଫଁ ଗୋଏଙ୍କା !
କୋଲକାତା ବିପକ୍ଷରେ ଅଭିଷେକ ଭଲ ଇନିଂସ ଖେଳିବା ପରେ ବି ତାଙ୍କ ଆଚରଣ ତାଙ୍କୁ ଅସୁବିଧାରେ ପକାଇଛି । ବିସିସିଆଇ ପକ୍ଷରୁ ଜାରି ବିବୃତ୍ତି ଅନୁସାରେ ଅଭିଷେକ ଶର୍ମା ଉଲ୍ଲଂଘନ କରିଥିବା ଆର୍ଟିକିଲ ୨.୩ ଅପମାନଜନ କିମ୍ବା ଅଶ୍ଳୀଳ ଶବ୍ଦ ବ୍ୟବହାର ସହିତ ଜଡ଼ିତ । ଏହି ଅପରାଧ ପାଇଁ ତାଙ୍କୁ ତାଙ୍କ ମ୍ୟାଚ୍ ଫିର ୨୫ ପ୍ରତିଶତ ଜରିମାନା କରାଯାଇଛି । ବ୍ୟାଟର ତାଙ୍କର ଭୁଲ୍ ମଧ୍ୟ ସ୍ୱୀକାର କରିଛନ୍ତି ।