ମାଲକାନଗିରି,୧୮/୦୧: ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୦ ରୋଗୀଙ୍କୁ ନେଇ ବିଶାଖାପାଟଣା ସ୍ଥିତ ଅନିଲ ନିରୁକୋଣ୍ଡା ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଉଥିବା ବସ୍‌ଟି ଏକ ଟ୍ରକ୍‌ ସହିତ ଧକ୍କା ହୋଇ ଦୁର୍ଘଟଣା ଘଟିଛି । ଦୁର୍ଘଟଣାଟି ବିଶାଖାପାଟଣା ନିକଟରେ ହୋଇଥିବା ବେଳେ ମାଲକାନଗିରି ଜିଲ୍ଲା ପଡ଼ିଆ ଥାନାସ୍ଥ ଏମଭି ୫୮ ଗ୍ରାମର ସୁବ୍ରତ ରାୟ ଏବଂ ତାଙ୍କ ସାନ ଝିଅଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହା ସହିତ ୨୦ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହାତ ହୋଇଥିବାର ଜଣାପଡିଛି । ମୃତ ସୁବ୍ରତ ରାୟ ବିଜେପି ଦଳର ଏମଭି ୫୮ ଗ୍ରାମର ବୁଥ୍‌ର ସଭାପତି ଥିଲେ ଏବଂ ପଡ଼ିଆ ମଣ୍ଡଳର ଭାଜପା ଯୁବ ନେତା ଥିଲେ । 

ସୂଚନା ମୁତାବକ, ବସ୍‌ଟି ଶୁକ୍ରାବାର ରାତିରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୦ ରୋଗୀଙ୍କୁ ବିଶାଖାପାଟଣା ସ୍ଥିତ ଅନିଲ ନିରୁକୋଣ୍ଡା ହସ୍ପିଟାଲରେ ଚିକିତ୍ସା ପାଇଁ ନେଇ ଯାଉଥିଲା । ରାସ୍ତାରେ ଯାଉଥିବା ବେଳେ ସାମ୍ନାରେ ଏକ ଟ୍ରକ୍‌ ଖରାପ ହୋଇ ଛିଡା ହୋଇଥିଲା। କୁହୁଡି ଯୋଗୁଁ ବସ୍‌ ଚାଳକ ଟ୍ରକ୍‌କୁ ଦେଖି ପାରି ନଥିଲେ । ଫଳରେ ବସ୍‌ଟି ଉକ୍ତ ଟ୍ରକ୍‌କୁ ଧକ୍କା ହୋଇଥିଲା । ଦୁର୍ଘଟଣା ଘଟିବା ଫଳରେ ୨୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହାତ ହୋଇଥିବା ବେଳେ ସୁବ୍ରତ ରାୟ ନାମକ ବ୍ୟକ୍ତି ଏବଂ ତାଙ୍କ ସାନ ଝିଅ ପ୍ରାଣ ହରାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।