କଟକ,୧୮/୧୧: ବାଲିଯାତ୍ରାର ତୃତୀୟ ଦିନ ଏକ ବଡ଼ ଅଘଟଣ ଘଟିଛି । ବିଦ୍ୟୁତ୍‌ ଆଘାତରେ ଜଣେ ଯୁକ୍ତ ୨ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଜଗତସିଂହପୁର ଜୟବଡ଼ର ପ୍ରଭାକର ମନ୍ଥନଙ୍କ ପୁଅ ବିଶ୍ୱପ୍ରକାଶ ମନ୍ଥନ(୧୮) । ଯାତ୍ରା ପଡ଼ିଆ ସମ୍ମୁଖ ରିଂ ବନ୍ଧର ଦୁଇ ରାସ୍ତା ମଝିରେ ଥିବା  ବାଡ଼ରେ ସଜାଯାଇଥିବା ଲିଚୁ ଲାଇଟ୍‌ ତାର ସଂସ୍ପର୍ଶରେ ଆସି ବିଶ୍ୱପ୍ରକାଶଙ୍କ ମୃତ୍ୟୁ  ହୋଇଛି । ଘଟଣାକୁ ନେଇ ଦେଖଣାହାରୀଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି ।  ପ୍ରଶାସନର ବେପରୁଆ ନୀତି ପାଇଁ ଜଣେ ନିରୀହ ଛାତ୍ରଙ୍କର ଅକାଳରେ ଜୀବନ ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି । 

ମିଳିଥିବା ସୂଚନା ଅନୁସାରେ, ବିଶ୍ୱପ୍ରକାଶ କଟକରେ ଥିବା ଏକ ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ପଢ଼ୁଛନ୍ତି । ଛୁଟି ପରେ ଆଜି  ପରିବାର ଲୋକ ତାଙ୍କୁ କଟକରେ ଆଣି ଛାଡ଼ିଥିଲେ । ସନ୍ଧ୍ୟାରେ ସେ ତାଙ୍କ ଅନ୍ୟ  କିଛି ସାଙ୍ଗଙ୍କ ସହିତ ବାଲିଯାତ୍ରା ବୁଲିବାକୁ ଯାଇଥିଲେ । ତଳ ପଡ଼ିଆ ବୁଲିବା ପରେ ସେ ରିଂ ବନ୍ଧକୁ ଉଠିଥିଲେ । ରାତି ପ୍ରାୟ ୯ଟାରୁ ୯ଟା ୧୫ ହେବ । ବିଶ୍ୱପ୍ରକାଶ ଓ  ତାଙ୍କ କିଛି ସାଙ୍ଗ ରିଂ ବନ୍ଧର ଗୋଟିଏ ପଟ ରାସ୍ତାରୁ ଆରପଟକୁ ଯବା ପାଇଁ ଦୁଇ  ରାସ୍ତା ମଝିରେ ଥିବା ମିଡ୍‌ଭର୍ଜକୁ ଡେଉଁଥିଲେ । ପୂର୍ବରୁ ସେଠାରେ ବାଲିଯାତ୍ରା  ପାଇଁ ରଙ୍ଗ ବେରଙ୍ଗର ଲିଚୁ ଲାଇଟ୍‌  ଲାଗିଛି । ଲିଚୁ ତାର ଝୁଲି ରହିଛି । 

ବିଶ୍ୱପ୍ରକାଶ ଓ ତାଙ୍କ ସାଙ୍ଗ ଅତିକ୍ରମ  କଲା ବେଳେ ଲିଚୁ ତାରକୁ ଧରି  ପକାଇବାରୁ ସେଠାରେ ସେ ବିଦ୍ୟୁତ୍‌  ସଂସ୍ପର୍ଶରେ ଆସିଯାଇଥିଲେ । ମିଡ୍‌ଭର୍ଜରେ ଲୁହା ବାଡ଼ ଥିବାରୁ ସେହି ଲୁହା ଭିତରେ ବିଶ୍ୱପ୍ରକାଶ ଛନ୍ଦି ହୋଇ ଛଟ୍‌ପଟ୍‌ ହୋଇଥିଲେ । ଏହା ଦେଖି ତାଙ୍କ ସାଙ୍ଗ ଓ ଅନ୍ୟ ଦେଖଣାହାରୀ ପାଟି କରିଥିଲେ । ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଉକ୍ତ ତାରକୁ ବିଶ୍ୱପ୍ରକାଶଙ୍କ ହାତରୁ କଢ଼ାଯାଇଥିଲା । ସେତେବେଳକୁ ସେ ତଳେ ପଡ଼ିଯାଇଥିଲେ । କିଛି ମିନିଟ୍‌ ଭିତରେ ଏକ ଆମ୍ବୁଲାନ୍ସରେ ବିଶ୍ୱପ୍ରକାଶଙ୍କୁ ଏସ୍‌ସିବି ନିଆଗଲା । ସେଠାରେ ଡାକ୍ତର ବିଶ୍ୱପ୍ରକାଶଙ୍କର ‘ଇସିଜି’ ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ । କ୍ୟାଣ୍ଟନ୍‌ମେଣ୍ଟ୍‌ ଥାନା ପୁଲିସ ପହଞ୍ଚି ମୃତଦେହ ହେପାଜତକୁ  ନେଇଛି । ଘଟଣା ନେଇ ବିଶ୍ୱପ୍ରକାଶଙ୍କ ପରିବାର ଲୋକ ଓ ସ୍କୁଲ୍‌ କର୍ତ୍ତୃପକ୍ଷ ସୂଚନା  ପାଇ ଏସ୍‌ସିବି ଆସିଛନ୍ତି । କେଉଁ ପରିସ୍ଥିତିରେ ବିଶ୍ୱପ୍ରକାଶ ନିଜ ସ୍କୁଲ୍‌ରୁ ବାହାରି  ବାଲିଯାତ୍ରା ବୁଲିବାକୁ ଆସିଥିଲେ ତାହା ସ୍ପଷ୍ଟ ହୋଇନି । ଅନ୍ୟପଟେ ସାଜସଜ୍ଜା  ନାଁରେ ପ୍ରଶାସନ ଏଭଳି ଅସୁରକ୍ଷିତ ତଥା ବେପରୁଆ ଭାବେ ଲିଚୁ ସଜାଇବାରୁ  ଜଣେ ଛାତ୍ରଙ୍କ ଜୀବନ ଯିବା ଘଟଣାକୁ ନେଇ ଅସନ୍ତୋଷ ଦେଖାଦେଇଛି ।