ଖଲ୍ଲିକୋଟ, ୩୧/୦୫: ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ରାତି ପ୍ରାୟ ୧୦ଟାରେ ଘଟିଛି ଦୁର୍ଘଟଣା। ୧୬ ନମ୍ବର ଜାତୀୟ ରାଜପଥର ଡ଼ିମିରିଆ ଛକ ଠାରେ ଶ୍ରୀଧର କୁମାର ଆଚାର୍ଯ୍ୟ ବାଇକ ରଖି ରାସ୍ତା କଡ଼ରେ ଛିଡା ହୋଇଥିଲେ। ଏହି ସମୟରେ ସାବୁଳିଆରୁ ଏକ ବାଇକ ଯୋଗେ ୩ ଜଣ କେଶପୁର ଅଭିମୁଖେ ଆସୁଥିବା ବେଳେ ଡ଼ିମିରିଆ ଛକରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଛିଡା ହୋଇଥିବା ଶ୍ରୀଧର ଆଚାର୍ଯ୍ୟଙ୍କ ବାଇକକୁ ଧକ୍କା ଦେଇଥିଲେ। ଫଳରେ ଦୁଇଟି ବାଇକରେ ଥିବା ୪ ଜଣ ଆହତ ହୋଇଥିଲେ।
ଶ୍ରୀଧର ଆଚାର୍ଯ୍ୟଙ୍କ ସମେତ ଧକ୍କା ଦେଇଥିବା ବାଇକରେ ଥିବା କେଶପୁର ମୋହନପୁର ଅଞ୍ଚଳର ଶୁକଦେବ ଜାଲି, କାମିନୀ ଜାଲି, ରିତେଶ ପରିଡା ମଧ୍ୟ ଗୁରୁତର ଆହତ ହୋଇଥିଲେ। ସମସ୍ତ ଆହତଙ୍କୁ ଉଦ୍ଧାର କରି ଖଲ୍ଲିକୋଟ ଅଗ୍ନିଶମ ବାହିନୀ ଗାଡିରେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଏଠାରେ ପ୍ରାଥମିକ ଚିକିତ୍ସା ପରେ ଶ୍ରୀଧର ଆଚାର୍ଯ୍ୟ ଓ ରିତେଶ ପରିଡାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଦୁଇ ଆହତ ଶୁକଦେବ ଜାଲି ଓ କାମିନୀ ଜାଲିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ମେଡିକାଲରେ ଖଲ୍ଲିକୋଟ ପୁଲିସ ପହଞ୍ଚି ଆହତଙ୍କୁ ପଚରାଉଚରା ଜାରି ରଖିଛି।