ପୁରୀ,୧୦।୧ : ପୁରୀ ସ୍ବର୍ଗଦ୍ବାର ଚୈତନ୍ୟ ଛକରେ ଭଦ୍ରକର ଯୁବକ ରଞ୍ଜନ କୁମାର ଦାସ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ଅଭିଯୁକ୍ତ କେନ୍ଦ୍ରାପଡ଼ା ର ତନ୍ମୟ ମହାପାତ୍ର। ହତ୍ୟାରେ ବ୍ୟବହୃତ ଛୁରୀକୁ ମଧ୍ୟ ପୋଲିସ ଜବତ କରିଛି। ଅଭିଯୁକ୍ତ ଜଣକ ପୁରୀ ବାଲିସାହି ରେ ସମ୍ପର୍କୀୟ ଙ୍କ ଘରେ ରହି କାମ କରୁଥିଲା। ସାମାନ୍ୟ ବଚସା କୁ କେନ୍ଦ୍ରକରି ଗୁରୁବାର ବିଳମ୍ବିତ ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ପୁରୀ ଏସପି ପ୍ରତୀକ ସିଂ ଏନେଇ ସୂଚନା ଦେଇଛନ୍ତି।

ତେବେ ସୂଚନା ଅନୁଯାୟୀ ଗତ ଗୁରୁବାର ଭଦ୍ରକ ବନ୍ତ ଥାନା ଅଞ୍ଚଳର କିଛି ବ୍ୟକ୍ତି ସମ୍ପର୍କୀୟଙ୍କ ଶବଦାହ ପାଇଁ ପୁରୀ ସ୍ବର୍ଗଦ୍ବାର ଆସିଥିଲେ। ସ୍ବର୍ଗଦ୍ବାର ନିକଟ ଚୈତନ୍ୟ ଛକକୁ ପଇଡ଼ ପାଇଁ ଆସିଥିବା ବେଳେ ସେଠାରେ ଚିନ୍ମୟଙ୍କ ସହିତ ରଞ୍ଜନଙ୍କର ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଚିନ୍ମୟ ରଞ୍ଜନଙ୍କ ତଣ୍ଟିକୁ ଛୁରୀରେ କାଟି ଦେଇଥିଲେ। ଖବରପାଇ ପିସିଆର ଭ୍ୟାନ୍ ଏବଂ ସମୁଦ୍ର କୂଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ରଞ୍ଜନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଭିଯୁକ୍ତର ଆକ୍ରମଣରେ ଆଉଜଣେ ଯୁବକ ମଧ୍ୟ ଆହତ ହୋଇଥିଲେ।