କ୍ରିକେଟର ସୁରେଶ ରୈନାଙ୍କ ମାମୁ ଓ ପୁଅଙ୍କୁ ହତ୍ୟା କରିଥିବା ଅଭିଯୁକ୍ତକୁ ଏନକାଉଣ୍ଟର, ଟଳିପଡିଲା ମୋଷ୍ଟ ଓ୍ବାଣ୍ଟେଡ୍ ରାସିଦ

ଲକ୍ଷ୍ନୌ ୦୧/ ୦୪: କ୍ରିକେଟର୍ ସୁରେଶ ରୈନାଙ୍କ ସମ୍ପର୍କୀୟଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ଉତ୍ତର ପ୍ରଦେଶ ପୋଲିସ । ଏନକାଉଣ୍ଟରରେ ଅଭିଯୁକ୍ତଜଣକ ନିହତ ହୋଇଥିବା ସୂଚନା ମିଳିଛି । ୨୦୨୦ ଅଗଷ୍ଟ ୧୯ ତାରିଖରେ ସୁରେଶ ରୈନାଙ୍କ ମାମୁ ଅଶୋକ କୁମାରଙ୍କୁ ମୁଜାଫରନଗରରେ ଗୁଳି ମାଡ କରାଯାଇଥିଲା । ଯିଏକି ପେଶାରେ ଜଣେ ଠିକାଦାର ଥିଲେ । ଘଟଣାସ୍ଥଳରେ ଅଶୋକ କୁମାରଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ କୌଶଲ ଓ ପତ୍ନୀ ଆଶା ରାଣୀଙ୍କ ସମେତ ଅନ୍ୟ ୨ ଜଣ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଅଗଷ୍ଟ ୩୧ ତାରିଖରେ କୌଶଲଙ୍କ ମଧ୍ୟ ପରଲୋକ ଘଟିଥିଲା ।
ଶନିବାର ସନ୍ଧ୍ୟାରେ କୌଣସି ସୂତ୍ରରୁ ଖବର ପାଇ ଅଭିଯୁକ୍ତ ରାସିଦ ଆଲିଆସର ଗତିବିଧି ଜାଣିପାରିଥିଲା ଉତ୍ତର ପ୍ରଦେଶ ପୋଲିସ । ତାକୁ ଧରିବା ପାଇଁ ଚଢାଉ କରିଥିବା ବେଳେ ସେ ପାଲଟା ଆକ୍ରମଣ କରିଥିଲା । ତେବେ ବାଧ୍ୟ ହୋଇ ପୋଲିସ ପକ୍ଷରୁ ଗୁଳି କରାଯାଇଥିଲା । ଯେଉଁଥିରେ ଅଭିଯୁକ୍ତଜଣକ ଘଟଣାସ୍ଥଳରେ ହିଁ ଟଳିପଡିଥିଲା । ଏ ନେଇ ୟୁପି ପୋଲିସର ଏସ୍ପି ସଞ୍ଜୀବ ସୁମନ ସୂଚନା ଦେଇଛନ୍ତି ।

୨୦୨୦ ଅଗଷ୍ଟରେ ଆଇପିଏଲ ଚାଲିଥିବା ବେଳେ ଏଭଳି ଦୁଃସମ୍ବାଦ ଶୁଣିଥିଲେ ସୁରେଶ ରୈନା । ଟୁର୍ଣ୍ଣାମେଣ୍ଟ ଅଧାରୁ ହିଁ ସେ ଫେରିଆସିଥିଲେ । ପୋଲିସ ସେତେବେଳେ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଏବଂ ମାମଲାରେ ପୁର୍ଣ୍ଣଚ୍ଛେଦ ପକାଇଥିବା ଦାବି କରିଥିଲା । ସୁରେଶ ରୈନା ମଧ୍ୟ ସେତେବେଳେ ପଞ୍ଜାବ ସରକାରରେ ମୁଖ୍ୟମନ୍ତ୍ରୀ ଥିବା ଅମରିନ୍ଦର ସିଂହଙ୍କୁ ଅପିଲ୍ କରିଥିଲେ ଯେ, ଘଟଣାରେ ତଦନ୍ତ କରି ଅଭିଯୁକ୍ତ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ । ଏହା ସହିତ ଅଭିଯୁକ୍ତ ମାନେ ଆଗକୁ ଯେପରି ଅପରାଧ ନଘଟାନ୍ତି ସେଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଉ ।
