ନୂଆଦିଲ୍ଲୀ,୧୦।୯:  ସାରା ବିଶ୍ୱ ଆଶା କରୁଛି ଯେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନା ସଫଳ ହେବ ଏବଂ ସାଢ଼େ ତିନି ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧର ଅନ୍ତ ହେବ। କିନ୍ତୁ ବାସ୍ତବତା ରହିଛି କିଛି ଅଲଗା।   ଯୁଦ୍ଧ ଶେଷ ହେବା ପରିବର୍ତ୍ତେ ଆହୁରି ଭୟଙ୍କର ହେବାରେ ଲାଗିଛି। ଏବେ ରୁଷିଆ ଡ୍ରୋନଗୁଡ଼ିକ ୟୁକ୍ରେନ ଉପରେ ଆକ୍ରମଣ କରିବା ପାଇଁ ଅନ୍ୟ ୟୁରୋପୀୟ ଦେଶର ବାୟୁସୀମାକୁ ଉଲଂଘନ କରିଥିବା ଅଭିଯୋଗ ହୋଇଛି। ପୋଲାଣ୍ଡ ସଶସ୍ତ୍ର ବାହିନୀର ଅପେରସନାଲ କମାଣ୍ଡର କହିଛନ୍ତି, ରୁଷର ଡ୍ରୋନ ୟୁକ୍ରେନ ଉପରେ ଆକ୍ରମଣ କରିବା ସମୟରେ ଆମର ବାୟୁସୀମା ଉଲଂଘନ କରିଥିଲା। ନାଗରିକଙ୍କ ସୁରକ୍ଷା ପାଇଁ ଏହା ବିପଦ ପାଲଟିଥିଲା।  ଦେଶର ବାୟୁସୀମା ଉଲ୍ଲଂଘନ କରିଥିବାରୁ ଡ୍ରୋନ ଗୁଡିକୁ ମାରି ନଷ୍ଟ କରି ଦିଆଯାଇଛି।

ପୋଲାଣ୍ଡର ପ୍ରଧାନମନ୍ତ୍ରୀ ଡୋନାଲ୍ଡୋ ଟସ୍କ ଏକ୍ସରେ ଲେଖିଛନ୍ତି, ରୁଷ ବାରମ୍ବାର ଆମର ବାୟୁସୀମ ଉଲଂଘନ କରିଥିଲା। ସେନା ଏହାର କଡ଼ା ଜବାବ ଦେଇଛି। ବହୁ ସଂଖ୍ୟାରେ ରୁଷୀୟ ଡ୍ରୋନ ଆମର ବାୟୁସୀମାକୁ ଉଲଂଘନ କରିଥିଲା। ଏହି ଘଟଣା ନେଇ ସେ ରାଷ୍ଟ୍ରପତି କରୋଲ ନଭାରିକୋ ଏବଂ ଅପରେସନାଲ କମାଣ୍ଡରଙ୍କ ସହ ଲଗାତାର ଯୋଗାଯୋଗରେ ଅଛି ବୋଲି କହିଛନ୍ତି। ଏଭଳି ପ୍ରଥମ ଘଟଣା ବୋଲି କୁହାଯାଉଛି। ଯେବେ କୌଣସି ନାଟୋ ଦେଶ ରୁଷ ସହ ସିଧା ସଳଖ ଲଢେଇ କରିଛି। ଏଭଳି ସ୍ଥିତିରେ ପୋଲାଣ୍ଡର ସୁରକ୍ଷା ପାଇଁ ନାଟୋ ଏୟାରକ୍ରାଫ୍ଟ ସକ୍ରିୟ ହୋଇଛି।

ଏହି ଘଟଣା ପରେ ପ୍ରତିରକ୍ଷା ମନ୍ତ୍ରୀ ୱାଡିସଲା କୋସିନିଆକ-କାମିସ୍ କହିଛନ୍ତି, ଡ୍ରୋନର ଖଣ୍ଡଗୁଡ଼ିକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଛି। X ରେ ଏକ ପୋଷ୍ଟରେ, ସେ ସ୍ଥାନୀୟ ଲୋକମାନଙ୍କୁ ନଷ୍ଟ କରାଯାଇଥିବା ଡ୍ରୋନର କୌଣସି ଭଗ୍ନାବଶେଷ ନ ଉଠାଇବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, କୌଣସି  ବସ୍ତୁକୁ ସ୍ପର୍ଶ କରନ୍ତୁ ନାହିଁ। କିଛି ଦେଖିବାକୁ ପାଇଲେ ପୋଲିସକୁ ସୂଚନା ଦିଅନ୍ତୁ। ରୁଷ ଡ୍ରୋନ ବାୟୁସୀମା ଉଲଘନଂ କରିବା ପରେ ପୋଲାଣ୍ଡର ୪ଟି ମୁଖ୍ୟ ବିମାରବନ୍ଦରଙ୍କୁ ଅସ୍ଥାୟୀ ଭାବରେ ବନ୍ଦ କରି ଦିଆଯାଇଛି। ଏଗୁଡିକ ୟୁକ୍ରେନ ନିକଟବର୍ତ୍ତୀ ଅଞ୍ଚଳରେ ରହିଛି। ବାୟୁସୀମା ଉଲଂଘନ ନେଇ ପୋଲାଣ୍ଡ କରିଥିବା ଅଭିଯୋଗ ଉପରେ ରୁଷ କୌଣସି ପ୍ରକାର ପ୍ରତିକ୍ରିୟା ଏପର୍ଯ୍ୟନ୍ତ ଦେଇନାହିଁ।