ପୁରୀ,୦୨/୦୬: ବରିଷ୍ଠ ଅଭିନେତା ସ୍ୱର୍ଗତ ଉତ୍ତମ ମହାନ୍ତିଙ୍କ ମୃତ୍ୟୁ ପରେ ରବିବାର ତାଙ୍କ ପୁତ୍ର ବାବୁସାନ ମହାନ୍ତି ପୁରୀ ଆସି ମହୋଦଧିରେ ଅସ୍ଥି ବିସର୍ଜନ କରିବା ସହ ମୁଣ୍ଡନ ହୋଇଛନ୍ତି । ମହୋଦଧି କୂଳରେ ହିନ୍ଦୁ ରୀତିନୀତି ଅନୁଯାୟୀ ନଣ୍ଡା ହେବା ସହ ତିଳତର୍ପଣ କରିଥିଲେ । ଏହା ପୂର୍ବରୁ ଚଳିତ ବର୍ଷ ୧୨ ମାର୍ଚ୍ଚରେ ପୁରୀ ଶ୍ୱେତଗଙ୍ଗା ତୀର୍ଥ ପୁଷ୍କରିଣୀରେ ଦଶାହ ଅବସରରେ ସେ ଅସ୍ଥି ବିସର୍ଜନ କରିଥିଲେ । ତେବେ ସେ ସମୟରେ ତାଙ୍କର ଚଳଚ୍ଚିତ୍ର ବୋଉ ବୁଟୁ ଭୂତର ସୁଟିଂ ଚାଲିଥିବା କାରଣରୁ ସେ ନଣ୍ଡା ହୋଇ ପାରିନଥିଲେ । ଶ୍ୱେତଗଙ୍ଗା ପରେ ସେ ପ୍ରୟାଗରାଜ ଏବଂ ଶେଷରେ ଶ୍ରୀକ୍ଷେତ୍ର ମହୋଦଧିରେ ଅସ୍ଥି ବିସର୍ଜନ କରି ମୁଣ୍ଡନ କରିଛନ୍ତି ।
ଏହି ଅବସରରେ ବାବୁସାନ କହିଛନ୍ତି, ଫିଲ୍ମ ସୁଟିଂ ତଥା ଅନ୍ୟାନ୍ୟ ବ୍ୟସ୍ତତା ଯୋଗୁ ବାପାଙ୍କ ଅନେକ ଅନ୍ତିମ କର୍ମ ମୁଁ କରିପାରିନଥିଲି । ଏସବୁ କରିବା ପରେ ଏବେ ହାଲୁକା ଲାଗୁଛି । ତେବେ ସବୁ ଫିଲ୍ମ ସୁଟିଂ ପରେ ମୁଁ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରେ । ହେଲେ ବର୍ଷିକିଆ ସରିନଥିବାରୁ ଏଥର ଯାଇପାରିନି । ହେଲେ ବାନା ବାନ୍ଧିବାକୁ ଜଣେଇ ଦେଇଛି ।