ଆଦାନି ଷ୍ଟକ୍ ଊଦ୍ଧ୍ୱର୍ମୁଖୀ, ୩ ଦିନରେ ନିବେଶକ ଯୋଡ଼ିଲେ ୧.୮ ଲକ୍ଷ କୋଟି

ନୂଆଦିଲ୍ଲୀ, ୨୪।୫: ଆଦାନି ଗ୍ରୁପ୍ ବିରୋଧରେ ହିଣ୍ଡେନ୍ବର୍ଗ ପକ୍ଷରୁ ଅଣାଯାଇଥିବା ଅଭିଯୋଗଗୁଡ଼ିକ ଉପରେ ରିପୋର୍ଟ ଦାଖଲ କରିଛି ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ଗଠିତ କମିଟି । ଆଦାନି ଗ୍ରୁପ୍ ପାଇଁ ଏହାକୁ କ୍ଲିନ୍ଚିଟ୍ ଭାବେ ଦେଖୁଛନ୍ତି ନିବେଶକ । ଏହା ପ୍ରଭାବରେ ଆଦାନି ଗ୍ରୁପ୍ ଷ୍ଟକ୍ଗୁଡ଼ିକରେ ଉତ୍ସାହ ଦେଖାଦେଇଛି । ମାତ୍ର ୩ଟି କାରବାର ଦିବସରେ ସମସ୍ତ ୧୦ଟି ଯାକ ଆଦାନି ଷ୍ଟକ୍ ମୂଲ୍ୟ ୧.୮ ଲକ୍ଷ କୋଟି ଟଙ୍କା ବଢ଼ିଛି । ଗୁରୁବାରର କ୍ଲୋଜିଂ ଦରଠାରୁ ଆଦାନି ଏଣ୍ଟର୍ପ୍ରାଇଜେସ୍ର ସେୟାର ମୂଲ୍ୟ ପ୍ରାୟ ୩୮% ବୃଦ୍ଧି ପାଇଛି । ଫଳରେ କମ୍ପାନିର ମାର୍କେଟ୍ କ୍ୟାପ୍ ପ୍ରାୟ ୭୬,୦୦୦ କୋଟି ଟଙ୍କା ବଢ଼ିଛି । ଆଦାନି ପୋର୍ଟସ ୨୫,୦୦୦ କୋଟି ଟଙ୍କାରୁ ଅଧିକ ମାର୍କେଟ କ୍ୟାପ୍ ଯୋଡ଼ିଛି । ଆଦାନି ୱିଲ୍ମାର, ଅମ୍ବୁଜା ସିମେଣ୍ଟ୍ସ, ଆଦାନି ଗ୍ରୀନ୍ ଏନର୍ଜି ଏବଂ ଆଦାନି ଟୋଟଲ ଗ୍ୟାସର ସେୟାର ମୂଲ୍ୟରେ ଭଲ ବୃଦ୍ଧି ଘଟିଛି । ସେୟାର ମୂଲ୍ୟଗୁଡ଼ିକ ପ୍ରାକ୍-ହିଣ୍ଡେନ୍ବର୍ଗ ସ୍ତର ନିକଟତର ହୋଇଥିବା ଜଣାପଡ଼ିଛି ।