ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନାମରେ ଏକ ମଡେଲ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ଏକ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ସମସ୍ତଙ୍କୁ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ପାଇବାର ସୁଯୋଗ ମିଳିବ ବୋଲି ସରକାର ଦାବି କରନ୍ତି । ଏହି ପ୍ରୟାସଟି ସହର ଓ ଗାଁଗୁଡ଼ିକ ମଧ୍ୟରେ ଥିବା ଶିକ୍ଷାକ୍ଷେତ୍ରରେ ଅସମାନତାକୁ ଦୂର କରିବ ବୋଲି ଯୁକ୍ତି କରାଯାଇଛି । ଅସମାନତା ଦୂର କରିବାର ମାଧ୍ୟମ ହେବ ଉଚ୍ଚମାନର ସୁବିଧା, ତାଲିମପ୍ରାପ୍ତ ଶିକ୍ଷକ, ଆଧୁନିକ ଶିକ୍ଷା ପ୍ରଣାଳୀର ପ୍ରୟୋଗ ଇତ୍ୟାଦି ।
ସରକାରୀ ରିପୋର୍ଟ (ଅର୍ଥନୈତିକ ସର୍ଭେ ୨୦୨୫-୨୬) ଅନୁସାରେ ରାଜ୍ୟରେ ୬୧,୫୬୫ଟି ବିଦ୍ୟାଳୟ ରହିଛି । ଏଥିମଧ୍ୟରୁ ପ୍ରାଥମିକ ବିଦ୍ୟାଳୟର ସଂଖ୍ୟା କେତେ ତାହା ପରିଷ୍କାର ହେଉନଥିଲେ ମଧ୍ୟ ଅର୍ଦ୍ଧାଧିକ ସଂଖ୍ୟା ପ୍ରାଥମିକ ବିଦ୍ୟାଳୟ ବର୍ଗର ହୋଇଥିବେ ନିଶ୍ଚୟ । ୨୦୨୪-୨୫ ଭାରତ ସରକାରଙ୍କ ଡାଇସ୍ (ଶିକ୍ଷା ପାଇଁ ସଂଯୁକ୍ତ ଜିଲ୍ଲା ତଥ୍ୟ ବ୍ୟବସ୍ଥା) ରିପୋର୍ଟ ଅନୁସାରେ ଓଡ଼ିଶାରେ ୬୧୫୬୫ ବିଦ୍ୟାଳୟ ମଧ୍ୟରୁ ଶତକଡ଼ା ୧୦୦ ବିଦ୍ୟାଳୟରେ ପିଇବା ପାଣି ଉପଲବ୍ଧ ଥିଲା, ଶତକଡା ୯୯ ବିଦ୍ୟାଳୟରେ ଛାତ୍ର ଓ ଛାତ୍ରୀଙ୍କ ପାଇଁ ଅଲଗା ଶୌଚାଳୟ ସୁବିଧା ଥିଲା, ଶତକଡା ୯୯.୮୪ ବିଦ୍ୟାଳୟରେ ଲାଇବ୍ରେରୀ ଥିଲା, ଶତକଡା ୯୮.୪୨ ସ୍କୁଲରେ ଖେଳ ପଡିଆ ଥିଲା ଏବଂ ଶତକଡା ୭୬.୭୫ ସ୍କୁଲରେ କମ୍ପୁଟର ଉପଲବ୍ଧ ଥିଲା । ଏହି ତଥ୍ୟର ସତ୍ୟତା ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ହିଁ କହିପାରିବେ ।
ଛାତ୍ର-ଶିକ୍ଷକ ଅନୁପାତ, ସ୍କୁଲରେ ନାମଲେଖା, ଜଣେ ମାତ୍ର ଶିକ୍ଷକ ଥିବା ସ୍କୁଲର ସଂଖ୍ୟା ହ୍ରାସ, ମଝିରେ ପାଠପଢ଼ା ଛାଡ଼ିଦେଉଥିବା ପିଲାଙ୍କ ସଂଖ୍ୟାରେ ହ୍ରାସ, ଏହିପରି ଅନେକ ମାପକରେ ଓଡ଼ିଶାର ବିଦ୍ୟାଳୟ ଶିକ୍ଷାର ମାନ ବୃଦ୍ଧିର ସୂଚନା ମିଳେ । ଏଇଠି ପ୍ରଶ୍ନ ଉଠେ- ଯଦି ବିଦ୍ୟାଳୟ ଶିକ୍ଷାରେ ଓଡ଼ିଶା ଯଥେଷ୍ଟ ପ୍ରଗତି ହାସଲ କରୁଛି ତାହେଲେ ପ୍ରତି ପଞ୍ଚାୟତରେ ଗୋଦାବରୀଶ ମଡେଲ ସ୍କୁଲର ଆବଶ୍ୟକତା ଅଛି କି? ସରକାରଙ୍କ ନିଷ୍ପତ୍ତି ଅନୁସାରେ ପ୍ରତି ମଡେଲ ପ୍ରାଥମିକ ବିଦ୍ୟାଳୟ ପାଇଁ ପ୍ରାୟ ୭କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏ ପ୍ରକାର ପୁଞ୍ଜିନିବେଶ ଫଳରେ ଶିକ୍ଷାର ଉନ୍ନତି ସାଧିତ ହେବ । ଏହି ଯୁକ୍ତିରେ କିଛି ଅସଙ୍ଗତି ରହିଯିବା ପରି ମନେହେଉଛି । ଓଡ଼ିଶାରେ ବିଦ୍ୟାଳୟ ଶିକ୍ଷା ସଂପର୍କରେ ଜ୍ଞାନ ଥିବା ଅନୁଭବି ବ୍ୟକ୍ତିମାନଙ୍କ ମତରେ ମଡେଲ ସ୍କୁଲ ଯୋଜନାଟି ଲକ୍ଷ୍ୟ ହାସଲ ତ କରିବ ନାହିଁ, ବରଂ ଏହାଦ୍ୱାରା ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଥିବା ପ୍ରକୃତ ସମସ୍ୟାଗୁଡ଼ିକର ସମାଧାନ ହେବନାହିଁ ଏବଂ ସାମଗ୍ରିକ ବିଦ୍ୟାଳୟ ଶିକ୍ଷା ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ଏହି ଯୋଜନା ସଂପର୍କରେ ପ୍ରାଥମିକ ଶିକ୍ଷାରେ ଗଭୀର ଅନୁଭୂତି ଥିବା ବିଶେଷଜ୍ଞମାନଙ୍କ ସହିତ ଆଲୋଚନା ହୋଇଛି କି ନାହିଁ ତାହା ସ୍ପଷ୍ଟ ନୁହେଁ । ଶିକ୍ଷାକ୍ଷେତ୍ରରେ ଆଗୁଆ ଥିବା ଦେଶଗୁଡ଼ିକରେ ପ୍ରାଥମିକ ଶିକ୍ଷାକୁ ଏକ ନୂତନ ଦୃଷ୍ଟିକୋଣ ନେଇ ଦେଖିବା ଆରମ୍ଭ ହୋଇଛି । ଦୁର୍ଭାଗ୍ୟର କଥା, ଆମ ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ନେଇ ଯେଉଁସବୁ ପରୀକ୍ଷା ନିରୀକ୍ଷା ନିକଟ ଅତୀତରେ ହୋଇଛି ସେଗୁଡ଼ିକର କୌଣସି ଉତ୍ତମ ପରିଣାମ ହେବା କଥା ଜଣାଯାଏନାହିଁ । ବରଂ ପରିସ୍ଥିତିରେ ଅବନତି ହୋଇଚାଲିଛି ।
ଓଡ଼ିଶାରେ ୬୭୯୪ଟି ଗ୍ରାମପଞ୍ଚାୟତ ରହିଛି । ପ୍ରତ୍ୟେକ ପଞ୍ଚାୟତରେ ସାତଟିରୁ ଦଶଟି ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିଶ୍ଚୟ ଥିବ । ଏହା ଭିତରୁ ଗୋଟିଏ ବିଦ୍ୟାଳୟକୁ ମଡେଲ ବିଦ୍ୟାଳୟ କରାଯିବ ବା ନୂଆ ଭାବରେ ଗୋଟିଏ ମଡେଲ ବିଦ୍ୟାଳୟ ସ୍ଥାପନ କରାଯିବ ତାହା ସ୍ପଷ୍ଟ ନୁହେଁ । ଯଦି ଏବେ ଚାଲୁଥିବା ସ୍କୁଲଗୁଡ଼ିକ ମଧ୍ୟରୁ ଗୋଟିଏକୁ ମଡେଲ ସ୍କୁଲରେ ପରିଣତ କରାଯାଏ ହାରାହାରି ଶତକଡା ୧୫ରୁ କମ୍ ପିଲା ଉପକୃତ ହେବେ । ନୂଆକରି ଏକ ଅତିରିକ୍ତ ପ୍ରାଥମିକ ବିଦ୍ୟାଳୟର ଆବଶ୍ୟକତା ନାହିଁ ବୋଲି କୁହାଯାଇପାରେ, ଯେହେତୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରୁ କିଛି ସଂଖ୍ୟାର ବିଦ୍ୟାଳୟକୁ ବନ୍ଦ କରିବା ନିଷ୍ପତ୍ତି ମଧ୍ୟ ସରକାର ନେଇଛନ୍ତି । ଉଭୟ ସହର ଓ ଗାଁମାନଙ୍କରେ ବିଭିନ୍ନ କାରଣରୁ ଅଧିକରୁ ଅଧିକ ପିଲା ସରକାରୀ ସ୍କୁଲରେ ନପଢ଼ି ଘରୋଇ ସ୍କୁଲରେ ପଢ଼ିବା ଦେଖାଯାଉଛି । ଏହାର ଅର୍ଥ ନୁହେଁ ଯେ ଘରୋଇ ସ୍କୁଲରେ ଶିକ୍ଷାର ମାନ ଉଚ୍ଚତର । କିନ୍ତୁ ଏହା ସତ ଯେ ସରକାରୀ ସ୍କୁଲଗୁଡ଼ିକ ଉପରେ ଅଭିଭାବକମାନଙ୍କର ଆସ୍ଥା କମିଚାଲିଛି ଏବଂ ଏହି ଧାରାକୁ ବଦଳାଇବା ପାଇଁ କୌଣସି ବିଶେଷ ପ୍ରଚେଷ୍ଟା ଥିବାର ମନେ ହୁଏନାହିଁ । ଯଦି ପ୍ରତ୍ୟେକ ପଞ୍ଚାୟତର ସବୁ ପ୍ରାଥମିକ ବିଦ୍ୟାଳୟକୁ ଗୋଦାବରୀଶ ମଡେଲ ସ୍କୁଲରେ ପରିଣତ କରାଯାଏ, ଏହା ସମୟ ଓ ବ୍ୟୟସାପେକ୍ଷ ହେବ ।
ସରକାରୀ ତଥ୍ୟ ଯାହା ହେଉନା କାହିଁକି ଏବେ ମଧ୍ୟ ବହୁସଂଖ୍ୟକ ପ୍ରାଥମିକ ବିଦ୍ୟାଳୟରେ ମୌଳିକ ଭିତ୍ତିଭୂମିର ଅଭାବ ରହିଛି । ସବୁଠାରୁ ବଡ଼ ଅଭାବ ହେଉଛି ଉପଯୁକ୍ତ ତାଲିମପ୍ରାପ୍ତ ଓ ଅଙ୍ଗୀକାରବଦ୍ଧ ଶିକ୍ଷକମାନଙ୍କର ଅଭାବ । ଶିକ୍ଷା ଅଧିକାର ଆଇନରେ ବିଦ୍ୟାଳୟମାନଙ୍କ ପାଇଁ ଯେଉଁ ମାନ ସ୍ଥିର କରାଯାଇଛି ସେସବୁ ଏପର୍ଯ୍ୟନ୍ତ ହାସଲ କରାଯାଇ ପାରିନାହିଁ । ଆଦିବାସୀ ଅଞ୍ଚଳରେ ଜନବସତିର ଆକାର କମ୍ ହୋଇଥିବାରୁ ଅନେକ ପିଲାଙ୍କ ପାଇଁ ସ୍କୁଲରେ ପହଞ୍ଚିବା ଏବେ ମଧ୍ୟ ଦୁରୂହ ହୋଇ ରହିଛି । ଏହାସତ୍ତେ୍ୱ ସ୍କୁଲଗୁଡ଼ିକୁ ବନ୍ଦ କରିବାଦ୍ୱାରା ସେମାନଙ୍କର ଶିକ୍ଷା ପାଇବାର ସମ୍ଭାବନା ସୁଦୂର ପରାହତ ହୋଇପଡ଼ିଛି । ଜନସଂଖ୍ୟା ବୃଦ୍ଧିହାର କମିବା ସହ ସରକାରୀ ବିଦ୍ୟାଳୟର ଆବଶ୍ୟକତା ଆସନ୍ତା ବର୍ଷମାନଙ୍କରେ କମିବାର ସମ୍ଭାବନା ଅଛି ।
୨୦୧୪-୧୫ ଓ ୨୦୨୩ ୨୪ବର୍ଷ ମଧ୍ୟରେ ଦେଶରେ ୯୦ହଜାର ସରକାରୀ ସ୍କୁଲ ବନ୍ଦ ହୋଇଥିବାବେଳେ ଅଧିକ ୪୩ହଜାର ଘରୋଇ ବିଦ୍ୟାଳୟ ସ୍ଥାପନ କରାଯାଇଛି । ଏପରି ସମୟରେ ଅଳ୍ପ କେତୋଟି ସରକାରୀ ପ୍ରାଥମିକ ସ୍କୁଲକୁ ଆବଶ୍ୟକତାଠାରୁ ଅଧିକ ଗୁରୁତ୍ୱ ଦେବା ଅପ୍ରାସଙ୍ଗିକ ମନେହୁଏ । ଏହା ପରିବର୍ତ୍ତେ ଆଦର୍ଶ ଅନୁଷ୍ଠାନ ପାଇଁ ଥିବା ବ୍ୟୟ ଅଟକଳକୁ ସବୁ ପ୍ରାଥମିକ ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ବୃଦ୍ଧିପାଇଁ ଖର୍ଚ୍ଚ କରାଗଲେ ସବୁ ପିଲା ଉପକୃତ ହୁଅନ୍ତେ । ଏହାକୁ ହିଁ ରାଜନୀତିର ଦାର୍ଶନିକ ବେନ୍ଥାମ୍ କହିଥିଲେ- ସବୁଠାରୁ ବେଶୀ ଲୋକଙ୍କର ସବୁଠାରୁ ବେଶୀ କଲ୍ୟାଣ ।
ବହୁ ସମୟରେ ଦେଖାଯାଇଛି ନୂଆ ଓ ସୁନ୍ଦର କୋଠାବାଡ଼ି ନିର୍ମାଣକୁ ଶିକ୍ଷାକ୍ଷେତ୍ରରେ ବିକାଶର ନାମ ଦିଆଯାଇଛି । ଗତ କେତେବର୍ଷ ହେଲା ବିଭିନ୍ନ ନାମରେ ନୂଆ ସ୍କୁଲମାନ ପ୍ରତିଷ୍ଠା କରାଯାଇଛି ବା କିଛି ନିର୍ବାଚିତ ହାଇସ୍କୁଲରେ ଆଧୁନିକ ଶ୍ରେଣୀକକ୍ଷ, ଶୌଚାଳୟ ଇତ୍ୟାଦି ନିର୍ମାଣ କରାଯାଇଛି । କିନ୍ତୁ ଏହାଦ୍ୱାରା ଶିକ୍ଷାଦାନରେ ମାନର କି ପ୍ରକାର ପରିବର୍ତ୍ତନ ହୋଇଛି ସେ ସଂପର୍କରେ ଅନୁଧ୍ୟାନ କରାଯାଇନାହିଁ । ଉଚ୍ଚମାନର ଶିକ୍ଷା କହିଲେ ଚାକଚକ୍ୟଭରା ରଙ୍ଗବେରଙ୍ଗର ବିଦ୍ୟାଳୟ କୋଠାବାଡ଼ିକୁ ବୁଝାଏନାହିଁ । ସେହି ବିଦ୍ୟାଳୟରେ ଶୈକ୍ଷିକ ପରିବେଶର ଉନ୍ନତି ହୁଏ ଯେଉଁଠି ଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପାରସ୍ପରିକ ସ୍ନେହ ଓ ସମ୍ମାନ ଥାଏ, ଯେଉଁଠି ଶିକ୍ଷକ ନିଜକୁ ଜଣେ ସାଧାରଣ ବୃତ୍ତିଧାରୀ ବୋଲି ବିଚାର ନକରି ଶିକ୍ଷାକୁ ଏକ ବ୍ରତ ଭାବରେ ଗ୍ରହଣ କରନ୍ତି, ବିଦ୍ୟାଳୟ ପରିସର ମଧ୍ୟରେ ରହନ୍ତି ଏବଂ ଶିକ୍ଷାଦାନକୁ ନିର୍ଦ୍ଦିଷ୍ଟ ଘଣ୍ଟା କେତୋଟି ମଧ୍ୟରେ ବାନ୍ଧି ରଖନ୍ତିନାହିଁ । ସ୍ୱାଧୀନତା ପୂର୍ବରୁ ଓଡ଼ିଶାରେ ସ୍କୁଲ ଶିକ୍ଷା ଅଧିକାଂଶ ପିଲାଙ୍କ ପାଇଁ ଅପହଞ୍ଚ ହୋଇଥିଲା । ଗାଁ ଲୋକେ ନିଜ ଚେଷ୍ଟାରେ ଚାଟଶାଳୀ ବସାଉଥିଲେ ଏବଂ ତାହାରି ମାଧ୍ୟମରେ ପିଲାମାନେ ଅକ୍ଷର ଓ ଅଙ୍କ ଶିଖୁଥିଲେ ।
ସ୍ୱାଧୀନତା ପୂର୍ବରୁ ଓ ପରେ ସ୍ଥାନୀୟ ସାମୂହିକ ଉଦ୍ୟମରେ ଯେଉଁସବୁ ବିଦ୍ୟାଳୟ ଗଢ଼ାଗଲା ସେଗୁଡ଼ିକ ମଧ୍ୟରୁ ବେଶ୍ କେତୋଟି ଆଦର୍ଶ ସ୍ଥାନୀୟ ଅନୁଷ୍ଠାନରେ ପରିଣତ ହୋଇଥିଲା । କ୍ରମେ କିଛି ସରକାରୀ ବିଦ୍ୟାଳୟ ମଧ୍ୟ ଉଚ୍ଚମାନର ଶିକ୍ଷା ପାଇଁ ଅନେକ ଶିକ୍ଷାର୍ଥୀଙ୍କୁ ଆକର୍ଷିତ କରୁଥିଲେ । ଅନୁଷ୍ଠାନ ସଂଖ୍ୟା ଥିଲା ଅଳ୍ପ, କିନ୍ତୁ ଶିକ୍ଷାଦାନରେ ବିଦ୍ୟାଳୟଗୁଡ଼ିକ ଥିଲେ ଅପ୍ରତିଦ୍ୱନ୍ଦୀ । ସେହିସବୁ ବିଦ୍ୟାଳୟରେ ପଢ଼ି ଓଡ଼ିଶାର ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ଓ ବୃତ୍ତିଗୁଡ଼ିକରେ ନିଜର ଉଜ୍ୱଳ ସ୍ୱାକ୍ଷର ରଖିଯାଇଛନ୍ତି । ଆମ ସମୟରେ ଯେଉଁମାନଙ୍କ ସ୍ନେହ, ନିଷ୍ଠା ଓ ବିଶ୍ୱାସ ଆମକୁ ପ୍ରତିକ୍ଷଣ ପ୍ରଭାବିତ କରୁଥିଲା ସେମାନଙ୍କ ମଧ୍ୟରୁ ସର୍ବାଗ୍ରେ ଥିଲେ ଆମର ପ୍ରାତଃସ୍ମରଣୀୟ ଶିକ୍ଷକମାନେ ।
ମ୍ୟାନେଜମେଣ୍ଟର ଏକ ତତ୍ତ୍ୱ ଅନୁସାରେ, ନିଷ୍ପତ୍ତି ନେଉଥିବା ପରିଚାଳକ ବା ପ୍ରଶାସକମାନେ ଏପରି ପ୍ରକଳ୍ପ ନିର୍ମାଣ କରିବାକୁ ଚାହାଁନ୍ତି ଯେଉଁଗୁଡ଼ିକ ସାମଗ୍ରିକ ପରିସ୍ଥିତିର କ୍ଷତି କରିବ, କିନ୍ତୁ ତାଙ୍କ ନିଜର ଖ୍ୟାତି ବଢ଼ାଇବାରେ ସାହାଯ୍ୟ କରିବ । ଇତିହାସରେ ଅନେକ ସମୟରେ ଶାସକମାନଙ୍କ ଠାରୁ ଏପରି ବ୍ୟବହାର ଦେଖିବାକୁ ମିଳିଛି । ଅର୍ଥନୀତିଜ୍ଞମାନେ ମଧ୍ୟ ‘‘Resource Curse’ ବା ସମ୍ବଳର ଅଭିଶାପ ସଂପର୍କରେ ଆଲୋଚନା କରିଛନ୍ତି । ଏହି ତତ୍ତ୍ୱ ଅନୁସାରେ, ଯେତେବେଳେ ସମ୍ବଳର ବହୁଳତା ଥାଏ ସେତେବେଳେ ଶାସକମାନେ ଏହାକୁ ସାଧାରଣ ଲୋକଙ୍କର ପ୍ରକୃତ ପ୍ରାଥମିକ ଆବଶ୍ୟକତାକୁ ପୂରଣ କରିବା ବଦଳରେ ନିଜର ଯଶବର୍ଦ୍ଧନ ପାଇଁ ଅନାବଶ୍ୟକ, ବ୍ୟୟବହୁଳ ଓ ଭବ୍ୟ ଭିତ୍ତିଭୂମିର ନିର୍ମାଣ କରନ୍ତି ଯାହାଦ୍ୱାରା ସାଧାରଣ ଲୋକ ଉପକୃତ ହୁଅନ୍ତିନାହିଁ । ଏ ପ୍ରକାର ନିର୍ମାଣରେ କେବଳ ଶାସକମାନଙ୍କର ଅହମିକା ହିଁ ପ୍ରତିଫଳିତ ହୁଏ । ଏହାଦ୍ୱାରା ନିର୍ମାଣ ହୋଇସାରିଥିବା ପ୍ରକଳ୍ପଗୁଡ଼ିକର ରକ୍ଷଣାବେକ୍ଷଣ ପ୍ରତି ଯେତିକି ଦୃଷ୍ଟି ଦେବା କଥା ତାହା ହୋଇପାରେ ନାହିଁ । ଯାହା ଆଖିକୁ ଦେଖାଯାଏ ନାହିଁ ସେଗୁଡ଼ିକ ପ୍ରାଥମିକ ଆବଶ୍ୟକତା ନୁହେଁ, ଏପରି ଏକ ଧାରଣା କ୍ରମେ ବଳବତ୍ତର ହୋଇଯାଏ । ଶିକ୍ଷା, ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା ଇତ୍ୟାଦି ବିଷୟଗୁଡିକ ପ୍ରତି ଧ୍ୟାନ କମିଯାଏ । ସାମାଜିକ ଚୁକ୍ତି ଯାହା ହେଉଛି ଗଣତନ୍ତ୍ରର ଭିତ୍ତିଭୂମି, ତାହା ହିଁ ଦୁର୍ବଳ ହୋଇଯାଏ ।
ଏବେ ଯେଉଁ ମହାନୁଭବଙ୍କ ନାମରେ ତଥାକଥିତ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ନାମକରଣ କରାଯାଉଛି, ସେ ନିଜେ ଥିଲେ ୧୯୦୯ରୁ ୧୯୧୧ ମଧ୍ୟରେ ଉତ୍କଳମଣି ଗୋପବନ୍ଧୁଙ୍କ ଦ୍ୱାରା ସ୍ଥାପିତ ସତ୍ୟବାଦୀ ବନବିଦ୍ୟାଳୟର ଜଣେ ଶିକ୍ଷକ, ଓଡ଼ିଶାର ଖୁବ୍ କମ୍ ସଂଖ୍ୟାର ଏମ୍.ଏ. ପଢ଼ିଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ । ବନବିଦ୍ୟାଳୟରେ ପିଲାମାନେ ରହିବା ଓ ପଢ଼ିବା ପାଇଁ କିଛି ଚାଳଘର ଥିଲା, କିନ୍ତୁ ବକୁଳ ବନର ଛାୟାଛନ୍ନ ପରିବେଶରେ ଖୋଲା ଆକାଶ ତଳେ ହିଁ ଅଧିକାଂଶ ସମୟରେ ପାଠପଢ଼ା ହେଉଥିଲା । କେବଳ ସେତିକି ନୁହେଁ, ସେ ସମୟରେ ସର୍ବୋଚ୍ଚ ବ୍ରିଟିଶ ଶାସକମାନଙ୍କଠାରୁ ଆରମ୍ଭକରି ଉତ୍କଳ ଗୌରବ ମଧୁସୂଦନ ଦାସ, ସାର୍ ଆଶୁତୋଷ ମୁଖାର୍ଜୀ, ଫକୀରମୋହନ ସେନାପତି ଓ ଆହୁରି ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସତ୍ୟବାଦୀ ବନବିଦ୍ୟାଳୟକୁ ପରିଦର୍ଶନରେ ଆସି ସେଠାରେ ଚାଲିଥିବା ଶିକ୍ଷା ଓ ଚରିତ୍ର ଗଠନ, ଦେଶପ୍ରେମ ଓ ସମାଜ ସଚେତନତା ଇତ୍ୟାଦିକୁ ମୁକ୍ତକଣ୍ଠରେ ପ୍ରଶଂସା କରିଥିଲେ । ଏସବୁ ବିଷୟରେ ସ୍ୱୟଂ ମହାତ୍ମା ଗାନ୍ଧୀ ୧୯୨୧ ମସିହାରେ ନବଜୀବନ ପତ୍ରିକାରେ ଉଲ୍ଲେଖ କରିଥିଲେ । ଆମର ଲୋକପ୍ରିୟ ସରକାର କେବେ ଚିନ୍ତା କରିଛନ୍ତି କି, ତାଙ୍କ ନାମରେ ଯେଉଁ ତଥାକଥିତ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗଢ଼ାଯିବ ତାହାକୁ ପଣ୍ଡିତ ଗୋଦାବରୀଶ ଓ ସତ୍ୟବାଦୀର ତାଙ୍କ ସହକର୍ମୀମାନେ କିପରି ଦେଖିଥାଆନ୍ତେ । ଆଜିର ଚାକଚକ୍ୟଭରା କିନ୍ତୁ ଅନ୍ତଃସାରଶୂନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ସେମାନଙ୍କ ଅନୁମୋଦନ ପାଇଥାନ୍ତା କି?