ଢେଙ୍କାନାଳ,୩୦/୧୧: ଜମି ବିବାଦରୁ ଜଣେ ଅତିରିକ୍ତ ଏସ୍ପିଙ୍କ ପରିବାରକୁ ଗାଁରେ ଦୀର୍ଘ ୧୧ ମାସ ହେଲା ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଉଖମା ଉପରସାହିରେ ଏ ଘଟଣା ସାମ୍ନାକୁ ଆସିଛି । ସାହିର ନିରଞ୍ଜନ ବେହେରା ଭୁବନେଶ୍ୱର କ୍ରାଇମ୍ବ୍ରାଞ୍ଚରେ ଡିଏସ୍ପି ଭାବେ କାର୍ଯ୍ୟ କରୁଥିବା ବେଳେ ନିକଟରେ ବାଲେଶ୍ୱର ଅତିରିକ୍ତ ଏସ୍ପି ଭାବେ ପଦୋନ୍ନତି ପାଇଛନ୍ତି । ତାଙ୍କ ପରିବାରକୁ ଗ୍ରାମବାସୀ ବାସନ୍ଦ କରିଥିବା ଓ ରାଜିନାମା ପରେ ବି ବାସନ୍ଦ ହଟାଉ ନ ଥିବା ଅତିରିକ୍ତ ଏସ୍ପି ଶ୍ରୀ ବେହେରା ସମେତ ପରିବାର ଲୋକ ଶୁକ୍ରବାର ଜିଲ୍ଲାପାଳଙ୍କୁ ଭେଟି ଫେରାଦ୍ ହୋଇଛନ୍ତି । ଅନ୍ୟପକ୍ଷରେ, ଦୁଇ ଦିନ ତଳେ ପୁଅ ପୁଲିସ୍ ବୋଲି ତାଙ୍କ ପରିବାର ଲୋକ ହଇରାଣ ହରକତ କରୁଥିବା ଅଭିଯୋଗ ଆଣି ଗ୍ରାମବାସୀ ଏସ୍ପିଙ୍କୁ ଭେଟି ସୁରକ୍ଷା ଲୋଡ଼ିଥିଲେ ।
ଅଭିଯୋଗ ଅନୁଯାୟୀ, ସରକାରୀ ଜାଗା ଜବରଦଖଲ କରି ଶ୍ରୀ ବେହେରାଙ୍କ ପରିବାର ଘର କରିଥିବା ଗ୍ରାମ୍ୟ କମିଟି ଅଭିଯୋଗ କରିଥିଲେ । ଘରଭାଙ୍ଗି ଜାଗା ଛାଡ଼ିବାକୁ କହିଥିଲେ । ତହସିଲ ପକ୍ଷରୁ ମାପ କରାଯିବା ସହ ଜବରଦଖଲ ହୋଇ ନ ଥିବା ଦେଖାଯାଇଥିଲା। ଏହା ପରେ ବି ବିବାଦ ବଢ଼ିଥିଲା । ଯାହାକୁ ନେଇ ତାଙ୍କ ପରିବାରକୁ ଗତ ଜାନୁଆରୀ ୩୦ରେ ବାସନ୍ଦ କରାଯାଇଥିଲା। ପରିବାର ଲୋକଙ୍କ ସହ ଗ୍ରାମବାସୀ କେହି ମିଳାମିଶା କଲେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ଧାର୍ଯ୍ୟ କରିଥିଲେ । ଏନେଇ ଅତିରିକ୍ତ ଏସ୍ପିଙ୍କ ଭାଇ ସୁରେଶ କୁମାର ବେହେରା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ୍ ଫେବ୍ରୁଆରୀ ୨ ତାରିଖରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା କରି ପରିବାରକୁ ବାସନ୍ଦ ନ କରିବା ଓ ଜମିର ସୀମାଙ୍କନ କରିବାକୁ ଲିଖିତ ରାଜିନାମା କରାଯାଇଥିଲା । ମାତ୍ର ବାସନ୍ଦ ହଟାଯାଇ ନ ଥିବା ବେଳେ ପୁଣି ବଚସା ଲାଗି ଥାନାରେ ମାମଲା ହୋଇଥିଲା ।
ମାର୍ଚ୍ଚ ୧୧ରେ ଆଉଥରେ ରାଜିନାମା କରାଯାଇ ସାମାଜିକ ବାସନ୍ଦ କରାଯିବ ନାହିଁ ଓ ସୀମାଙ୍କନକୁ ଉଭୟ ପକ୍ଷ ସହଯୋଗ କରିବେ ବୋଲି ସହମତି ପ୍ରକାଶ କରିଥିଲେ । ଏହା ସତ୍ତେ୍ୱ ମଧ୍ୟ ପରିବାରକୁ ବାସନ୍ଦ କରି ରଖାଯାଇଥିବା ଶ୍ରୀ ବେହେରା ଅଭିଯୋଗ କରିଛନ୍ତି । ଶ୍ରୀ ବେହେରାଙ୍କ ସହ ପରିବାର ଲୋକେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିବା ବେଳେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳଙ୍କୁ ଭେଟି ଏ ନେଇ ଅବଗତ କରିଛନ୍ତି । ଏ ଦିଗରେ ପଦକ୍ଷେପ ନେଇ ନ୍ୟାୟ ପ୍ରଦାନ କରିବାକୁ ନିବେଦନ କରିଛନ୍ତି । ଜମି ବିବାଦ ଓ ସାମାଜିକ ବାସନ୍ଦ ଅଭିଯୋଗ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଉପଜିଲ୍ଲାପାଳ ବିବୁଧ ଗଡ଼ନାୟକ ପ୍ରକାଶ କରିଛନ୍ତି ।