ଭୁବନେଶ୍ୱର,୨୭ା୧(ବ୍ୟୁରୋ): ମହୁ, ହରିଡ଼ା, ବାହାଡ଼ା, ଅଁଳା, ଶୋରିଷ, ଲାଖ, ରାଶି ଭଳି ଜଙ୍ଗଲଜାତୟ ଦ୍ରବ୍ୟ । ପୁଣି ଡୋକ୍ରାର ଭଳିକି ଭଳି ଘରକରଣା ଜିନିଷ । ତା' ସାଙ୍ଗକୁ ପଥରର ଅନେକ କାରୁକାର୍ଯ୍ୟ ଆଉ ମୂର୍ତ୍ତି । ଆଦିବାସୀ ମେଳାରେ ଏସବୁ ସାମଗ୍ରୀ ଯେତେ ଦେଖିଲେ ବି ମୋହ ତୁଟୁନି । ଇଚ୍ଛା ହେଉନି ଛାଡ଼ି ଆସିବାକୁ ।
କେବଳ ସେତିକି ନୁହେଁ, ଜନଜାତିଙ୍କ ଘରସଜା ବି ନଜର ଟାଣୁଛି । ଏହାସହିତ ଆଦିବାସୀଙ୍କ ନୃତ୍ୟ ଆଉ ଜୀବନଶୈଳୀ ବି ଆକର୍ଷିତ କରୁଛି ।
ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ମେଳାକୁ ଉଦ୍ଘାଟନ କରିବା ପରେ ଏବେ ରାଜଧାନୀବାସୀ ପ୍ରଦର୍ଶନୀ ପଡ଼ିଆମୁହାଁ । ୧୫ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଆରମ୍ଭରୁ ଭିଡ଼ ଜମିଲାଣି ।
ମେଳାର ନୋଡାଲ ଅଫିସର ଡ. ଅଖିଳ ବିହାରୀ ଓତା କହିଛନ୍ତି ଯେ ଚଳିତ ବର୍ଷ ମେଳାରେ ୧୮୦ଟି ଷ୍ଟଲ ନିର୍ମାଣ ହୋଇଛି । ଏହାକୁ ୭ଟି ଭାଗରେ ବିଭକ୍ତ କରାଯାଇଛି । ଏଥିରେ ଆଦିବାସୀଙ୍କ ଘର, ଆଦିବାସୀ ହାଟ, ସରକାରୀ ଷ୍ଟଲ, ଖାଦ୍ୟ ପ୍ରାଙ୍ଗଣ ସମେତ ସୁରକ୍ଷା ଓ ଡାକ୍ତରୀ ସେବା ଆଦି ବିଭାଗ ରହିଛି । ମେଳାର ମୁଖ୍ୟ ଆକର୍ଷଣ ଆଦିବାସୀ ଗ୍ରାମ ମଧ୍ୟରେ ୨୧ଟି ଆଇଟିଡିଏ ଏବଂ ୩ଟି ମାଇକ୍ରୋପ୍ରୋଜେକ୍ଟ ଦ୍ୱାରା ୨୪ଟି ଜନଜାତିଙ୍କ ଘର ସହ ଗୃହ ଉପକରଣ, ଚଳଣି ଓ ପରମ୍ପରାର ଝଲକ ଦେଖିବାକୁ ମିଳୁଛି । ଆଦିବାସୀ ହାଟରେ ଜଙ୍ଗଲଜାତ ଦ୍ରବ୍ୟର ବିକ୍ରିବଟା ପାଇଁ ୩୪ଟି ପିଣ୍ଡି ରହିଛି । ଲୋକଙ୍କ ସୁରକ୍ଷା ପାଇଁ ଚଳିତ ବର୍ଷ ମେଳା ପରିସରରେ ୬୦ଟି ସିସିଟିଭି ଲଗାଯାଇଛି ।
ସେହିପରି ମେଳାରେ ପ୍ରଥମ କରି ଜାତୀୟ ଆଦିବାସୀ ନୃତ୍ୟ ମହୋତ୍ସବ ଆୟୋଜିତ ହୋଇଛି । ଆସନ୍ତା ୩୧ରୁ ଫେବ୍ରୁଆରୀ ୨ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଦର୍ଶକ ସନ୍ଧ୍ୟା ୬ରୁ ରାତି ୯ଟା ପର୍ଯ୍ୟନ୍ତ ଏହାକୁ ଉପଭୋଗ କରିପାରିବେ । ଏଥିରେ ଦେଶର ୧୦ଟି ରାଜ୍ୟର ଖ୍ୟାତନାମା ଆଦିବାସୀ କଳାକାରମାନେ ସେମାନଙ୍କ ନୃତ୍ୟ ପ୍ରଦର୍ଶନ କରିବେ । ଆଦିବାସୀ ମେଳା ପରିସରରେ ଥିବା ସାଂସ୍କୃତିକ ମଣ୍ଡପରେ ଏହି ଜାତୀୟ ନୃତ୍ୟ ମହୋତ୍ସବ ଅନୁଷ୍ଠିତ ହେବ । ଜାତୀୟ ଆଦିବାସୀ ନୃତ୍ୟ କ୍ଲବ୍ରେ ନାଗାଲାଣ୍ଡ, ମଣିପୁର, ଆସାମ, ମହାରାଷ୍ଟ୍ର, ହିମାଚଳ, ଗୁଜରାଟ, ଛତିଶଗଡ଼, ସିକିମ, ତ୍ରିପୁରା ଓ ରାଜସ୍ଥାନର କଳାକାରମାନେ ଯୋଗଦେବେ । ବିଭିନ୍ନ ରାଜ୍ୟର କଳାକାରମାନେ ସେମାନଙ୍କ ନୃତ୍ୟ ପ୍ରଦର୍ଶନ କରିବେ ।
ଏହାସହିତ ପ୍ରତିଦିନ ସାଂସ୍କୃତିକ ମଣ୍ଡପରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସୁଥିବା ଆଦିବାସୀ କଳାକାରମାନେ ସେମାନଙ୍କ ନୃତ୍ୟ ପ୍ରଦର୍ଶନ କରିବେ । ୩୦ ତାରିଖରେ ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସରେ କେବଳ ଭଜନ ସନ୍ଧ୍ୟାର ଆୟୋଜନ କରାଯିବ ।
ଏସବୁ ବ୍ୟତୀତ ସରକାର ଚଳିତ ବର୍ଷ ମେଳା ପରିସରକୁ ପଲିଥିନ୍ ନିଷେଧ ଘୋଷଣା କରିଛନ୍ତି । ମେଳାରେ ୧୬ଟି ଷ୍ଟଲ୍କୁ ନେଇ ଖୋଲିଥିବା ଖାଦ୍ୟ ପ୍ରାଙ୍ଗଣରେ ଏଥର ରାଜ୍ୟ ମିଲେଟ ମିଶନ ପକ୍ଷରୁ ଲୋକଙ୍କୁ ଯଅ ଓ ବାଜରା ଆଦି ଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ଯୋଗାଯିବ । ଏଥିସହିତ ବାରିପଦାର ମୁଢ଼ି ମାଂସ ଓ ନବରଙ୍ଗପୁରର କଟିଂ ବରା ବି ମିଳିବ ବୋଲି ଡ. ଓତା ସୂଚନା ଦେଇଛନ୍ତି ।

ଅଚଳାଚଳ ସମ୍ପତ୍ତିର ମାଲିକ ତେଲେଙ୍ଗାନାର ନୂଆ ମୁଖ୍ୟମନ...