ଭୁବନେଶ୍ୱର,୦୫/୦୧: ଝାଟିମାଟି, ବାଉଁଶରେ ବନ୍ଧା ଖପର ଘର । ଗୋବର ଲିପା ମାଟି କାନ୍ଥ । ତା’ଦେହରେ ଚିତ୍ରିତ ହୋଇଛି ପାରମ୍ପରିକ ଆଦିବାସୀ ଚିତ୍ରକଳା । ଖାଲି ଚିତ୍ରକଳା ନୁହେଁ, ଆଦିବାସୀଙ୍କ ଚାଲିଚଳଣୀ ଆଉ ଘରକରଣା ସାମଗ୍ରୀ ସହ ଶୋଭାପାଉଛି ପୂରା ଆଦିବାସୀ ପଲ୍ଲୀ । ରାଜଧାନୀର ୟୁନିଟ୍-୩ ଇଡ୍କୋ ପ୍ରଦର୍ଶନୀ ପଡ଼ିଆ ଏବେ ଆଦିବାସୀ ଗାଁ ଭଳି ଲାଗୁଛି । ଆଜିଠୁ ଆରମ୍ଭ ହେବ ଆଦିବାସୀ ମେଳା-୨୦୨୫ ପାଇଁ ଏମିତି ହୋଇଛି ସାଜସଜା ।

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ଏବଂ ସଂଖ୍ୟାାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ହେବାକୁ ଥିବା ଏହି ମେଳା ପାଇଁ ପ୍ରସ୍ତୁତି ଶେଷ ହୋଇଛି । ରାଜ୍ୟର ବିଭିନ୍ନ ଅଞ୍ଚଳର ଆଦିବାସୀମାନେ ଆସି ତିଆରି କରିଛନ୍ତି ସେମାନଙ୍କ ପାରମ୍ପରିକ ଘର । ନିଜ ଚାଲିଚଳଣୀ, ବେଶଭୁଷା ଓ ଖାଦ୍ୟପେୟ ପ୍ରଦର୍ଶନ କରିବା ପାଇଁ ସେମାନେ ଅପେକ୍ଷା କରି ରହିଛନ୍ତି । କିଏ ଅଗଣାକୁ ଗୋବରରେ ଚିକଣ କରି ଲିପିଛି ତ କିଏ କାନ୍ଥରେ ଆଙ୍କିଛି ପାରମ୍ପରିକ ଚିତ୍ର । କୋରାପୁଟରୁ ଆସିଥିବା ଆଦିବାସୀମାନେ ଗଦବା ଘର, କେନ୍ଦୁଝରର ଜୁଆଙ୍ଗ ମଣ୍ଡା ଘର, ସୁନାବେଡ଼ାର ଚୁକୁଟିଆ ଭୁଞ୍ଜିଆ ଘର, ନୀଳଗିରିର ଭୂମିଜ ଛପର ଘର, ଜୟପୁରର ପରଜା ଘର, ନବରଙ୍ଗପୁରର ଗଣ୍ଡା ଖପରା ଘର, ଚମ୍ପୁଆର କୋହ୍ଲ ଘର ଭଳି ୨୦ଟି ଜନଜାତିଙ୍କ ଘର ଆଦିବାସୀ ମେଳାରେ ପ୍ରଦର୍ଶିତ ହେବ । ଅନେକ ସମ୍ପ୍ରଦାୟ ଅଗଣା ସମ୍ମୁଖରେ କୁଳଦେବୀଙ୍କୁ ରଖିଥିବାବେଳେ ଅନେକ ଚାଷଜମି, କୂଅ, ଝରଣା, ଗୁହାଳ ଘର, ଅମାର, କୁକୁଡ଼ା ଭାଡ଼ି କରିଛନ୍ତି । ମେଳାରେ ଦର୍ଶକଙ୍କ ନଜର ଟାଣିବ ଆଦିବାସୀ ଗାଁ, ହାଟ, କଳା ଓ ହସ୍ତଶିଳ୍ପ ଗ୍ରାମ, ଭଗବାନ ବିର୍ସା ମୁଣ୍ଡା ମଣ୍ଡପ, ଜନଜାତି ଖାଦ୍ୟ ଫୁଡ୍ କୋର୍ଟ, ଲାଇଭ୍ ଡେମନ୍ଷ୍ଟ୍ରେସନ୍ ।

ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମେଳା ପ୍ରତିଦିନ ଅପରାହ୍ଣ ୨ଟା ୩୦ରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ । ପ୍ରତି ସନ୍ଧ୍ୟାରେ ମଞ୍ଚରେ ପରିବେଷଣ କରାଯିବ ଆଦିବାସୀ ନୃତ୍ୟ, ସଙ୍ଗୀତ । ଏଥିସହିତ ଭଗବାନ ବିର୍ସା ମୁଣ୍ଡାଙ୍କ ଜୀବନୀ ଆଧାରିତ ଲେଜର୍ ସୋ, ଓଡ଼ିଶାର ଜନଜାତି ସମ୍ପ୍ରଦାୟଭିତ୍ତିକ ଡ୍ରୋନ୍ ସୋ, ଓଡ଼ିଶାର ଜନଜାତି ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ପର୍ଯ୍ୟବେଶିତ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ, ଫ୍ୟାସନ୍ ସୋ ଆଦି ସ୍ଥାନ ପାଇବ ।
ଶିଖିବା ଆଦିବାସୀଙ୍କ ସାମଗ୍ରୀ ପ୍ରସ୍ତୁତି
ଚଳିତ ବର୍ଷ ଆଦିବାସୀ ମେଳାରେ ୧୪୭ଟି ଷ୍ଟଲରେ ଆଦିବାସୀ ସାମଗ୍ରୀ ବିକ୍ରିବଟା ହେବ । ଏଥିସହିତ କଳା ଓ ହସ୍ତଶିଳ୍ପ ଗ୍ରାମ ପାଇଁ ୪୦ଟି ଷ୍ଟଲ୍ କରାଯାଇଥିବା ବେଳେ ୧୫ ଟି ଷ୍ଟଲ୍ରେ ଲାଇଭ୍ ଡେମନ୍ଷ୍ଟ୍ରେସନ୍ ସୁବିଧା ରହିବ । ଯେଉଁଠାରେ ରାଜଧାନୀବାସୀ ବିଭିନ୍ନ ସାମଗ୍ରୀର ପ୍ରସ୍ତୁତି ପ୍ରଣାଳୀ ଶିଖିବାର ସୁଯୋଗ ପାଇବେ ।
ଚାଖିବା ପାରମ୍ପରିକ ଖାଦ୍ୟ
ମେଳାରେ ଖୋଲିବ ଜନଜାତି ଖାଦ୍ୟ ଫୁଡ୍ କୋର୍ଟ । ଯେଉଁଠାରେ ମିଳିବ ପାରମ୍ପରିକ ଆଦିବାସୀ ଖାଦ୍ୟ । ମେଳାରେ ବିଭିନ୍ନ ଆଦିବାସୀ ସମଗ୍ରୀ କିଣିବା ସହିତ ସେମାନେ ଖାଉଥିବା ପୁଷ୍ଟିକର ଖାଦ୍ୟର ସ୍ୱାଦକୁ ରାଜଧାନୀବାସୀ ଚାଖିବାର ସୁଯୋଗ ପାଇବେ ।