ମହେନ୍ଦ୍ରଗିରି,୧୧/୦୩: ଓଡିଶାର ଦ୍ବିତୀୟ ଉଚ୍ଚତମ ପର୍ବତ ତଥା ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିରେ ଚାଲିଛି ଦୁଃସାହସିକ କ୍ରୀଡ଼ା ପ୍ରଶିକ୍ଷଣ ଶିବିର । ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ପର୍ଯ୍ୟାୟ କ୍ରମେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୫ ଶହରୁ ଅଧିକ ପିଲା ସାମିଲ ହୋଇ ବିଭିନ୍ନ ପ୍ରକାର ଦୁଃସାହାସିକ କ୍ରୀଡା ସଂପର୍କରେ ତାଲିମ ନେଉଛନ୍ତି । ଶିବିରାର୍ଥୀ କେବଳ ଦୁଃସାହସିକ କ୍ରୀଡା ଶିକ୍ଷା ଗ୍ରହଣ କରୁଛନ୍ତି ତାହା ନୁହେଁ, ବରଂ ପିଲାଙ୍କୁ ଏଠାରେ ଜୀବନରେ କିଭଳି ଆଗକୁ ବଢିବାକୁ ହେବ ସେନେଇ ମଧ୍ୟ ପ୍ରସ୍ତୁତ କରାଯାଉଥିବା ଏହାକୁ ସଂଯୋଜନା କରୁଥିବା ଆଶା ସଂଗଠନର ସଂପାଦକ କହିଛନ୍ତି ।
ସେହିପରି ପ୍ରଶିକ୍ଷାର୍ଥୀମାନେ ଆୟୋଜନ ଏବଂ ପ୍ରଶିକ୍ଷଣକୁ ନେଇ ଖୁବ ଖୁସି ପ୍ରକାଶ କରିବା ସହ ଏହା ଭବିଷ୍ୟତ ପାଇଁ ବହୁ କାମରେ ଆସିବ ବୋଲି କହିଛନ୍ତି । ଏହି କ୍ରୀଡ଼ା ଶିବିରରେ ଗୋଟିଏ ପର୍ଯ୍ୟାୟରେ ୩ଟି ଜିଲ୍ଲାର ପ୍ରାୟ ଦେଢ ଶହ ଛାତ୍ରଛାତ୍ରୀ ଯୋଗଦେଇ ରକ କ୍ଲିଂମ୍ବିଂ, ରାପ୍ଲିଂ, ଜିପଲାଇନ୍,ଟ୍ରାକିଂ,କମାଣ୍ଡୋ ନେଟ୍, ଫ୍ରେଣ୍ଡସିପ ଲେଡର, ବର୍ମା ବ୍ରିଜ୍ ଆଦି ସଂପର୍କରେ ତାଲିମ ପ୍ରଦାନ କରାଯାଛି । ଏହା ସହ ସକାଳୁ ବ୍ୟାୟାମ,ଯୋଗ ସହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି । ଫେବୃୟାରୀ ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଶିବିର ମାର୍ଚ୍ଚ ଶେଷ ଯାଏଁ ଚାଲିବ ।
ଏନେଇ ଆଶା ସଂଗଠନର ସଂପାଦକ ତଥା ପ୍ରଥମ ଓଡିଆ ଏଭେଷ୍ଟର ପର୍ବତ ଆରୋହଣକାରୀ ଗଣେଶ ଜେନା କହିଛନ୍ତି, ଶିବିରାର୍ଥୀ କେବଳ ଦୁଃସାହସିକ କ୍ରୀଡା ଶିକ୍ଷା ପ୍ରଦାନ କରାଯାଉଛି ତାହା ନୁହେଁ, ବରଂ ପିଲାଙ୍କୁ ଜୀବନରେ କିଭଳି ଆଗକୁ ବଢିବାକୁ ହେବ ସେନେଇ ମଧ୍ୟ ପ୍ରସ୍ତୁତ କରାଯାଉଛି। ତେବେ ଏହି ଶିବିର ପ୍ରତିବର୍ଷ ଆୟୋଜିତ ହେଉଥିବା ବେଳେ ମହେନ୍ଦ୍ରଗିରି ଭଳି ଔଷଧୀୟ ବୃକ୍ଷରେ ଭରପୁର ତଥା ପୁରାଣ ପ୍ରସିଦ୍ଧ ସ୍ଥାନରେ ଏହା ଆଯୋଜନ ହେବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ । ଏଠାକାର ପରିବେଶ ଓ ଜଳବାୟୁ ଏହି ଶିବିର ପାଇଁ ଅତି ଉତ୍ତମ । ତେଣୁ ଏହି ଶିବିରକୁ ଖୁବ ଉପଭୋଗ କରୁଥିବା କହିଛନ୍ତି ଶିବିରାର୍ଥୀ । ଏହି ଶିବିରରେ ବିଭିନ୍ନ ପ୍ରକାରର ଦୁଃସାହସିକ କ୍ରୀଡା ସଂପର୍କରେ ତାଲିମ ପ୍ରଦାନ କରାଯାଉଛି । ଯାହା ଅତି ଶିକ୍ଷଣିୟ ।
ଆହୁରି ପଢନ୍ତୁ- 'ଓଡ଼ିଆ ଭାଷା ପ୍ରତି ଅବହେଳା ସହିବୁ ନାହିଁ', ନୂଆବର୍ଷରୁ ରାଜ୍ୟବ୍ୟାପୀ ଗର୍ଜିବ କଳାପତାକା ଅଭିଯାନ
କେବଳ ସେତିକି ନୁହେଁ, ଏଠାରେ ଯେଉଁ ଶିକ୍ଷା ପ୍ରଦାନ କରାଯାଉଛି ତାହା ଜଣେ ପିଲାଙ୍କୁ ଭବିଷ୍ୟତରେ କିଭଳି ଯେ କୌଣସି ସମସ୍ୟାର ସମ୍ମୁଖୀନ ହୋଇ ଏଥିରୁ ମୁକୁଳି ହେବ ସେ ଦିଗରେ ମଧ୍ୟ ସହାୟକ ହେବ ବୋଲି ଶିବିରାର୍ଥୀମାନେ କହିଛନ୍ତି । ମହେନ୍ଦ୍ରଗିରି ଭଳି ଏକ ସ୍ଥାନରେ ଏଭଳି ଶିବିର ଆୟୋଜନ କରାଯିବା ଶିବିରାର୍ଥୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । ତେଣୁ ପ୍ରତିବର୍ଷ ଏହା ହେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।