ଭୁବନେଶ୍ୱର, ୧୧।୩: ରାଜ୍ୟରେ ସଂଶୋଧିତ ଭାଷା ଆଇନ–୨୦୧୮ ଅକାମୀ ଅବସ୍ଥାରେ ରହିଛି । ଭାଷା ଆଇନ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟକାରୀ ହୋଇପାରୁନି । ଏହା ବିରୋଧରେ ସ୍ୱର ଉଠାଇବ ‘ଭାଷା ଆନ୍ଦୋଳନ ଓଡ଼ିଶା’ । ଏପ୍ରିଲ ୧୪ ଓଡ଼ିଆ ନୂଆ ବର୍ଷଠାରୁ ପୁଣି କଳାପତାକା ଆନ୍ଦୋଳନ ଅଭିଯାନ ଆରମ୍ଭ କରାଯିବ । କଳାପତାକା ଅଭିଯାନ ବିଧାନସଭା ସମ୍ମୁଖ ଭାଷା ଆଇନ ପ୍ରଣେତା ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିଠାରୁ ଲୋକ ଭବନ ସମ୍ମୁଖସ୍ଥ ଓଡ଼ିଶା ନିର୍ମାତା ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟା ପାଞ୍ଚ ଘଟିକା ବେଳେ ଆରମ୍ଭ ହେବ । ଏହି ଉପଲକ୍ଷେ ମଙ୍ଗଳବାର ‘ଉତ୍କଳ ସାମ୍ବାଦିକ ସଂଘ’ରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ଅଧ୍ୟକ୍ଷ ଇଂ ଚକ୍ରଧର ମହାନ୍ତ, ସଭାପତି ଜାନକୀଶ ବଡ଼ପଣ୍ଡା, ଆବାହକ ପବିତ୍ର ମହାରଥା, ଉପ ସଭାପତି ନବ କିଶୋର ପ୍ରଧାନ, ଉପ ସଭାପତି ସାଗର ଶତପଥୀ, ଉପ ସଭାପତି ସାରଦା ପ୍ରସାଦ ମହାପାତ୍ର, ଉତ୍କଳ ସାମ୍ବାଦିକ ସଂଘ ସଭାପତି ବିଭୁତି ଭୂଷଣ କର ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ବି ପଢ଼ନ୍ତୁ... ବିଦେଶରେ ଅନଲାଇନ MBBS ପଢ଼ୁଛନ୍ତି କି ? ସାବଧାନ ! ଭାରତରେ ମିଳିବନି ପ୍ରାକ୍ଟିସ୍ ଅନୁମତି

ସାମ୍ବାଦିକ ସମ୍ମିଳନୀରେ ମତପ୍ରକାଶ ପାଇଥିଲା ଯେ, ଭାଷା ଆନ୍ଦୋଳନ ଓଡ଼ିଶା ପକ୍ଷରୁ ୧୮ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବଙ୍କୁ ପ୍ରଦାନ କରାଯାଇଛି । ପୂର୍ବରୁ ୨୦୧୬ ଏପ୍ରିଲ ୧୩ ତାରିଖରୁ ୨୦୧୮ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ୮୭୮ ଦିନ କଳାପତାକା ଅଭିଯାନ ଚାଲିଥିଲା । ଏଥିରେ ବୁଦ୍ଧିଜୀବୀ, ରାଜନେତା, କଳାକାର, ଲେଖକ ଓ ଚିନ୍ତକମାନେ ଯୋଗଦେଇଥିଲେ । ଓଡ଼ିଆ ଭାଷା ଓ ଆନ୍ଦୋଳନ ଗମ୍ଭୀରତାକୁ ଅନୁଭବ କରି ତତ୍କାଳୀନ ସରକାର ବିଧାନସଭାରେ ‘ଭାଷା ଆଇନ-୧୯୫୪’ ରେ ସଂଶୋଧନ କରିବାକୁ ବାଧ୍ୟ ହୋଇଥିଲେ । ତିନିଥର ସଂଶୋଧନ କଲାପରେ ସଂଶୋଧିତ ଭାଷା ଆଇନ–୨୦୧୮ (ଦ୍ୱିତୀୟ) ବିଧାନସଭାରେ ପାରିତ ହେବାପରେ ଏକମାତ୍ର ଓଡ଼ିଆ ଭାଷା ହିଁ ‘ରାଜ୍ୟ ସରକାରୀ ଭାଷା’ ଭାବେ ଆଇନଗତ ସ୍ୱୀକୃତି ପାଇଥିଲା ।

ତଦନୁଯାୟୀ ୨୦୧୯ ଅଗଷ୍ଟ ୧୭ ରେ ରାଜପତ୍ର ମାଧ୍ୟମରେ ନିୟ - ମାବଳୀ ପ୍ରକାଶ ପାଇଥିଲା । ସେହି ଦିନଠାରୁ ଓଡ଼ିଆ ଭାଷା ହିଁ ଏକମାତ୍ର ସରକାରୀ ଭାଷା ଓ ସରକାରୀ କର୍ମଚାରୀ ଏହାର ଖିଲାପ କଲେ ସେମାନଙ୍କ ବିରୋଧରେ ସରକାରୀ କର୍ମଚାରୀ ଦଣ୍ଡବିଧି-୧୯୬୨ ମୁତାବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବାର ଆଇନଗତ ଭାବେ କ୍ଷମତାପ୍ରାପ୍ତ ହେଲେ । ମାତ୍ର ଚଳିତ ସରକାର ୨୦୨୪ ଅଗଷ୍ଟ ୨୭ରେ ଅଧିସୂଚନାରେ ମାଧ୍ୟମରେ ସମସ୍ତ ସରକାରୀ କାର୍ଯ୍ୟ ଉଭୟ ଓଡ଼ିଆ ଓ ଇରାଜୀ ଭାଷାରେ ନିଷ୍ପାଦନ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଓଡ଼ିଆ ଭାଷାର ବିଲୋପ ପାଇଁ ସରକାର ଓ ପ୍ରଶାସନିକ ସ୍ତରରେ ନିଆଯାଇଥିବା ପଦକ୍ଷେପକୁ ସାମ୍ବାଦିକ ସମ୍ମିଳନୀରେ ତୀବ୍ର ବିରୋଧ କରାଯାଇଥିଲା । ୨୦୨୪ର ଏହି ଅଧିସୂଚନା ପ୍ରତ୍ୟାହାର କରାଯାଇ ଓଡ଼ିଆ ଭାଷାର ବାଧ୍ୟତାମୂଳକ ନିଷ୍ପାଦନା ପାଇଁ ଦୃଢ଼ ଦାବି କରାଯାଇଥିଲା ।