ଭୁବନେଶ୍ୱର,୧୨/୦୯: ଆଇଗିଣିଆର ଦଧିବାମନଦେବ ଦୁର୍ଗାପୂଜା କମିଟି ଏବର୍ଷ ଶାରଦୀୟ ପୂଜା ଆଡ଼ମ୍ବର ସହ ପାଳନ କରିବାକୁ ଯାଉଛି । ଏଥର ପୂଜାର ଆକର୍ଷଣ ହେବ ଲାଲକିଲ୍ଲା ତୋରଣ । ଦିଲ୍ଲୀର ଲାଲ କିଲାକୁ ଭୁବନେଶ୍ୱରିଆ ଅତି ନିକଟରୁ ଦେଖିବେ । ଲାଲକିଲ୍ଲା ତୋରଣର ଉଚ୍ଚତା ରହିବ ୭୦ଫୁଟ । କୋଲକୋତାରୁ ଆସିଥିବା ୩୦ଜଣ କାରିଗର ତୋରଣ ତିଆରିରେ ଲାଗିପଡ଼ିଛନ୍ତି । ବାରଙ୍ଗ, ଫୁଲପୋଖରୀ, ଗଡ଼ିସାହିର ୧୦ଜଣ କାରିଗର ୧୫ ଫୁଟ ଉଚ୍ଚର ମା’ଙ୍କ ମୂର୍ତ୍ତି ତିଆରି କରୁଛନ୍ତି । ଏଥର ମା’ ୪୦ କିଲୋ ରୁପା ଅଳଙ୍କାରରେ ସଜେଇ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେବେ ।
୩୬ବର୍ଷରେ ପାଦଥାପିଛି ଦଧିବାମନଦେବ ଦୁର୍ଗାପୂଜା କମିଟିର ପାର୍ବଣ ପୂଜା । ବିଧି ଅନୁସାରେ ୨୮ ତାରିଖ ରବିବାର ତୋପ ଷଷ୍ଠୀରୁ ଆରମ୍ଭ ହେବ ପୂଜା । ମହାସପ୍ତମୀ, ମହାଷ୍ଟମୀ, ମହାନବମୀର ଶୁଭ ଓ ମାହେନ୍ଦ୍ର ବେଳାରେ ମା’ଙ୍କ ପାଖରେ ପୂଜାକାର୍ଯ୍ୟ ଚାଲୁରହିବ । ମହାଷ୍ଟମୀରେ ଦିନ ଏବଂ ମହାନବମୀରେ ଉଭୟ ଦିନ ଓ ରାତିରେ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଉଛି । ପୂଜୋତ୍ସବ ଅବସରରେ ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୫୦ ଜଣ ସ୍ୱେଛାସେବୀ ନିୟୋଜିତ ହେବେ । ଚଳିତ ବର୍ଷ ଭସାଣି ପାଇଁ ଢେଙ୍କାନାଳରୁ ଓ ବାଣପୁରରୁ ବାଦ୍ୟ କଳାକାରମାନେ ଆସିବେ।
ପ୍ଲାଷ୍ଟିକ୍ ପଲିଥିନ୍ ବ୍ୟବହାରକୁ ନା
ଭକ୍ତଙ୍କୁ ଅନୁରୋଧ ନିଶ୍ଚୟ ଆମ କମିଟିର ପାର୍ବଣ ପୂଜାକୁ ଆସି ଦେଖିଯାଆନ୍ତୁ । ଆକର୍ଷଣୀୟ ତୋରଣ, ରଙ୍ଗବେରଙ୍ଗ ଆଲୋକ ସାଜସଜ୍ଜା ଦେଖିବା ସହ ମା’ଙ୍କ ଆଶୀର୍ବାଦ ନେଇଯାଆନ୍ତୁ । ଦୁର୍ଗତିନାଶିନୀଙ୍କ କୃପାରୁ ସମସ୍ତଙ୍କର କଲ୍ୟାଣ ହେଉ । ଚଳିତ ବର୍ଷ ସମସ୍ତଙ୍କୁ ଅନୁରୋଧ, ପୂଜାରେ ପ୍ଲାଷ୍ଟିକ୍ ପଲିଥିନ୍ ବ୍ୟବହାର କରନ୍ତୁ ନାହିଁ । ପରିବେଶକୁ ସ୍ୱଚ୍ଛ ରଖନ୍ତୁ ।
ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନିଅନ୍ତୁ
ମା’ଙ୍କ ଆଶୀର୍ବାଦରୁ ପ୍ରତି ବର୍ଷ ପୂଜାର ସମସ୍ତ କାର୍ଯ୍ୟ ବେଶ୍ ସୁରୁଖୁରୁରେ ହୋଇଯାଉଛି । ପୂର୍ବରୁ କେବଳ ଆମ ପୂଜା ଦେଖିବାକୁ ଆଖପାଖ ଅଞ୍ଚଳର ଲୋକମାନେ ଆସୁଥିଲେ । ମାତ୍ର ଏବେ ରାଜଧାନୀ ସମେତ ଏହାର ଆଖପାଖ ଅଞ୍ଚଳରୁ ଲୋକମାନେ ଆସି ମଜା ଉଠାଉଛନ୍ତି । ପ୍ରସାଦ ସେବନ କରନ୍ତୁ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ଆନନ୍ଦ ସାଉଁଣ୍ଟନ୍ତୁ ।