ନୂଆଦିଲ୍ଲୀ, ୨୮।୨: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ସୀମା ବିବାଦ ଏବେ ଏକ ଭୟଙ୍କର ଯୁଦ୍ଧର ରୂପ ନେଇଛି । ଗତକାଲି ବିଳମ୍ବିତ ରାତିରେ ଆଫଗାନିସ୍ତାନର ତାଲିବାନ ସରକାର ଏବଂ ତେହେରିକ-ଏ-ତାଲିବାନ ପାକିସ୍ତାନ (TTP) ପକ୍ଷରୁ ପାକିସ୍ତାନ ସେନା ଉପରେ ଏକ ବଡ଼ ଧରଣର ଆକ୍ରମଣ କରାଯାଇଛି । ଏହି ସାଂଘାତିକ ସଂଘର୍ଷରେ ପାକିସ୍ତାନର ପ୍ରାୟ ୪୦ରୁ ଅଧିକ ସୈନିକ ପ୍ରାଣ ହରାଇଥିବା ଦାବି କରାଯାଇଛି । ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁସାରେ, ପାକିସ୍ତାନ ସେନା ଦ୍ୱାରା ପକ୍ତିଆ ପ୍ରାନ୍ତରେ କରାଯାଇଥିବା ଏୟାରଷ୍ଟ୍ରାଇକ୍ର ଜବାବରେ ତାଲିବାନ ପକ୍ଷରୁ 'ସୁଇସାଇଡ୍ ଡ୍ରୋନ୍' ସାହାଯ୍ୟରେ ପାକିସ୍ତାନର ରାଜଧାନୀ ଇସଲାମାବାଦକୁ ଟାର୍ଗେଟ୍ କରାଯାଇଛି । ଇସଲାମାବାଦର ଫୈଜାବାଦ ସୈନ୍ୟ କ୍ୟାମ୍ପ, ନୌସେରା ସେନା ମୁଖ୍ୟାଳୟ ଏବଂ ଏବଟାବାଦର ସମ୍ବେଦନଶୀଳ ଅଞ୍ଚଳରେ ଧମାକା ହେବା ସହ ଭୟଙ୍କର ନିଆଁ ଲାଗିଯାଇଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସୈନିକଙ୍କ ଚିତ୍କାର ଶୁଣିବାକୁ ମିଳୁଛି ।

ଏହା ବି ପଢ଼ନ୍ତୁ... HPV ଟିକାକରଣ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ସର୍ଭାଇକାଲ କ୍ୟାନ୍ସର ମୁକାବିଲା ସାଜିବ ବରଦାନ

ବାଜୌର ଜିଲ୍ଲାରେ TTP ର ବଡ଼ ବିଜୟ ?

ପାକିସ୍ତାନର ଖୈବର ପାଖ୍ତୁନଖ୍ୱା ପ୍ରାନ୍ତର ବାଜୌର ଜିଲ୍ଲାରେ TTP ଆତଙ୍କବାଦୀମାନେ ଅନେକ ସେନା ପୋଷ୍ଟକୁ ନିଜ କବଜାକୁ ନେଇଥିବା ସୂଚନା ମିଳିଛି । ଶୁକ୍ରବାର ରାତିରେ ହୋଇଥିବା ଏହି ସରପ୍ରାଇଜ୍ ଆଟାକରେ ପାକିସ୍ତାନ ସେନାର ବହୁଳ କ୍ଷୟକ୍ଷତି ହୋଇଛି । ଗତ ଦୁଇ ଦିନ ମଧ୍ୟରେ ପ୍ରାୟ ୯୫ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିବା ତାଲିବାନ ପକ୍ଷରୁ ଦାବି କରାଯାଇଛି ।

ସାଉଦି ଆରବ ସହ ଆଲୋଚନା ଏବଂ ଶାନ୍ତି ପାଇଁ ଅପିଲ୍

ଏହି ଯୁଦ୍ଧ ପରିସ୍ଥିତି ମଧ୍ୟରେ ଆଫଗାନିସ୍ତାନ ବିଦେଶ ମନ୍ତ୍ରୀ ମୌଲବୀ ଅମୀର ଖାନ ମୁତ୍ତାକି ସାଉଦି ଆରବର ବିଦେଶ ମନ୍ତ୍ରୀ ପ୍ରିନ୍ସ ଫୈସଲ ବିନ୍ ଫରହାନଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଛନ୍ତି । ସାଉଦି ବିଦେଶ ମନ୍ତ୍ରୀ ଉଭୟ ପକ୍ଷକୁ ସଂଯମତା ରକ୍ଷା କରିବାକୁ ଏବଂ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି । ଆଫଗାନିସ୍ତାନ ପକ୍ଷରୁ କୁହାଯାଇଛି ଯେ, ସେମାନଙ୍କର ଏହି ପଦକ୍ଷେପ କେବଳ ଆତ୍ମରକ୍ଷା ପାଇଁ ଉଦ୍ଦିଷ୍ଟ ।

'ଅପରେସନ୍ ରେଡ୍ ଅଲ୍-ଜୁଲ୍ମ'

ତାଲିବାନ ପକ୍ଷରୁ ପାକିସ୍ତାନ ବିରୋଧରେ ଆରମ୍ଭ କରାଯାଇଥିବା ଏହି ସାମରିକ ଅଭିଯାନକୁ 'ରେଡ୍ ଅଲ୍-ଜୁଲ୍ମ' ନାଁ ଦିଆଯାଇଛି । ବର୍ତ୍ତମାନ ସୀମାରେ ଦୁଇ ଦେଶର ସେନା ମଧ୍ୟରେ ଗୁଳି ବିନିମୟ ଜାରି ରହିଛି, ଯାହା ଏକ ପୂର୍ଣ୍ଣକାଳୀନ ଯୁଦ୍ଧ ଆଡ଼କୁ ଗତି କରୁଛି ।