ନୂଆଦିଲ୍ଲୀ, ୫/୯ : ବାରମ୍ଵାର ଭୂକମ୍ପ ଝଟ୍କାରେ ଥରୁଛି ଆଫଗାନ ମାଟି। ଶୁକ୍ରବାର ଆଫଗାନିସ୍ତାନରେ ତୃତୀୟ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି। ପୂର୍ବ ଆଫଗାନିସ୍ତାନରେ ପୁଣି ଥରେ ଝଟ୍କା ଲାଗିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୮ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳ ଜଲାଲାବାଦ ଠାରୁ ୪୧ କିଲୋମିଟର ଦୂର ଉତ୍ତର ପୂର୍ବରେ ରହିଛି। ପୁଣି ଥରେ ଝଟ୍କା ଲାଗିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି। ଆଜି କେହି ମୃତାହତ ହୋଇନଥିବା ସୂଚନା ମିଳିଛି।
ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ ମୃତ୍ୟୁ ତାଣ୍ଡବ ରଚିଛି। ଗତ ରବିବାର ହୋଇଥିବା ୬.୨ ତୀବ୍ରତାର ଭୂକମ୍ପରେ ଆଫଗାନିସ୍ତାନ ଦୋହଲିଯାଇଛି। ଧନ-ଜୀବନ ସବୁ ଛାରଖାର ହୋଇଯାଇଛି। ଏଯାବତ୍ ୨୨୦୦ ଲୋକଙ୍କ ଜୀବନ ଯାଇଥିବା ବେଳେ ୩୬୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବହୁ ଲୋକ ନିଖୋଜ ଅଛନ୍ତି। ହଜାର ହଜାର ଲୋକ ବାସହରା ହୋଇଛନ୍ତି। ଭୂକମ୍ପ ପ୍ରଭାବିତ ଲୋକଙ୍କୁ ଏପର୍ଯ୍ୟନ୍ତ ଖାଦ୍ୟ ଓ ବାସଗୃହ ମିଳିପାରି ନାହିଁ। ତାଲିବାନ ପ୍ରଶାସନ ଜାତିସଙ୍ଘ ଠାରୁ ସାହାଯ୍ୟ ଲୋଡିଛି। ଏହି ଭୂକମ୍ପରେ ୮୪୦୦୦ ଲୋକ ପ୍ରଭାବିତ ହୋଇଛନ୍ତି। ସୂଚନା ଥାଉକି, ଆଫଗାନିସ୍ତାନର ହିନ୍ଦୁକୁଶ ଭୂକମ୍ପ ପ୍ରଭାବିତ ଅଞ୍ଚଳ।
ଏହି ବିନାଶକାରୀ ଭୂକମ୍ପରେ କୁନର ଓ ନଙ୍ଗରହାର ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି । ଏଠାରେ ୬୭୦୦ରୁ ଅଧିକ ଘର ମାଟିରେ ମିଶି ଯାଇଛି। ରାସ୍ତାଘାଟ ବନ୍ଦ ହୋଇଯାଇଛି। ଯେଉଁଥିପାଇଁ ପ୍ରଭାବିତ ଅଞ୍ଚଳକୁ ସହାୟତା ସାମଗ୍ରୀ ପଠାଇବା କଠିନ ହେଉଛି।