ନୂଆଦିଲ୍ଲୀ, ୨୨।୭: ଆଫଗାନିସ୍ତାନର ପୂର୍ବ ନୂରିସ୍ତାନ ପ୍ରଦେଶରେ ସୃଷ୍ଟି ହୋଇଥିବା ଆକସ୍ମିକ ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଏହି ବିପତ୍ତିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଥିବା ବେଳେ ୧୬୦ରୁ ଉଦ୍ଧର୍ବ ଲୋକ ନିଖୋଜ ଅଛନ୍ତି । ଏହି ସଙ୍କଟଜନକ ସମୟରେ ପୁଣି ଥରେ ମାନବିକତାର ପରିଚୟ ଦେଇ ଭାରତ ଆଫଗାନିସ୍ତାନକୁ ବ୍ୟାପକ ରିଲିଫ ସାମଗ୍ରୀ ପଠାଇଛି । ଭାରତର ଏହି ସହାୟତା ପାଇଁ ତାଲିବାନ ସରକାର ଭାରତକୁ ଧନ୍ୟବାଦ ଜଣାଇଛନ୍ତି । ବନ୍ୟାରେ ଆଫଗାନିସ୍ତାନର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ନୂରିସ୍ତାନ ପ୍ରଦେଶ । ଆଫଗାନର ଏକ ଗଣମାଧ୍ୟମର ସୂଚନା ଅନୁଯାୟୀ, ପ୍ରଦେଶର ରାଜଧାନୀ ପାରୁନରେ ବନ୍ୟା ଯୋଗୁଁ ପାଖାପାଖି ୧୦୦ ଜଣଙ୍କ ମୃତ୍ୟୁ ହୋଇଛି, ୫୦୦ରୁ ଅଧିକ ଆହତ ହୋଇଛନ୍ତି । ୧୬୦ରୁ ଉର୍ଦ୍ଧ୍ୱ ଲୋକ ନିଖୋଜ ଅଛନ୍ତି ।

ପାରୁନର ମେୟର ସୈୟଦ ଅହମ୍ମଦ ଅରହବୀଙ୍କର ମଧ୍ୟ ଏହି ବିପର୍ଯ୍ୟୟରେ ମୃତ୍ୟୁ ଘଟିଛି, ଯାହାଫଳରେ ସ୍ଥାନୀୟ ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ଆହୁରି ବାଧାପ୍ରାପ୍ତ ହୋଇଛି । ସମ୍ପୂର୍ଣ୍ଣ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ଠପ୍ ହୋଇଯାଇଛି ଏବଂ ମଣ୍ଡୋଲ ଓ ଦୁଆ-ଆବ୍ ଭଳି ପାହାଡ଼ିଆ ଅଞ୍ଚଳକୁ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଛି । ବନ୍ୟା ବିପତ୍ତିରେ ଛଟପଟ ହେଉଥିବା ଆଫଗାନିସ୍ତାନ ପାଇଁ ଭାରତ ଜରୁରୀ ରିଲିଫ୍ ସାମଗ୍ରୀ ପଠାଇଛି । "ଏହି ରିଲିଫ ସାମଗ୍ରୀ ମଧ୍ୟରେ ଖାଦ୍ୟ ପଦାର୍ଥ ଓ ତମ୍ବୁ ରହିଛି, ଯାହାକୁ ଆଫଗାନିସ୍ତାନର ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣକୁ ହସ୍ତାନ୍ତର କରାଯାଇଛି । ଭାରତ ଏହି କଠିନ ସମୟରେ ଆଫଗାନିସ୍ତାନର ଜନସାଧାରଣଙ୍କ ସହ ଦୃଢ଼ ଭାବରେ ଛିଡ଼ା ହୋଇଛି ।" ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୈସୱାଲ କହିଛନ୍ତି ।

ଏହା ବି ପଢ଼ନ୍ତୁ... ​​​​​​​Flood: ବନ୍ୟା ବିତ୍ପାତ; ୨୪ ଘଣ୍ଟାରେ ୨୧ ମୃତ, ୫.୬୪ ଲକ୍ଷ ଲୋକ ପ୍ରଭାବିତ, ବୁଡ଼ିଗଲା ୮୭୨ ଗାଁ

ବନ୍ୟା ପ୍ରଭାବରେ ଆଫଗାନିସ୍ତାରେ ଅନେକ ଘର, ଦୋକାନ, ବଜାର, ରାସ୍ତା ଏବଂ ପୋଲ ମାଟି ଓ କାଦୁଅ ତଳେ ପୋତି ହୋଇଯାଇଛି । ଉଦ୍ଧାରକାରୀ ଦଳ ସାଧାରଣ ଉପକରଣ ସାହାଯ୍ୟରେ ଭଗ୍ନାବଶେଷ ତଳୁ ଲୋକଙ୍କୁ କାଢ଼ିବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ, ପାଣିପାଗ ବିଭାଗ ପକ୍ଷରୁ ଆଫଗାନିସ୍ତାନର ୩୪ଟି ପ୍ରଦେଶ ମଧ୍ୟରୁ ୧୦ଟି ପ୍ରଦେଶରେ ଆହୁରି ପ୍ରବଳ ବର୍ଷା ଓ ଆକସ୍ମିକ ବନ୍ୟାର ସୂଚନା ଜାରି କରାଯାଇଛି । ଆଫଗାନିସ୍ତାନକୁ ଏବେ ତୁରନ୍ତ ହେଲିକପ୍ଟର, ଡାକ୍ତରୀ ସାମଗ୍ରୀ, ବିଶୁଦ୍ଧ ପାନୀୟ ଜଳ ଏବଂ ଜରୁରୀ ଆଶ୍ରୟସ୍ଥଳୀର ଆବଶ୍ୟକତା ରହିଛି ।