ଦୁବାଇ,୧୦/୦୩: ଆୟୋଜକ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଆସନ୍ତା ୧୩ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ସୀମିତ ଓଭର କ୍ରିକେଟ୍ ସିରିଜ ସ୍ଥଗିତ ହେବାର ଆଶଙ୍କା ଦେଖା ଦେଇଛି । ଖୁବ୍ ଶୀଘ୍ର ଉଭୟ କ୍ରିକେଟ୍ ବୋର୍ଡ ଏ ବିଷୟରେ ଘୋଷଣା କରିବେ । ଆଫଗାନିସ୍ତାନ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜକୁ ୟୁଏଇରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା । ମାତ୍ର ବର୍ତ୍ତମାନ ମଧ୍ୟ ପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧକୁ ନେଇ ୟୁଏଇରେ ଖେଳିବା ସମ୍ଭବ ନୁହେଁ । ଏହି ସିରିଜ ପାଇଁ ଆଫଗାନିସ୍ତାନ ନୂଆ ଅଧିନାୟକ ଓ କୋଚ ନିଯୁକ୍ତ କରି ସାରିଥିଲା । ରସିଦ ଖାନଙ୍କ ସ୍ଥାନରେ ଇବ୍ରାହିମ ଜାଡ୍ରାନ ନୂଆ ଟି-ଟ୍ୱେଣ୍ଟି ଅଧିନାୟକ ନିଯୁକ୍ତ ହୋଇଥିଲେ । ସେହିପରି ରିଚାର୍ଡ ପାଇବସଙ୍କୁ କୋଚ ଭାବେ ନିଯୁକ୍ତି ମିଳିଥିଲା ।

ଖାଲି ସେତିକି ନୁହେଁ, ଯୁଦ୍ଧକୁ ନେଇ ଅନ୍ୟାନ୍ୟ ଦେଶକୁ ମଧ୍ୟ ବିମାନ ଯାତ୍ରା ବାତିଲ ହେଉଛି । ଆୟୋଜକ ନେପାଳ ସମେତ ଓମାନ ଓ ୟୁଏଇ ମଧ୍ୟରେ ଆଇସିସି କ୍ରିକେଟ୍ ବିଶ୍ୱକପ୍ ଲିଗ୍-୨ ଟୁର୍ଣ୍ଣାମେଣ୍ଟ ଖେଳାଯିବାର ଥିଲା । ମାତ୍ର ବିମାନ ଯାତ୍ରା ବନ୍ଦ ରହିଥିବାରୁ ଓମାନ ଓ ୟଏଇ ଦଳ ନେପାଳ ଆସିପାରି ନାହାନ୍ତି । ଫଳରେ ସିରିଜକୁ ସ୍ଥଗିତ ରଖାଯାଇଛି ।

ଅଧିକ ପଢ଼ନ୍ତୁ :- ମାଲେମାଲ ୱାର୍ଲ୍ଡକପ ଚାମ୍ପିଅନ ଭାରତ, ଆଇସିସି ପରେ ବିସିସିଆଇ ଘୋଷଣା କଲା ବମ୍ପର ପ୍ରାଇଜ୍ ମନି