ବିଜେପି ନେତାଙ୍କ ଆକ୍ରମଣର ଅଭିନବ ପ୍ରତିବାଦ: କାର୍ଯ୍ୟକ୍ରମକୁ ହେଲମେଟ୍ ପିନ୍ଧି ଯାଉଛନ୍ତି ସାମ୍ବାଦିକ

source:www.ndtv.com
ରାୟପୁର,୭ ।୨(ଏଜେନ୍ସି): ହାତରେ ବୁମ୍, କାନ୍ଧରେ କ୍ୟାମେରା ଓ ମୁଣ୍ଡରେ ହେଲମେଟ୍ । ଛତିଶଗଡରେ ବିଜେପି ନେତାଙ୍କ କାର୍ଯ୍ୟକ୍ରମରେ ଏଭଳି ବେଶରେ ଏବେ ଦେଖିବାକୁ ମିଳିଛି ସାମ୍ବାଦିକମାନଙ୍କୁ । ମୁଣ୍ଡରେ ହେଲମେଟ ଦେବାର କାରଣ ହେଉଛି ସେମାନଙ୍କ ପ୍ରତି ବିଜେପି ନେତାଙ୍କ ଆକ୍ରମଣ ଭୟ । ଗତ ସପ୍ତାହରେ ଜଣେ ସାମ୍ବାଦିକଙ୍କୁ କିଛି ବିଜେପି ନେତା ଆକ୍ରମଣ କରିବା ପରେ ଅନ୍ୟ ସାମ୍ବାଦିକମାନେ ଏଭଳି ଅଭିନବ ପ୍ରତିବାଦ ଜଣାଇଛନ୍ତି ।
ସୂଚନା ଅନୁସାରେ ଗତ ଶନିବାର ରାୟପୁରରେ ବିଜେପି ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ଏକ ସମ୍ମିଳନୀ ଚାଲିଥିଲା । ସେଥିରେ ଗତ ବିଧାନସଭା ନିର୍ବାଚନରେ ଦଳର ପରାଜୟ ନେଇ ସରଗରମ ଆଲୋଚନା ହୋଇଥିଲା । ସ୍ଥାନୀୟ ଡିଜିଟାଲ ନ୍ୟୁଜ ପୋର୍ଟାଲ ‘ଦି ଭଏସ୍’ର ସାମ୍ବାଦିକ ସୁମନ ପାଣ୍ଡେ ସେଠାକୁ ଖବର ସଂଗ୍ରହ ପାଇଁ ଯାଇଥିଲେ । ସେ ନିଜ ମୋବାଇଲ ଫୋନ୍ରେ କାର୍ଯ୍ୟକ୍ରମର ଭିଡିଓ ରେକର୍ଡିଂ କରୁଥିଲେ । ଆଲୋଚନା ଚାଲିଥିଲା ବେଳେ କୌଣସି ପ୍ରସଙ୍ଗକୁ ନେଇ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଗଣ୍ଡଗୋଳ ଓ ହାତାହାତି ଘଟିଲା । ସୁମନ ତାହାର ରେକର୍ଡିଂ କରିଥିଲେ । ଏକଥା ଦେଖିବା ପରେ ବିଜେପି ରାୟପୁର ଶାଖା ସଭାପତି ରାଜୀବ ଅଗ୍ରୱାଲ ଓ ତାଙ୍କର କିଛି ସହଯୋଗୀ ସୁମନଙ୍କୁ ସେହି ଗଣ୍ଡଗୋଳର ଭିଡିଓ ଡିଲିଟ କରିବାକୁ କହିଲେ । ମାତ୍ର ସେ ମନା କରିବାରୁ ସେମାନେ ତାଙ୍କୁ ମାଡ଼ ମାରିଥିଲେ । ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କଠାରୁ ମୋବାଇଲ ଫୋନ୍ ଛଡାଇ ନେଇ ସେହି ଭିଡିଓକୁ ଅଗ୍ରୱାଲ ଓ ତାଙ୍କ ସାଥୀମାନେ ଡିଲିଟ କରିଦେଇଥିଲେ ।
କେବଳ ଏତିକିରେ ସେମାନଙ୍କ ମନ ମାନିନଥିଲା । ସେମାନେ ସୁମନଙ୍କୁ ସଭା ଶେଷ ହେବା ପର୍ଯ୍ୟନ୍ତ ସେଠାରେ ବଳପୂର୍ବକ ବସାଇ ରଖିଥିଲେ । ସେଠାରୁ ଫେରିବା ପରେ ସୁମନ ଅନ୍ୟ ସାମ୍ବାଦିକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ସହ ଥାନାରେ ଅଭିଯୋଗ କରିଥିଲେ । ସାମ୍ବାଦିକମାନେ ଏକାଠି ହୋଇ ବିଜେପି କାର୍ଯ୍ୟାଳୟ ନିକଟରେ ଏଭଳି ଆକ୍ରମଣର ପ୍ରତିବାଦ କରିବା ସହ ଧାରଣା ଦେଇଥିଲେ । ଶେଷରେ ପୁଲିସ ପହଞ୍ଚି ସୁମନଙ୍କୁ ମାଡ ମାରିଥିବା ଅଭିଯୋଗରେ ଅଗ୍ରୱାଲ ଓ ତାଙ୍କର ଅନ୍ୟ ୩ ଜଣ ସହଯୋଗୀଙ୍କୁ ଗିରଫ କରିଥିଲା । ତେବେ ଅଗ୍ରୱାଲ କହିଛନ୍ତି ବୈଠକ ପରେ ସେମାନେ ସୁମନଙ୍କୁ ସେଠାରୁ ଚାଲିଯିବାକୁ କହିବା ସତ୍ତେ୍ୱ ସେ ଯାଇ ନଥିଲେ । ଗଣ୍ଡଗୋଳ ଭିଡିଓ ଡିଲିଟ କରିବାକୁ ମଧ୍ୟ ମନା କରିଥିଲେ ।