ଶ୍ରୀଲଙ୍କା ଓ ପାକିସ୍ତାନ ପରେ ବାଂଲାଦେଶରେ ସଙ୍କଟ: ଡଲାରର ସଙ୍କଟ ଯୋଗୁଁ ତୈଳ କିଣିବାରେ ସମସ୍ୟା, ଏବେ ଭାରତ କେବଳ ଭରସା

ନୂଆଦିଲ୍ଲୀ,୨୩।୫: ଭାରତର ପଡୋଶୀ ଦେଶରେ ସୃଷ୍ଟି ହୋଇଥିବା ହାହାକାର ଏବେ ବାଂଲାଦେଶ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଗତ ବର୍ଷ ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଓ ରାଜନୈତିକ ଅସ୍ଥିରତା କାରଣରୁ ସଡକ ଉପରେ ହିଂସା ଦେଖିବାକୁ ମିଳିଥିଲା ଆଜିକାଲି ପାକିସ୍ତାନରେ ଉପଦ୍ରବର ସ୍ଥିତି ରହିଛି। କେବଳ ଏତିକି ନୁହେଁ ଏହା ଭିତରେ ବାଂଲାଦେଶରେ ମଧ୍ୟ ଡଲାରର ସଙ୍କଟ ସୃଷ୍ଟି ହୋଇଛି ଓ ସେ ଅଶୋଧିତ ତୈଳ ଆମଦାନୀର ପେମେଣ୍ଟ ମଧ୍ୟ କରିପାରୁନାହିଁ। ରଏଟର୍ସର ରିପୋର୍ଟ ଅନୁସାରେ, ବାଂଲାଦେଶ ପେଟ୍ରୋଲିୟମ କର୍ପୋରେସନ୍ ଉପରେ ୩୦୦ ମିଲିୟନ ଡଲାର ଅର୍ଥ ବକେୟା ରହିଛି, ଯାହାକି ତାକୁ ତୈଳ କିଣିବା ବଦଳରେ ଦେଇଥାଏ। କିନ୍ତୁ ଡଲାରର ଅଭାବ କାରଣରୁ ପେମେଣ୍ଟ କରିବା କଷ୍ଟକର ଓ ନୂଆ ଆମଦାନୀ ମଧ୍ୟ କରି ପାରିବା ସମ୍ଭବ ହେବନି।
ସାରା ଦେଶରେ ବାଂଲାଦେଶ ପେଟ୍ରୋଲିୟମ୍ କର୍ପୋରେସନ୍ ଜରିଆରେ ତୈଳ ଯୋଗାଣ କରାଯାଇଥାଏ। ଏହା ଭିତରେ କମ୍ପାନୀ ସରକାରଙ୍କୁ ଗୁହାରୀ କରିଛି ଯେ, ଦେଶର ଆର୍ଥିକ ବ୍ୟାଙ୍କକୁ ଅନୁମତି ଦିଅନ୍ତୁ ଯେ, ସେମାନେ ଭାରତକୁ ବକେୟା ଟଙ୍କାରେ ପରିଶୋଧ କରୁ। ବାଂଲାଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଗତ ବର୍ଷ ତୁଳାନାରେ ଏକ ତୃତୀୟାଂଶ ହୋଇଛି। ଋଷ ପକ୍ଷରୁ ୟୁକ୍ରେନ୍ ଉପରେ ଆକ୍ରମଣ କରାଯିବା ପରେ ଏଥିରେ ହ୍ରାସ ହେବାରେ ଲାଗିଛି। ୧୭ ମେ’ ଅନୁସାରେ ବାଂଲାଦେଶ ପାଖରେ ମୋଟ ଡଲାର ରିଜର୍ଭ ୩୦.୨ ବିଲିୟନ ଡଲାର ହୋଇଛି।
ଅଶୋଧିତ ତୈଳ ପାଇଁ ସମ୍ପୂର୍ଣ୍ଣ ଭାବରେ ଆମଦାନୀ ଉପରେ ନିର୍ଭର ବାଂଲାଦେଶ ପାଇଁ ଏହି ସଙ୍କଟ ଖୁବ୍ ଅଧିକ। ତୈଳ ଅଭାବ କାରଣରୁ ପାଓ୍ବାର କଟ୍ ହେଉଛି ଓ ଏହାଦ୍ବାରା ଇଣ୍ଡଷ୍ଟ୍ରୀ ପ୍ରଭାବିତ ହୋଇଛି। ବାଂଲାଦେଶର ଅର୍ଥନୀତିର ମେରୁଦଣ୍ଡ ହେଉଛି କପଡା ଓ ଯୋତା ଉତ୍ପାଦନ, ଯାହାକି ସମ୍ପୂର୍ଣ୍ଣ ଭାବରେ ଏକ୍ସପୋର୍ଟ ଇଣ୍ଡଷ୍ଟ୍ରୀ ଅଟେ। ଯଦି ଏଥିରେ କାମ ପ୍ରଭାବିତ ହୁଏ ତେବେ ପୁଣିଥରେ ଅର୍ଥବ୍ୟବସ୍ଥାକୁ ସମ୍ଭାଳିବା ଖୁବ୍ କଷ୍ଟକର ହେବ ଓ ବେରୋଜଗାରୀର ସ୍ଥିତିରେ ରାଜନୈତିକ ସ୍ଥିରତା ମଧ୍ୟ ବିପଦରେ ରହିବ। ବାଂଲାଦେଶର ସରକାର ତୈଳ କମ୍ପାନୀର କହିବା ଅନୁସାରେ, ଡଲାରର ଅଭାବ କାରଣରୁ ପେମେଣ୍ଟ ହୋଇପାରୁନି। କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ଏହି ସମସ୍ୟାର ସମାଧାନ କରିପାରୁନି ଓ ଏହି କାରଣରୁ ଇନ୍ଧନର ଅଭାବ ସଙ୍କଟ ସୃଷ୍ଟି କରିପାରେ।