ବ୍ରହ୍ମପୁର, ୧୮/୦୩ : ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି ସାନଖେମୁଣ୍ଡି ବିଧାୟକ ରମେଶ ଜେନା । ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏବେ ଗଞ୍ଜାମ କଂଗ୍ରେସରେ ହଲଚଲ । ଦୀର୍ଘ ବର୍ଷ ଧରି ଗଞ୍ଜାମ ଜିଲ୍ଲା ରାଜନୀତିରେ ରମେଶ ଜେନାଙ୍କ ଦବ୍‌ଦବା ରହି ଆସିଛି । ସମିତି ସଭ୍ୟରୁ ରାଜନୈତିକ କ୍ୟାରିଅର୍‌ ଆରମ୍ଭ କରି ବ୍ଲକ୍‌ ଅଧ୍ୟକ୍ଷ, ୩ ଥର ବିଧାୟକ, ଜିଲ୍ଲା ସଭାପତି ହୋଇଥିବା ରମେଶ ଜେନା ଏବେ ଦଳ ଆକ୍ରୋଶରେ । ଜିଲ୍ଲାରେ ରମେଶଙ୍କ ପତିଆରା ରହିଛି । ବହୁ ଅଞ୍ଚଳରେ ତାଙ୍କ ପ୍ରତି ସମର୍ଥନ ରହିଛି । ଏହାସତ୍ତ୍ଵେ ରାଜନୈତିକ କ୍ଷେତ୍ରରେ ଆଗକୁ ବଢ଼ିବା ତାଙ୍କ ପାଇଁ ଆହ୍ୱାନ ହେବା ଆକଳନ କରାଯାଉଛି । କଂଗ୍ରେସରୁ ନିଲମ୍ବନ ପରେ ଦଳୀୟ କର୍ମୀ ଓ ନେତାଙ୍କ ପ୍ରତ୍ୟକ୍ଷ ସମର୍ଥନ ମିଳିବ ନାହିଁ । ପରୋକ୍ଷରେ ହୁଏତ ସେ ଦୀର୍ଘଦିନ ଧରି ତାଙ୍କ ସହ ରହି ଆସୁଥିବା ଦଳୀୟ ନେତା ଓ କର୍ମୀଙ୍କ ସମର୍ଥନ ପାଇବେ, ତେବେ ଏହା ତାଙ୍କ ରାଜନୈତିକ ସ୍ଥିତି ବଜାୟ ରଖିବାକୁ ଯଥେଷ୍ଟ ହେବନି । ତାଙ୍କ ଲୋକପ୍ରିୟତା ଅନସ୍ୱୀକାର୍ଯ୍ୟ, ଏହା ସତ୍ତ୍ଵେ ଭୋଟ୍‌ ବ୍ୟାଙ୍କ୍‌ ପାଇଁ କୌଣସି ପ୍ରମୁଖ ଦଳର ସମର୍ଥନ ଜରୁରୀ । ରମେଶ ସ୍ୱାଧୀନ ଭାବେ ସଂଗଠନକୁ ଆଗକୁ ନେବେ ନା ଆଉ କୋଉ ଦଳକୁ ଯିବେ ସେ ନେଇ ଚର୍ଚ୍ଚା ଜୋର ଧରିଛି । 

ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ କରି ବିଧାୟକ ଜେନା କଂଗ୍ରେସ ହାତ ଛାଡ଼ିବା ଭଳି ଉଦ୍ୟମ କରିଛନ୍ତି ଏବଂ ପ୍ରାରମ୍ଭିକ କାର୍ଯ୍ୟାନୁଷ୍ଠାନ ଭାବେ ସେ ନିଲମ୍ବିତ ହୋଇଛନ୍ତି । ଆଗକୁ କଂଗ୍ରେସ ଫେରିବା ତାଙ୍କ ପାଇଁ ସହଜ ହେବନି ବୋଲି କୁହାଯାଉଛି । ବିଜେଡି ସରକାର ସମୟରେ ଗିରଫ ହେବା ଏବଂ ଏକାଧିକ ମାମଲାରେ ଛନ୍ଦିହେବା ତାଙ୍କୁ ବିଜେଡି ବିମୁଖ କରିଛି । ସେଥିପାଇଁ ସେ ବିଜେଡିକୁ ସବୁବେଳେ ବିରୋଧ କରି ଆସୁଛନ୍ତି । ରାଜ୍ୟସଭା ନିର୍ବାଚନରେ ବି ସେ ବିଜେଡି ପ୍ରାର୍ଥୀଙ୍କୁ ବିରୋଧ କରି ଭୋଟ ଦେଇଛନ୍ତି । ମୋଟାମୋଟି ଭାବେ ସେ ବିଜେଡିକୁ ଯିବା କିମ୍ବା ବିଜେଡି ତାଙ୍କୁ ଗ୍ରହଣ କରିବା, ଉଭୟ ସମୀକରଣ ବିଗିଡ଼ି ଯାଇଛି । ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇ ସେ ସରକାରୀ ଦଳର ନିକଟତର ହୋଇପାରନ୍ତି । ସେପଟେ ବିଜେପିରେ ସାମିଲ ହେବା ନେଇ ବି ଚର୍ଚ୍ଚା ହେଉଛି । କିନ୍ତୁ ବିଜେପିରେ ସାମିଲ ହେବା, ଦଳୀୟ ଟିକଟ୍‌ ହାତେଇବା ଏବଂ ପୁରୁଣା ବିଜେପି ନେତାଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ଏତେଟା ସହଜ ହେବନି ବୋଲି ରାଜନୀତି ଜାଣିବା ଲୋକ ମତ ଦେଉଛନ୍ତି । 

ଜିଲ୍ଲାରେ ଏକମାତ୍ର ବିଧାନସଭା ଆସନରେ କଂଗ୍ରେସର ପ୍ରତିନିଧିତ୍ୱ କରୁଥିବା ବିଧାୟକ ତଥା ଅନ୍ୟତମ ସାଂଗଠନିକ ସଭାପତିଙ୍କ ନିଲମ୍ବନ ପରେ ଜିଲ୍ଲାରେ କଂଗ୍ରେସ ସଂଗଠନକୁ ଆଗକୁ ନେବା ଚ୍ୟାଲେଞ୍ଜ୍‌ ହୋଇଥିବାବେଳେ ନିଲମ୍ବନ ପରେ ରମେଶ ଜେନାଙ୍କ ପରବର୍ତ୍ତୀ ପଦକ୍ଷେପକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଉଛି । ଏ ପ୍ରସଙ୍ଗରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଦୀପକ କୁମାର ପଟ୍ଟନାୟକ କହିଛନ୍ତି ଯେ, ଦଳବିରୋଧୀ କାର୍ଯ୍ୟ ପାଇଁ ରମେଶଙ୍କ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ହୋଇଛି ତାହା ସ୍ୱାଗତଯୋଗ୍ୟ । ଦଳୀୟ ଟିକଟ୍‌ରେ ସେ ବିଧାୟକ ହୋଇଥିଲେ । ଦଳର ନିଷ୍ପତ୍ତିକୁ ଅବମାନନା କରିବା ଭୁଲ ପଦକ୍ଷେପ ବୋଲି ସେ ମତ ଦେଇଛନ୍ତି । ସେହିଭଳି ଭଞ୍ଜନଗର ଠାରେ ପ୍ରେସମିଟ୍‌ କରି ବିଧାୟକ ଜେନାଙ୍କ କ୍ରସ୍‌ ଭୋଟିଂକୁ ନିନ୍ଦା କରିଛନ୍ତି ପୂର୍ବତନ ବିଧାୟକ ପ୍ରାର୍ଥୀ ବି.ଦଣ୍ଡପାଣି ପାତ୍ର ଓ ପ୍ରଶାନ୍ତ କୁମାର ବିଷୋୟୀ । 
୨୦୦୭ରେ ସାନଖେମୁଣ୍ଡି ବ୍ଲକ୍‌ କଙ୍କୋରଡ଼ା ପଞ୍ଚାୟତ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ରମେଶ । କଂଗ୍ରେସ ସମର୍ଥନରେ ସେ ବ୍ଲକ୍‌ ଅଧ୍ୟକ୍ଷ ହୋଇଥିଲେ । ୨୦୦୯ରେ ସାନଖେମୁଣ୍ଡି ନୂଆ ନିର୍ବାଚନ ମଣ୍ଡଳୀ ଗଠନ ହୋଇଥିଲା । କଂଗ୍ରେସରୁ ରମେଶ ପ୍ରାର୍ଥୀ ହୋଇଥିବାବେଳେ ବିଜେଡି-ବାମପନ୍ଥୀ ମେଣ୍ଟରେ ଏଠାରେ ଏନ୍‌.ନାରାୟଣ ରେଡ୍ଡି ପ୍ରାର୍ଥୀ ହୋଇଥିଲେ । ରମେଶ ପ୍ରଥମ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିଲେ । ତେବେ ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ନନ୍ଦିନୀ ଦେବୀଙ୍କ ଠାରୁ ପରାସ୍ତ ହୋଇଥିଲେ । ୨୦୧୪ରେ ସେ କିଛି ମାମଲାରେ ଜଡ଼ିତ ଅଭିଯୋଗରେ ଜେଲ୍‌ ଯାଇଥିଲେ । ଦୁଇ ବର୍ଷ ପରେ ସେ ଜାମିନ ପାଇ ଜେଲ୍‌ରୁ ମୁକୁଳିବା ପରେ ଦଳ ତାଙ୍କୁ ଆପଣାଇଥିଲା । ୨୦୧୯ ଓ ୨୦୨୪ରେ ରମେଶ ଗଞ୍ଜାମ ଜିଲ୍ଲାରେ ଏକମାତ୍ର କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସାଂଗଠନିକ କ୍ଷେତ୍ରରେ ମଧ୍ୟ ରମେଶଙ୍କୁ ଗୁରୁ ଦାୟିତ୍ୱ ଦେଇଥିଲା ଦଳ । ଅବିଭକ୍ତ ଗଞ୍ଜାମ କଂଗ୍ରେସର ସଭାପତି ଭାବେ ସେ ୨୦୨୧ରୁ ୨୦୨୪ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ । ତେବେ ତାଙ୍କୁ ବ୍ରହ୍ମପୁର ପ୍ରବେଶ ମନା ହୋଇଥିବାରୁ ସମସ୍ତ ସାଂଗଠନିକ କାର୍ଯ୍ୟକ୍ରମ କୁକୁଡ଼ାଖଣ୍ଡି ବ୍ଲକ୍‌ ଏବଂ ଅନ୍ୟ ଅଞ୍ଚଳରେ କରୁଥିଲେ । ୨୦୨୩ରେ ଗଞ୍ଜାମ ଜିଲ୍ଲାକୁ ଦୁଇଟି ସାଂଗଠନିକ ଜିଲ୍ଲା କରିବା ସହ ଗଞ୍ଜାମ (ପୂର୍ବ) ସଭାପତି ଭାବେ ଦୀପକ ପଟ୍ଟନାୟକ ଏବଂ ଗଞ୍ଜାମ (ପଶ୍ଚିମ) ସଭାପତି ଭାବେ ଦେବକାନ୍ତ ଶର୍ମାଙ୍କୁ ଦାୟିତ୍ୱ ମିଳିଥିଲା । ସାଧାରଣ ନିର୍ବାଚନ ପରେ ଗଞ୍ଜାମ (ପୂର୍ବ) ସଭାପତି ଭାବେ ରଶ୍ମିରଞ୍ଜନ ପଟ୍ଟନାୟକ ଏବଂ ଗଞ୍ଜାମ (ପଶ୍ଚିମ) ସଭାପତି ଭାବେ ରମେଶ ଜେନାଙ୍କୁ ଦାୟିତ୍ୱ ମିଳିଛି । ରମେଶ ନିଲମ୍ବିତ ହେବା ପରେ ସାଂଗଠନିକ ଜିଲ୍ଲାରେ ତାଙ୍କ ଜାଗାରେ ବିକଳ୍ପ ଖୋଜା ହେବ ନିଶ୍ଚିତ ।

ଏହି ଖବରଟିକୁ ପଢନ୍ତୁ- ମୋକିମ୍‌-ସୋଫିଆ ଆଉଟ୍‌ ପରେ କଟକ କଂଗ୍ରେସ ଶିବିର ଦି'ଫାଳ, କାହାକୁ ବାଛିବେ ଦୋଛକିରେ ସମର୍ଥକ