ସମ୍ବଲପୁର, ୦୩/୦୬: ସମ୍ପର୍କୀୟଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଜେଲ୍ ଯାଇଛନ୍ତି ସମ୍ବଲପୁର ଜିଲ୍ଲା ବରେଇପାଲି ଥାନାର କନେଷ୍ଟବଳ(ଓଏପିଏଫ୍) ବିରଞ୍ଚି ମୁଣ୍ଡା । ଏ ମାମଲାକୁ ଆପଣ ଯେତେ ସରଳ ଭାବୁଛନ୍ତି ତାହା ସେତେ ସରଳ ନୁହେଁ । ଅଭିଯୋଗ ପରେ ମାମଲାକୁ ରଫାଦଫା କରିବାକୁ ପୁଲିସ୍ ଉଦ୍ୟମ କରି ଶେଷରେ ବିଫଳ ହୋଇଥିଲା । ତେଣୁ ବାଧ୍ୟ ହୋଇ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ଅଭିଯୋଗ କରିଛନ୍ତି ପୀଡ଼ିତଙ୍କ ପରିବାର ଲୋକ ।

ଏହି ଘଟଣାର କିଛି ମାସ ପୂର୍ବରୁ ଜମି ହେର୍‌ଫେର୍ ମାମଲାରେ ଟଙ୍କା ନେଇ ୨ଜଣ ପୁଲିସ୍ ଅଧିକାରୀ ନିଲମ୍ବିତ ହୋଇଥିଲେ। ତତ୍କାଳୀନ ସମ୍ବଲପୁର ଟାଉନ ଥାନା ଆଇଆଇସି ରଞ୍ଜନ ବିଶ୍ୱାଳ ଓ ଏସ୍‌ଆଇ ଅଭିଷେକ ପ୍ରଧାନଙ୍କୁ ପୁଲିସ୍ ମହାନିର୍ଦ୍ଦେଶକ ନିଲମ୍ବନ କରିଥିଲେ । ଘଟଣାର ମାତ୍ର କିଛି ଦିନ ପରେ ସାମାନ ଥାନା ମାଲଖାନ୍‌ରୁ ୨ ପେଟି ଜବତ କରୋକ୍ସ ଚୋରି ହୋଇଥିଲା । ସିସିଟିଭି ଦେଖିବା ପରେ ଏଥିରେ ଏଏସଆଇ ବିଦ୍ୟୁତ୍ ପଣ୍ଡାଙ୍କ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା । ଏନେଇ ସମ୍ବଲପୁର ଏସ୍‌ପି ତାଙ୍କୁ ନିଲମ୍ୱିତ କରିଥିଲେ। 

୩ଟି ଘଟଣାକୁ ଦେଖିଲେ ପୁଲିସ୍ ଭିତରେ ‘ଅପରାଧ ପ୍ରବଣତା’ ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଯେଉଁଠି ପୁଲିସ୍ ଆଇନଶୃଙ୍ଖଳା ରଖିବା କଥା ସେଠି ଅପରାଧ ଘଟାଉଛି। ଯେଉଁଠି ଫସଲ ବାଡ଼ ଖାଇବ ସେଠି ଦୋଷ ଦେବା କାହାକୁ ?

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ ହୋଇଥିଲେ ମଧ୍ୟ ଅନ୍ୟ ୨ଟି ମାମଲାରେ ଅଭିଯୁକ୍ତଙ୍କୁ କେବଳ ନିଲମ୍ବନ କରାଯାଇଛି । ଏନେଇ ତଦନ୍ତ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍ କହିଥିଲା। କିନ୍ତୁ ଘଟଣାକୁ ବହୁ ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ୩ଜଣଙ୍କୁ ଗିରଫ କରାଗଲା ନାହିଁ । ଚୋରି ମାମଲାରେ ତୁରନ୍ତ ଗିରଫ କରାଯାଉଥିଲେ ମଧ୍ୟ ଥାନାର ମାଲଖାନାରୁ ଚୋରି ଘଟଣାରେ ପୁଲିସ୍ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରିନାହିଁ । ଏମିତି କି, ତାଙ୍କୁ ଗିରଫ କରାଯିବାର କୌଣସି ସମ୍ଭାବନା ନଥିବା ଜଣାପଡ଼ୁଛି । ତେଣୁ ଏହାକୁ ନିଲମ୍ବନରେ ସୀମିତ ରଖି କେବଳ ଡରାଇବାକୁ ଏଭଳି ହୋଇଥିବା କୁହାଯାଉଛି । ଯାହାଫଳରେ ଅପରାଧିକ ମାମଲା କରିବାକୁ କେହି ଡରୁନଥିବା ଅଭିଯୋଗ ହୋଇଛି । ଏନେଇ ସମ୍ବଲପୁର ସଦର ଏସ୍‌ଡିପିଓ ତୋଫାନ ବାଗ୍ ଚିରାଚରିତ ଢଙ୍ଗରେ କହିଛନ୍ତି, ୩ ମାମଲାର ତଦନ୍ତ ଚାଲିଛି ।

ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଅପରାଧିକ ତାଲିକା ବଢ଼ିବାକୁ ନେଇ ପୂର୍ବତନ ପୁଲିସ୍ ଅଧିକାରୀ ଅମରେଶ ପଣ୍ଡା କହିଛନ୍ତି, ଏହା କେବଳ ମାନସିକତାର କଥା। ନିୟମିତ ଭାବେ ସରକାରୀ କର୍ମଚାରୀଙ୍କ ଭିତରେ ଅପରାଧିକ ମାମଲା ଦେଖିବାକୁ ମିଳୁଛି । ତେଣୁ ଏଠି କ’ଣ କରାଯିବ ? ଏବେ ସମସ୍ତେ ଟଙ୍କା ପଛରେ ଗୋଡ଼ାଉଛନ୍ତି । ଯେଉଁଠି ଜଣେ ଯନ୍ତ୍ରୀ ଅବସର ନେବା ଦିନ ହିଁ ଆୟବର୍ହିଭୁତ ଟଙ୍କା ଠୁଳ ମାମଲାରେ ଗିରଫ ହେଉଛନ୍ତି, ସେଠି ଆଉ କ’ଣ କରାଯାଇ ପାରିବ ? ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ଅର୍ଥ ଆଦାୟ ପାଇଁ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି । ସରକାର ଦରମା ବାବଦକୁ ଏତେ ଟଙ୍କା ଦେବା ପରେ ବି ଏଭଳି ହେବା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ । ଅପରାଧିକ ମନୋବୃତ୍ତି ରଖୁଥିବା ବ୍ୟକ୍ତିଙ୍କୁ କ’ଣ କରାଯିବ ବୋଲି ସେ କହିଛନ୍ତି ?