ଅଫଜଲ ଗୁରୁର ପୁଅ କହିଲେ: ଭାରତୀୟ ହୋଉଥିବାରୁ ଗର୍ବିତ ମନେକରୁଛି, ଆତଙ୍କବାଦୀ ହେବାରୁ ମା’ବଞ୍ଚାଇ ଦେଲେ

ନୂଆଦିଲ୍ଲୀ,୫।୩: ସଂସଦ ଆକ୍ରମଣ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ଦଣ୍ଡ ପାଇଥିବା ଅଫଜଲ ଗୁରୁର ପୁଅ ଗାଲିବ ଗୁରୁଙ୍କୁ ଏବେ ୧୮ ବର୍ଷ ହୋଇଯାଇଛି। ଏବେ ତାଙ୍କୁ ନିଜର ପରିଚୟ ପତ୍ର ଭାବରେ ଆଧାରକାର୍ଡ ମିଳିଛି। ଆଗକୁ ସେ ପାସପୋର୍ଟ ପାଇଁ ଆବେଦନ କରିବେ। ଏନେଇ ଗାଲିବ କହିଛନ୍ତି ମୁଁ ଭାରତୀୟ ହୋଇଥିବାରୁ ନିଜକୁ ବହୁତ ଗର୍ବିତ ମନେକରେ। ମୋ ବାପାଙ୍କୁ ଫାଶୀ ଦିଆଯିବା ପରେ ଅନେକ ଲୋକ ମୋତେ ପ୍ରତିଶୋଧ ନେବାକୁ ଉସୁକାଇଥିଲେ। ବ୍ରେନ ଓ୍ବାଶ କରି କଶ୍ମୀର ଘାଟିରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଭାରତ ବିରୋଧରେ ବ୍ୟବହାର କରିବାକୁ ଚାହୁଁଥିଲେ ମୁଁ ପୂର୍ବେ ହୋଇଥିବା ଭୁଲରୁ ବହୁତ କିଛି ଶିଖିଛି। ତେଣୁ ଆତଙ୍କବାଦୀଙ୍କ ଜାଲରେ ପଡିପାରିଲିନି। ଏସବୁ ପାଇଁ ମୁଁ ମୋ ମା’ଙ୍କୁ ଶ୍ରେୟ ଦେଉଛି। ସେ ମୋତେ ଆତଙ୍କବାଦୀ ହେବାରୁ ବଞ୍ଚାଇ ଦେଇଥିଲେ

ଉଲ୍ଳେଖନୀୟ ଯେ ଜମ୍ମୁ ଓ କଶ୍ମୀରରେ ରହୁଥିବା ଅଫଜଲ ଗୁରୁଙ୍କ ପୁଅ ଗାଲିବ ୧୦ମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଖୁବ୍ ଭଲ ନମ୍ବର ରଖି ପାସ୍ ହୋଇଛନ୍ତି। ଭବିଷ୍ୟତରେ ଡାକ୍ତର ହେବାର ଆଶା ରଖିଛନ୍ତି ଗାଲିବ। ତାଙ୍କର କହିବା ଅନୁସାରେ ୨୦୧୯ରେ ହେବାକୁ ଥିବା ମେଡିକାଲ ପ୍ରବେଶ ପରୀକ୍ଷା(ଏନ୍ଇଇଟି) ପାଇଁ ପ୍ରସ୍ତୁତି କରୁଛନ୍ତି। ଆଶା ରହିଛି ଯଦି ସେ ଏହି ପରୀକ୍ଷାରେ ଚୟନ ହୋଇଯିବେ। ଯଦି ଚୟନ ନହୁଅନ୍ତି ତେବେ ବିଦେଶ ଯାଇ ମେଡିକାଲ ପଢିବେ। ତୁର୍କୀର ଏକ କଲେଜରୁ ତାଙ୍କୁ ସ୍କଲାରସିପ୍ ମଧ୍ୟ ମିଳିପାରିବ। ବିଦେଶ ଯାଇ ମେଡିକାଲ ପଢିବା ପାଇଁ ତାଙ୍କୁ ବିଦେଶୀ ବିଶ୍ବବିଦ୍ୟାଳୟରୁ ଛାତ୍ରବୃତ୍ତି ପାଇବା ପାଇଁ ଭାରତୀୟ ପାସପୋର୍ଟର ଆବଶ୍ୟକତା ରହିଛି।