- ଜଳବାୟୁ-ସହନଶୀଳ ଅଭିବୃଦ୍ଧି ପାଇଁ ଏଗ୍ରି-ପିଭି (ଏଗ୍ରି-ଫୋଟୋଭୋଲ୍ଟାଇକ) କର୍ମଶାଳା - ଗ୍ରୀଡକୋ ଏବଂ
- ବସୁଧା ଫାଉଣ୍ଡେସନ ଦ୍ୱାରା ପ୍ରସ୍ତୁତ "ଏମପାୱାରିଙ୍ଗ ଫାର୍ମର୍ସ ଥ୍ରୋ ଏଗ୍ରି-ପିଭି" ରିପୋର୍ଟ ଉନ୍ମୋଚିତ
- ଦୀର୍ଘକାଳୀନ ଶକ୍ତି ଯୋଜନା ପାଇଁ ଓଡ଼ିଶା ରାଜ୍ୟ ଶକ୍ତି କାର୍ଯ୍ୟ ଯୋଜନା (OSEAP) ୱେବ୍ ପ୍ଲାଟଫର୍ମର ଶୁଭାରମ୍ଭ
- ଗଞ୍ଜାମ ଜିଲ୍ଲାର ସୋନପୁର ଏବଂ ଗୋପାଳପୁରରେ ଦୁଇଟି ୧୫୦ ମିଟର ପବନ ସମ୍ପଦ ଆକଳନ ମାଷ୍ଟ ଉଦଘାଟିତ
ଭୁବନେଶ୍ୱର, ୬।୬ : ଓଡ଼ିଶାରେ ଜଳବାୟୁ-ସହନଶୀଳ ଅଭିବୃଦ୍ଧି ପାଇଁ ଏଗ୍ରି-ପିଭି (ଏଗ୍ରି-ଫୋଟୋଭୋଲ୍ଟାଇକ) ର ସମ୍ପ୍ରସାରଣ ଶୀର୍ଷକ ଏକ ଉଚ୍ଚସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏଥିରେ ରାଜ୍ୟରେ କୃଷି ଓ ଶକ୍ତି କ୍ଷେତ୍ରର ମିଳିତ ଅଭିବୃଦ୍ଧି ବିଷୟରେ ଆଲୋଚନା କରାଯାଇଛି। ନୀତି ନିର୍ଦ୍ଧାରକ, ଶକ୍ତି ବିଶେଷଜ୍ଞ, ବିକାଶକାରୀ ଓ କୃଷି କ୍ଷେତ୍ରର ପ୍ରତିନିଧିମାନେ ଏଥିରେ ଯୋଗ ଦେଇଥିଲେ।
ଉପ-ମୁଖ୍ୟମନ୍ତ୍ରୀ ସିଂହଦେଓ କହିଛନ୍ତି ଯେ, ଏଗ୍ରି-ପିଭି (AgriPV) ଓଡ଼ିଶାର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟକୁ ଆଗକୁ ବଢ଼ାଇବା ସହ ଚାଷୀଙ୍କ ଆୟ ବୃଦ୍ଧି କରିପାରିବ। ଏହା ବିକଶିତ ଓଡ଼ିଶା ଅଧୀନରେ ଏକ ଜଳବାୟୁ-ସହନଶୀଳ ଏବଂ ଚାଷୀ-କୈନ୍ଦ୍ରିକ ମଡେଲ ସୃଷ୍ଟି କରିବ।
ଏହି ଅବସରରେ କେତେକ ପ୍ରମୁଖ ଯୋଜନାର ଶୁଭାରମ୍ଭ କରାଯାଇଛି। ଗ୍ରୀଡକୋ ଏବଂ ବସୁଧା ଫାଉଣ୍ଡେସନ ପକ୍ଷରୁ "ଏମପାୱାରିଙ୍ଗ ଫାର୍ମର୍ସ ଥ୍ରୋ ଏଗ୍ରି-ପିଭି" ରିପୋର୍ଟ ଉନ୍ମୋଚିତ କରାଯାଇଛି। ଦୀର୍ଘକାଳୀନ ଶକ୍ତି ଯୋଜନା ପାଇଁ ଓଡ଼ିଶା ରାଜ୍ୟ ଶକ୍ତି କାର୍ଯ୍ୟ ଯୋଜନା (OSEAP) ୱେବ୍ ପ୍ଲାଟଫର୍ମର ଶୁଭାରମ୍ଭ କରାଯାଇଛି। ଗଞ୍ଜାମର ସୋନପୁର ଓ ଗୋପାଳପୁରଠାରେ ଦୁଇଟି ୧୫୦ ମିଟର ପବନ ସମ୍ପଦ ଆକଳନ ମାଷ୍ଟର ଆରମ୍ଭ କରାଯାଇଛି। ଛଅଟି ସବ୍-ଷ୍ଟେସନରେ ୧୨୫ ମେଗାୱାଟ / ୫୦୦ ମେଗାୱାଟ-ଆୱାର ବିଶିଷ୍ଟ ବ୍ୟାଟେରୀ ଏନର୍ଜି ଷ୍ଟୋରେଜ (BESS) ପ୍ରକଳ୍ପ ପାଇଁ ବ୍ୟାଟେରୀ ଶକ୍ତି ସଂରକ୍ଷଣ କ୍ରୟ ଚୁକ୍ତି ସାମିଲ ରହିଛି।
ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ ପ୍ରକାଶ କରିଛନ୍ତି ଯେ, ଓଡ଼ିଶା ବଦଳୁଥିବା ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ଅକ୍ଷୟ ଶକ୍ତି, ସଂରକ୍ଷଣ ଏବଂ ତଥ୍ୟ-ଆଧାରିତ ଯୋଜନା ମାଧ୍ୟମରେ ଏନର୍ଜି ଟ୍ରାନଜିସନ ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ ଗ୍ରହଣ କରୁଛି। ଗ୍ରୀଡକୋର ପରିଚାଳନା ନିର୍ଦ୍ଦେଶକ ଡଃ ସତ୍ୟପ୍ରିୟ ରଥ ଯୋଗ କରିଛନ୍ତି ଯେ, ଆଧୁନିକ ଯୋଜନା ଏବଂ ସଂରକ୍ଷଣ ବ୍ୟବସ୍ଥା ସହ ଏଗ୍ରି-ପିଭିର ସମନ୍ୱୟ ଗ୍ରାମୀଣ ସମୁଦାୟ ପାଇଁ ସ୍ଥାୟୀ ଓ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ଆଣିଦେଇପାରିବ। ଓଡ଼ିଶାରେ ଏଗ୍ରି-ପିଭି (AgriPV) ର ବ୍ୟାପକ ପ୍ରସାର ପାଇଁ ନୀତି, ଆର୍ଥିକ ବ୍ୟବସ୍ଥା ଏବଂ କାର୍ଯ୍ୟାନ୍ୱୟନ କୌଶଳ ଉପରେ ବୈଷୟିକ ଆଲୋଚନା ହୋଇଥିଲା।
ଆହୁରି ପଢନ୍ତୁ : ଭୁବନେଶ୍ବରରେ କାଳବୈଶାଖୀ ତାଣ୍ଡବ : କୁଆପଥର ବର୍ଷା ସହ ପବନ, ଗଛ ପଡି ଗାଡି ଚୁରମାର