ଅହମଦାବାଦ: ଅହମଦାବାଦର ସର୍ଦ୍ଦାର ବହ୍ଲଭଭାଇ ପଟେଲ ଇଣ୍ଟରନେସନାଲ ଏୟାରପୋର୍ଟରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଛି। ଏହି ଦୁର୍ଘଟଣାପରେ ଦେଖୁଦେଖୁ ବିମାନରେ ଭୟଙ୍କର ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ମାତ୍ର କେଇ ସମୟ ଭିତରେ ସବୁକିଛି ଜଳିପୋଡି ଧ୍ୱଂସ ହୋଇଯାଇଥିଲା। ପୁରା ସହରରେ ଧୂଆଁର ଚାଦର ଛାଇଯାଇଥିଲା। 

ଅହମଦାବାଦ-ଲଣ୍ଡନ ଏୟାର ଇଣ୍ଡିଆର ଏହି ବିମାନରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସମେତ ଆହୁରି ୨୪୨ ଜଣ ଯାତ୍ରୀ ଏହି ବିମାନରେ ଯାତ୍ରା କରୁଥିଲେ। ଯେଉଁମାନଙ୍କ ମଧ୍ୟରେ ୧୬୯ ଭାରତୀୟ, ୫୩ ବ୍ରିଟିଶ, ୭ ପର୍ତ୍ତୁଗୀଜ ଏବଂ ୧ କାନାଡୀୟ ନାଗରିକ ଥିବା ନେଇ ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଆଧାରରେ ବିଜୟ ରୂପାନୀଙ୍କ ସମେତ ବିମାନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇ ସାରିଛି। ତେବେ ଏହି ବିମାନ ଦୁର୍ଘଟଣାରେ ଜଣେ ମାତ୍ର ଯାତ୍ରୀ ସୁରକ୍ଷିତ ଥିବା ନେଇ ଖବର ସାମ୍ନାକୁ ଆସୁଛି। 

ଦୁର୍ଘଟଣା ଘଟିଥିବା ସ୍ଥାନରେ ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ ମୃତଦେହ ମିଳିଥିବା ନେଇ ସୂଚନା ରହିଛି। ତେବେ ମିଳିଥିବା ମୃତଦେହ ଗୁଡିକ ଏତେ ଭୟଙ୍କର ଭାବେ ଜଳିଯାଇଛି ଯେ ସେମାନଙ୍କୁ ଚିହ୍ନଟ କରିବା ସମ୍ଭବପର ହୋଇପାରୁ ନାହିଁ ବୋଲି ସ୍ଥାନୀୟ ପୋଲିସ ସୂଚନା ଦେଇଛନ୍ତି। ତେବେ ମୃତଦେହ ଗୁଡିକର ଚିହ୍ନଟ ପାଇଁ ଡିଏନଏ ସାମ୍ପଲ କଲେକ୍ଟ କରାଯିବାର ଆବଶ୍ୟକତା ରହିଛି। ତେବେ ବିମାନଟି ଦୁର୍ଘଟଣା ହୋଇଥିବା ହଷ୍ଟେଲର ୧୫ ଜଣ ଡାକ୍ତରୀ ଛାତ୍ରଙ୍କ ଅବସ୍ଥା ମଧ୍ୟ ସଂକଟାପନ୍ନ ରହିଛି।