ନୂଆଦିଲ୍ଲୀ,୧୨।୬: ଗୁଜରାଟର ଅହମ୍ମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ସେ ଏହାକୁ ଶବ୍ଦରେ ବର୍ଣ୍ଣନା କରିବା ଭଳି ନୁହେଁ ଓ ହୃଦୟଥରା ଘଟଣା ବୋଲି କହିଛନ୍ତି।  ‘ଏକ୍ସ’  ରେ ପୋଷ୍ଟ କରି ମୋଦି କହିଛନ୍ତି, ମୋର ସମବେଦନା  ପ୍ରଭାବିତ ଲୋକଙ୍କ ସହ ରହିଛି। ମୁଁ ମନ୍ତ୍ରୀ ଏବଂ ଅଧିକାରୀଙ୍କ ଯୋଗାଯୋଗରେ ଅଛି ଯେଉଁମାନେ ଲୋକଙ୍କୁ ସହାୟତା ପାଇଁ କାମ କରୁଛନ୍ତି। ’

ଦୁର୍ଘଟଣାର ତୁରନ୍ତ ପରେ ପ୍ରଧାନମନ୍ତ୍ରୀ ମୋଦି ବେସାମରିକ ଉଡାଣ ମନ୍ତ୍ରୀ କେ. ରାମମୋହନ ନାୟଡୁଙ୍କ ସହ କଥା ହୋଇଛନ୍ତି। ଏହା ସହ ଅହମ୍ମଦାବାଦ ବିମାନ ବନ୍ଦରରେ ହୋଇଥିବା ବିମାନ ଦୁର୍ଘଟଣାର ସୂଚନା ନେଇଛନ୍ତି। ଅହମ୍ମଦାବାଦର ଗେଟଓ୍ବିକ୍ (ବ୍ରିଟେନ୍) ଯାଉଥିବା ଏଓ୍ବାନ୍ ୧୭୧ ବିମାନର ବୋଇଂ ୭୮୭ ଉଡାଣ ଆରମ୍ଭ କରିବାର ତୁରନ୍ତ ପରେ ଦୁର୍ଘଟଣାର ଶିକାର ହୋଇଛି। ବିମାନ ବିମାନ ଚାଳକ ଦଳର ୧୨ ସଦସ୍ୟଙ୍କ ସହ ୨୪୨ ଆରୋହୀ ଥିଲେ।  ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି ପିଏମ୍ ମୋଦି ବ୍ୟକ୍ତିଗତ ଭାବରେ ନାଇଡୁଙ୍କ ସହ କଥା ହୋଇଛନ୍ତି। ମୋଦିଙ୍କୁ ମନ୍ତ୍ରୀ କହିଛନ୍ତି ସେ ଅହମ୍ମଦାବାଦ ଯାଇ ସେଠାରେ ସ୍ଥିତି ଉପରେ ଧ୍ୟାନ ରଖିବେ। 

ପ୍ରଧାନମନ୍ତ୍ରୀ ଘଟଣାସ୍ଥଳରେ ସବୁ ପ୍ରକାର ଆବଶ୍ୟକୀୟ ସହାୟତା ଉପଲବ୍ଧ କରିବାର ନିର୍ଦେଶ ଦେଇଛନ୍ତି। ଏହା ସହ ସ୍ଥିତି ସମ୍ପର୍କରେ ନିୟମିତ ଭାବରେ ସୂଚନା ଦେବାକୁ କହିଛନ୍ତି। ସବୁ ଏଜେନ୍ସି ହାଇ ଆଲର୍ଟରେ ଅଛନ୍ତି। ଏହାଛଡା ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି।