ଭୁବନେଶ୍ୱର,୨୯/୦୪: ରାଜ୍ୟରେ ପିଲାଙ୍କୁ ଉପଯୁକ୍ତ ପୋଷଣ ଦିଆଯିବ । ସେଥିପାଇଁ ବର୍ତ୍ତମାନ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କ ଓଜନ ଓ ଉଚ୍ଚତା ବା ବଡି ମାସ୍‌ ଇନ୍‌ଡେକ୍ସ (ବିଏମ୍‌ଆଇ) ସଠିକ୍‌ ମାପ କରାଯାଉଛି । ରାଜ୍ୟରେ ପ୍ରଥମ ଥର ପାଇଁ କୃତ୍ରିମ ବୁଦ୍ଧିମତା (ଏଆଇ) ପଦ୍ଧତିରେ ଶିଶୁଙ୍କ ବିଏମ୍‌ଆଇ ମାପ ଆରମ୍ଭ ହୋଇଛି । କେଉଁ ପିଲାଙ୍କୁ କି ପ୍ରକାର ଚିକିତ୍ସା ଓ ପୋଷଣ ଆବଶ୍ୟକ ତାହା ଉପରେ ଯୋଜନା ପ୍ରସ୍ତୁତ କରାଯିବ । ପାଇଲଟ୍‌ ପ୍ରୋଜେକ୍ଟ ଭାବରେ ବାଲେଶ୍ୱର, କଟକ, ଗଞ୍ଜାମ, ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜରେ ଆରମ୍ଭ ହୋଇଛି । 

ପ୍ରାୟ ୧୦ ହଜାରରୁ ଊର୍ଦ୍ଧ୍ୱ ପିଲାଙ୍କ ଏଆଇ ଆଧାରିତ ବିଏମ୍‌ଆଇ ମାପ କରାଯାଇଛି । ଶିଶୁଙ୍କ ପୋଷଣ ଅଭାବ ଚିନ୍ତା ବଢ଼ାଉଛି । ଏହା ସେମାନଙ୍କ ବୌଦ୍ଧିକ ଓ ମାନସିକ ବିକାଶ ଦିଗରେ ବାଧା ସୃଷ୍ଟି କରୁଛି । ସେଥିପାଇଁ ନୂତନ ଜ୍ଞାନ କୌଶଳ ପ୍ରୟୋଗକୁ ଗୁରୁତ୍ୱ ଦିଆଯାଇଛି । ପୂର୍ବରୁ ଅଙ୍ଗନବାଡ଼ି କର୍ମୀ ପାରମ୍ପରିକ ପଦ୍ଧତିରେ ଓଜନ ମେସିନ୍‌ ଦ୍ୱାରା ପିଲାଙ୍କ ବିଏମ୍‌ଆଇ ମାପ କରୁଥିଲେ । ସେଥିରେ ତ୍ରୁଟି ପରିଲକ୍ଷିତ ହେଉଥିଲା । ଫଳରେ ପିଲାଙ୍କୁ ଉପଯୁକ୍ତ ପୋଷଣ ଦେବାରେ ସମସ୍ୟା ସୃଷ୍ଟି ହେଉଥିଲା । ଏହି ସମସ୍ୟା ଦୂର କରିବା ଲାଗି ଆର୍‌ଏମ୍‌ଆର୍‌ସି ଓ ୱାଧୱାନୀ ଏଆଇ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରୁଛି । ଏନେଇ ଏଆଇ ଆଧାରିତ ଆପ୍ଲିକେସନ୍‌ ପ୍ରସ୍ତୁତ କରାଯାଇଛି । ଏହି ଆପ୍ଲିକେସନ୍‌କୁ ଯେକୌଣସି ମୋବାଇଲ୍‌ରେ ଅପଲୋଡ୍‌ କରିହେବ । ଏହି ଆପ୍ଲିକେସନ୍‌ ଦ୍ୱାରା ପିଲାଙ୍କ ଫଟୋ ଉତ୍ତୋଳନ କଲେ, ଆପେ ଆପେ ଶିଶୁର ବିଏମ୍‌ଆଇ ଜଣାପଡ଼ିଯାଉଛି ।

ଏହି ଖବରଟିକୁ ପଢନ୍ତୁ-OSRTC ବସ୍‌ରେ ଚାଲିଥିଲା ଗଞ୍ଜେଇ ଚାଲାଣ, ରାତି ଅଧିଆ ଚଢାଉ କଲା ପୋଲିସ