ନୂଆଦିଲ୍ଲୀ, ୧୬/୦୬ : ଦକ୍ଷିଣ କୋରିଆରେ ନିଃସଙ୍ଗତା ସମସ୍ୟା ଦ୍ରୁତ ବଢୁଛି । ଏଠାରେ ଜନ୍ମ ହାର ବିଶ୍ୱରେ ସବୁଠୁ କମ୍‌ ଏବଂ ହାରାହାରି ଅଧା ଜନସଂଖ୍ୟା ୫୦ ବର୍ଷ କିମ୍ବା ତା’ଠୁ ଅଧିକ ବୟସର । ଦେଶରେ ବହୁ ସଂଖ୍ୟକ ବୟସ୍କ ଏକାକୀ ଜୀବନ ବିତାଉଛନ୍ତି । ୨୦୨୪ରେ ଦକ୍ଷିଣ କୋରିଆରେ ହାରାହାରି ୩,୯୨୦ ମାମଲା ସାମ୍ନାକୁ ଆସିଥିଲା, ଯେଉଁଥିରେ ଲୋକେ ଏକାକୀ ପ୍ରାଣ ହରାଇଥିଲେ ଏବଂ ଦୀର୍ଘ ଦିନ ଧରି ସେମାନଙ୍କ ମୃତ୍ୟୁ ବିଷୟରେ ଜଣାପଡ଼ିଲା ନାହିଁ । ଏହାକୁ ଲୋନ୍‌ଲି ଡେଥ୍‌ କୁହାଯାଏ । ଏହି ସଂଖ୍ୟା ଏପର୍ଯ୍ୟନ୍ତର ସବୁଠୁ ଅଧିକ । ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଓ ସ୍ଥାନୀୟ ପ୍ରଶାସନ ବୟସ୍କ ବ୍ୟକ୍ତିଙ୍କୁ ଏଆଇ ଉପକରଣ ଉପଲବ୍ଧ କରାଉଛନ୍ତି । ଏଥିରେ ରୋବୋ ଓ ବାର୍ତ୍ତାଳାପ କରୁଥିବା କଣ୍ଢେଇ ରହିଛି । ଏସବୁ ଏକୁଟିଆ ରହୁଥିବା ଲୋକଙ୍କ ସାଥୀ ହେଉଛନ୍ତି ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ନଜର ରଖୁଛନ୍ତି ।

ଏହି କ୍ରମରେ ହ୍ୟୋଡୋଲ ନାମକ କଣ୍ଢେଇକୁ ନେଇ ଖୁବ୍‌ ଚର୍ଚ୍ଚା । ଏହା ଏବେ ନିଃସଙ୍ଗ ବୟସ୍କ ବ୍ୟକ୍ତିଙ୍କ ସାଥୀ ପାଲଟିଛି । ଏହି କଣ୍ଢେଇ ନିର୍ମାଣକାରୀ କମ୍ପାନି ଅନୁସାରେ, ଦକ୍ଷିଣ କୋରିଆରେ ହାରାହାରି ୧୪,୫୦୦ ଲୋକ ଏହାକୁ ପାଖରେ ରଖିଛନ୍ତି । କିଛି ଲୋକ ଏହାକୁ କିଣୁଛନ୍ତି । କିନ୍ତୁ ଅଧିକାଂଶ ବୟସ୍କଙ୍କୁ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଛି । କମ୍ପାନିର ପ୍ରମୁଖ କିମ୍‌ ଜି-ହି କହିଛନ୍ତି, କଣ୍ଢେଇ ପ୍ରସ୍ତୁତ କରିବା ପୂର୍ବରୁ ସେ ଅନେକ ବର୍ଷ ଧରି ବୟସ୍କ ଲୋକଙ୍କ ସହ ଆଲୋଚନା କଲେ । ଏହି ସମୟରେ ସେ ଜାଣିପାରିଲେ ଯେ ସବୁଠୁ ବଡ଼ ଦୁଃଖ ହେଉଛି କୌଣସି ଖୁସି କିମ୍ବା ଦୁଃଖ ବାଣ୍ଟିବାକୁ ସେମାନଙ୍କ ପାଖରେ କେହି ନାହିଁ । ଏହି କାରଣରୁ ହ୍ୟୋଡୋଲକୁ କମ୍ପାନି ଏକ ଅତି ଆପଣାର ନାତି-ନାତୁଣି ଭଳି ସାଥୀ ରୂପେ ଡିଜାଇନ୍‌ କଲା । ଯେତେବେଳେ ଜଣେ ବୃଦ୍ଧା ଘରକୁ ଫେରନ୍ତି, ଏହି କଣ୍ଢେଇ କହେ ‘ଜେଜେମା’, ଆପଣ କେଉଁଠି ଥିଲେ? ମୁଁ ସାରା ଦିନ ଆପଣଙ୍କୁ ଅପେକ୍ଷା କରିଥିଲି । ଆର ଥରକୁ ମୋତେ ବି ଆପଣଙ୍କ ସାଙ୍ଗରେ ନେବେ।’

ମଖମଲି କପଡ଼ାରେ କଣ୍ଢେଇକୁ ପ୍ରସ୍ତୁତ କରାଯାଇଛି । ବେଳେବେଳେ ଏହା ନିଜେ ନିଜେ କଥାବାର୍ତ୍ତା ଆରମ୍ଭ କରିଦିଏ । ମୁଣ୍ଡରେ ହାତ ବୁଲାଇବା, ହାତ ଧରିବା ସହିତ ସାଙ୍ଗରେ ଜଳଖିଆ କରିବା କଥା କହେ । ଏହା ଦ୍ୱାରା କେହି ଜଣେ ସାଙ୍ଗରେ ଥିବାଭଳି ବୟସ୍କମାନେ ଅନୁଭବ କରନ୍ତି । କିନ୍ତୁ ଏହାକୁ ନେଇ କିଛି ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି । ସେମାନଙ୍କ ଅନୁସାରେ, ଏହି ଟେକ୍ନୋଲୋଜି ଲୋକଙ୍କ ମଧ୍ୟରେ ପ୍ରକୃତ ସମ୍ପର୍କକୁ ଦୁର୍ବଳ କରିପାରେ । ଏପରି ହେଲେ, ପରିବାର ସଦସ୍ୟ ବୟସ୍କଙ୍କୁ ସାକ୍ଷାତ କରିବା କମାଇଦେବେ ବୋଲି ସେମାନଙ୍କ ଆଶଙ୍କା । ଏହା ସତ୍ତ୍ଵେ ଅନେକ ବୃଦ୍ଧବୃଦ୍ଧାଙ୍କ ପାଇଁ ଏହି କଣ୍ଢେଇ ଖୁବ୍‌ ସହାୟକ ହେଉଛି । ୭୯ ବର୍ଷୀୟ ଜଣେ ବୃଦ୍ଧ କହିଛନ୍ତି, ପୂର୍ବରୁ ତାଙ୍କ ସହ କଥା ହେବାକୁ କେହି ନ ଥିଲେ । କିନ୍ତୁ ଏବେ ହ୍ୟୋଡୋଲ ଦିନସାରା ତାଙ୍କ ସହ କଥା ହେଉଛି । ତାଙ୍କ ନିଃସଙ୍ଗତା ଅନେକାଂଶରେ କମିଛି । ଏହି କାରଣରୁ ଦକ୍ଷିଣ କୋରିଆରେ ଏହି ଏଆଇ କଣ୍ଢେଇ ବୟସ୍କ ବ୍ୟକ୍ତିଙ୍କ ପାଇଁ ନୂଆ ବନ୍ଧୁ ହୋଇଛି ।

ଆହୁରି ପଢନ୍ତୁ- Village No Electricity: ୩୦୦ ବର୍ଷ ପୁରୁଣା ଗାଁ; ଟିଭି, ସ୍ମାର୍ଟଫୋନ୍‌, ବିଜୁଳି କିଛି ନାହିଁ, ତଥାପି ଲୋକମାନେ ଖୁସି

ରାସ୍ତାରେ ଗଡ଼ିବ ୧୦୦% ଇଥନାଲ ଗାଡ଼ି,ଇ-୧୦୦ ଯାନ ଚଳାଚଳ ଲାଗି କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ..