ନୂଆଦିଲ୍ଲୀ,୧୬/୦୬; ଆମେରିକା ନାଁ ସାମ୍ନାକୁ ଆସିଲେ ନଭଶ୍ଚୁମ୍ଭୀ ଅଟ୍ଟାଳିକା, ହାଇଟେକ୍ ସହର, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଇ-କାର୍ ଓ ବିଶ୍ୱର ସବୁଠୁ ଆଧୁନିକ ଟେକ୍ନୋଲୋଜିର ଚିତ୍ର ମନକୁ ଆସେ । କିନ୍ତୁ ଏଠାରେ ଏଭଳି ଏକ ଦୁନିଆ ରହିଛି, ଯେଉଁଠି ସମୟ ୩୦୦ ବର୍ଷ ପଛରେ ରହିଯାଇଛି । ଏହା ପେନ୍ସିଲଭାନିଆର ଲାନ୍କାଷ୍ଟର କାଉଣ୍ଟିର ଏମିଶ କଣ୍ଟ୍ରି । ସ୍ଥାନୀୟ ବାସିନ୍ଦା ଏମିଶ ସମ୍ପ୍ରଦାୟର ଲୋକେ ଆଜି ବି ଆଧୁନିକ ସୁବିଧାଠୁ ଦୂରରେ ସାଦାସିଧା ଜୀବନ ବିତାଉଛନ୍ତି । ସେଥିପାଇଁ ଏହି ଗାଁ ସୋସିଆଲ ମିଡିଆରେ ସର୍ବଦା ଚର୍ଚ୍ଚାର ବିଷୟ ହୋଇଥାଏ । ଆମେରିକା ଭିତରେ, ଏପରି ଏକ ଦୁନିଆ ରହିଛି ଯେଉଁଠି ଖୁସିରେ ଲୋକ ବସବାସ କରୁଛନ୍ତି । ଯେଉଁଠାରେ ସମୟ ୩୦୦ ବର୍ଷ ପୂର୍ବେ ଅଟକି ଯାଇଥିବା ପରି ମନେ ହୁଏ ।

ଗ୍ରାମବାସୀଙ୍କ ନିଆରା ଜୀବନଶୈଳୀ ଦେଖିବାକୁ ଲକ୍ଷାଧିକ ପର୍ଯ୍ୟଟକ ଏଠାରେ ପହଞ୍ଚନ୍ତି । ଏମିଶ ସମ୍ପ୍ରଦାୟର ଅଧିକାଂଶ ପରିବାର ଘରେ ଟିଭି, ସ୍ମାର୍ଟଫୋନ୍ ଓ ସୋସିଆଲ ମିଡିଆ ବ୍ୟବହାର କରନ୍ତି ନାହିଁ । ଅନେକଙ୍କ ଘରେ ବିଜୁଳି ସଂଯୋଗ ବି ନାହିଁ । ଏମାନଙ୍କ ବିଶ୍ୱାସ, ଆଧୁନିକ ଟେକ୍ନୋଲୋଜି ମଣିଷକୁ ପରିବାର ଓ ସମାଜଠୁ ଦୂରେଇ ଦିଏ । ସେଥିପାଇଁ ସେମାନେ କେବଳ ସେହି ସାଧନକୁ ଆପଣାନ୍ତି, ଯାହା ପରିବାର ଓ ସମୁଦାୟକୁ ମଜଭୁତ କରେ । ଏମିଶ କଣ୍ଟ୍ରିର ରାସ୍ତାଘାଟରେ ଆଜି ବି ଘୋଡ଼ା ଗାଡ଼ି ଦୌଡୁଛି । ଏଠି ପୁରୁଷ ଲମ୍ବା ଦାଢ଼ି ରଖନ୍ତି ଏବଂ ସାଧାରଣ ପୋଷାକ ପିନ୍ଧନ୍ତି । ମହିଳା ଲମ୍ବା ସ୍କର୍ଟ ଓ ବୋନଟ ପିନ୍ଧନ୍ତି । ଏମିଶ ସମ୍ପ୍ରଦାୟ ପ୍ରତି ସମର୍ପିତ ୱେବ୍ସାଇଟ୍ ଏମିଶ ଆମେରିକାର ରିପୋର୍ଟ ଅନୁସାରେ, କ୍ଷେତରେ ଟ୍ରାକ୍ଟର ବଦଳରେ ଅନେକ ପରିବାର ଆଜି ବି ଘୋଡ଼ା ସାହାଯ୍ୟରେ ଚାଷ କରୁଛନ୍ତି । ଖାଦ୍ୟ କାଠ ଚୁଲାରେ ପ୍ରସ୍ତୁତ ହେଉଛି । ରାତିରେ ଅନେକଙ୍କ ଘରେ ଆଲୋକ ପାଇଁ ଗ୍ୟାସ୍ ଲ୍ୟାମ୍ପ୍ କିମ୍ବା ସୀମିତ ବ୍ୟାଟେରୀ ବ୍ୟବହୃତ ହୁଏ ।

ଏହା ବି ପଢନ୍ତୁ...B52 Crash: ଆମେରିକା ସେନାର ଶକ୍ତିଶାଳୀ ବିମାନ ବି-୫୨ କ୍ରାସ୍; ଉଡ଼ାଣର କିଛି ସମୟ ପରେ ଦୁର୍ଘଟଣା, ୮ ମୃତ

ଏମିଶ ସମ୍ପ୍ରଦାୟର ପିଲା ଖୋଲା ଆକାଶ ତଳେ ଖେଳନ୍ତି, ପରିବାର ସହ ଚାଷ, ବଢ଼େଇ କାମ, ସିଲାଇ ତଥା ଅନ୍ୟ ପାରମ୍ପରିକ କୌଶଳ ଶିଖନ୍ତି । ଏଠାରେ ଅଧ୍ୟୟନ ସାଧାରଣତଃ ୮ମ ଶ୍ରେଣୀ ଯାଏ ହୁଏ । ତା’ପରେ ପିଲାଙ୍କୁ ଜୀବନର ବ୍ୟବହାରିକ କୌଶଳ ଶିଖାଯାଏ । ଏ ସମ୍ପ୍ରଦାୟର ସବୁଠୁ ବଡ଼ ପରିଚୟ ଏକତା । ଯଦି କୌଣସି ପରିବାରର ଘର କିମ୍ବା କ୍ଷେତରେ ଗୋଶାଳା ନିର୍ମାଣ ହେଉଥାଏ, ତେବେ ପୂରା ଗାଁ ମିଳିମିଶି କାମ କରେ । ଏହି ପରମ୍ପରାକୁ ବାର୍ନ ରେଜିଙ୍ଗ କୁହାଯାଏ ।