ନୂଆଦିଲ୍ଲୀ, ୮।୭: ସାଇବର ଆକ୍ରମଣ ପଛରେ ଅଦ୍ୟାବଧି ମଣିଷର ହାତ ଥିଲା । ହ୍ୟାକର୍ ସିଷ୍ଟମ୍ ଭିତରେ ପଶି ତଥ୍ୟ ଚୋରି କରୁଥିଲେ ଓ ତା’ ପରେ ଟଙ୍କା ମାଗୁଥିଲେ । କିନ୍ତୁ, ଏବେ ପ୍ରଥମ ଥର ଭୟଙ୍କର ମାମଲା ସାମ୍ନାକୁ ଆସିଛି । ଏଆଇ ନିଜେ ସାଇବର ଆକ୍ରମଣ କରିଛି । ସୁରକ୍ଷା ଅନୁସନ୍ଧାନକାରୀମାନେ ଏହି ଏଆଇ ଏଜେଣ୍ଟର ନାଁ ଦେଇଛନ୍ତି ଜେଡ୍ପଫର । ସେମାନଙ୍କ ଦାବି, ଏହା ବିଶ୍ୱର ପ୍ରଥମ ମାମଲା ଯେଉଁଠି ସାଇବର ଆକ୍ରମଣ ଜରିଆରେ ଟଙ୍କା ମାଗିବାର ପୂରା ଟେକ୍ନିକାଲ କାମକୁ ଏଆଇ ନିଜେ ପୂରା କରିଛି । ଏହି ଖବର ସାଇବର ସୁରକ୍ଷା ଦୁନିଆରେ ଚିନ୍ତା ବଢ଼ାଇଛି । କାରଣ ଯଦି ଏଆଇ ନିଜେ ହ୍ୟାକିଂ ଶିଖିଯିବ, ତେବେ ଆଗାମୀ ଦିନରେ ଏଭଳି ଆକ୍ରମଣ ପୂର୍ବାପେକ୍ଷା ବ୍ୟାପକ ଓ ଅଧିକ ବିପଦପୂର୍ଣ୍ଣ ହେବ ।
ରାନ୍ସମୱେର ଏକ ବିପଦପୂର୍ଣ୍ଣ ସଫ୍ଟୱେର । ଯେତେବେଳେ ଏହା କୌଣସି କମ୍ପାନି କିମ୍ବା ବ୍ୟକ୍ତିଙ୍କ ସିଷ୍ଟମ୍ରେ ପହଞ୍ଚେ, ସେଥିରେ ଥିବା ଫାଇଲ ଓ ତଥ୍ୟକୁ ଏନ୍କ୍ରିପ୍ଟ (ଲୋକଙ୍କ ପହଞ୍ଚଠୁ ଦୂରରେ ରଖିବାକୁ ତଥ୍ୟକୁ ସ୍ୱତନ୍ତ୍ର କୋଡ୍ରେ ରୂପାନ୍ତରିତ କରିବା) କରିଦିଏ । ଏହା ପରେ ଆକ୍ରମଣକାରୀ ତଥ୍ୟ ଫେରାଇବା ବଦଳରେ ଟଙ୍କା ଦାବି କରନ୍ତି । ଟଙ୍କା ନ ମିଳିଲେ, ତଥ୍ୟ ସବୁଦିନ ପାଇଁ ନଷ୍ଟ କରିବା କିମ୍ବା ଇଣ୍ଟରନେଟ୍ରେ ଲିକ୍ କରିବାର ଭୟ ଥାଏ । ଅଦ୍ୟାବଧି ଏଭଳି ମାମଲାରେ ପ୍ରତିଟି ପାହାଚରେ ହ୍ୟାକର୍ ନିଷ୍ପତ୍ତି ନେଉଥିଲେ । କିନ୍ତୁ ଜେଡ୍ପଫର ମାମଲାରେ ଏଆଇ ନିଜେ ନିଷ୍ପତ୍ତି ନେଇଛି । ସେଥିପାଇଁ ବିଶେଷଜ୍ଞମାନେ ଚିନ୍ତାରେ । କ୍ଲାଉଡ୍ ସିକ୍ୟୁରିଟି କମ୍ପାନି ସିସ୍ଡିଗ୍ର ଅଧ୍ୟୟନ ଅନୁସାରେ, ଜେଡ୍ପଫର ସର୍ବପ୍ରଥମେ ପୁରୁଣା ସିକ୍ୟୁରିଟି ବଗ୍ର ଫାଇଦା ଉଠାଇ ସର୍ଭର୍ରେ ଏଣ୍ଟ୍ରି କଲା । ଏହା ପରେ ନିଜେ ସିଷ୍ଟମ୍କୁ ହ୍ୟାକ୍ କଲା । ଏପିଆଇ କି ଓ ଅନ୍ୟ ପାସ୍ୱର୍ଡ ଖୋଜିଲା, ଅନ୍ୟ ସର୍ଭର୍ରେ ପହଞ୍ଚିଲା ଏବଂ ଶେଷରେ ତଥ୍ୟକୁ ଏନ୍କ୍ରିପ୍ଟ କରିଦେଲା ।
ସବୁଠୁ ଆଶ୍ଚର୍ଯ୍ୟକର କଥା ଥିଲା, ଏଆଇ ଯେତେବେଳେ କୌଣସି ସୋପାନରେ ସମସ୍ୟାର ସମ୍ମୁଖୀନ ହେଲା, ନିଜେ ନିଜର ଭୁଲକୁ ସୁଧାରିଲା ଏବଂ ପ୍ରାୟ ୩୧ ସେକେଣ୍ଡରେ ପରବର୍ତ୍ତୀ ଉପାୟ ଆପଣେଇ ଆକ୍ରମଣ ଜାରି ରଖିଲା । ଅର୍ଥାତ୍ ପ୍ରତି ଥର ମଣିଷର ଆବଶ୍ୟକତା ଦରକାର ପଡ଼ିଲା ନାହିଁ । ପ୍ରଥମେ ଅନେକ ରିପୋର୍ଟରେ କୁହାଗଲା, ମଣିଷର ହସ୍ତକ୍ଷେପ ବିନା ପୂରା ସାଇବର ଆକ୍ରମଣ ହେଲା । କିନ୍ତୁ ପରେ ସିସ୍ଡିଗ୍ର ଅନୁସନ୍ଧାନ ନିର୍ଦ୍ଦେଶକ ସ୍ପଷ୍ଟ କଲେ ଯେ ଜଣେ ବ୍ୟକ୍ତି ଲକ୍ଷ୍ୟ ଚୟନ କଲେ, ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କଲେ ଏବଂ ପ୍ରାରମ୍ଭିକ ପହଞ୍ଚକୁ ଉପଲବ୍ଧ କରାଇଲେ । ତା’ ପରେ ସାଇବର ଆକ୍ରମଣର ଟେକ୍ନିକାଲ ପ୍ରକ୍ରିୟା ଏଆଇ ଏଜେଣ୍ଟ ନିଜେ ସମ୍ଭାଳିଲା । ଅର୍ଥାତ୍ ଏଆଇ ଏକା ନ ଥିଲା, କିନ୍ତୁ ହ୍ୟାକର୍ ବଦଳରେ ଅନେକ ବଡ଼ କାମ ନିଜେ କଲା ।
ବିଶେଷଜ୍ଞଙ୍କ ଅନୁସାରେ, ଏହା ଦ୍ୱାରା ଛୋଟ ସାଇବର ଅପରାଧୀଙ୍କ ପାଇଁ ମଧ୍ୟ ବଡ଼ ଅପରାଧ କରିବା ସହଜ ହୋଇଯିବ । ସାଇବର ଅପରାଧ ଜଗତରେ ଏହା ବଡ଼ ପରିବର୍ତ୍ତନ ବୋଲି ସେମାନେ କହୁଛନ୍ତି । ତେବେ ଜେଡ୍ପଫର ମାମଲା କମ୍ପାନିଗୁଡ଼ିକର ସର୍ଭର୍ ସହ ସଂଶ୍ଳିଷ୍ଟ । ସାଧାରଣ ୟୁଜର୍ଙ୍କ ଫୋନ୍ ବା ଲାପ୍ଟପ୍ରେ ଏଭଳି ଆକ୍ରମଣ ରେକର୍ଡ ହୋଇନାହିଁ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ବିପଦ ଟଳିଗଲା । ଯଦି ଏଆଇ ସାହାଯ୍ୟରେ ଏଭଳି ଟୁଲ୍ ଉନ୍ନତ ହୋଇଚାଲେ, ଭବିଷ୍ୟତରେ ବ୍ୟାଙ୍କ, ହସ୍ପିଟାଲ, ସରକାରୀ ବିଭାଗ ଓ ବଡ଼ କମ୍ପାନି ପ୍ରତି ଅଧିକ ବିପଦ ବଢ଼ିବ । ଏ ସମସ୍ତ ସଂସ୍ଥା ଉପରେ ଆକ୍ରମଣ ହେଲେ, ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପଡ଼ିବ ।