ନୂଆଦିଲ୍ଲୀ, ୮।୭: ଚୀନ୍ରେ ହ୍ୟୁମାନଏଡ୍ ରୋବୋ ଲାଗି ଏକ ସ୍ୱତନ୍ତ୍ର ତାଲିମ ସ୍କୁଲ ଖୋଲିଛି । ଝେଜିଆଙ୍ଗ ପ୍ରଦେଶର ହାଙ୍ଗଝୌରେ ଏହି ସ୍କୁଲ ରହିଛି । ନାଁ ହାଙ୍ଗଝୌ ରୋବୋ ସ୍କୁଲ । ସେଠାରେ ରୋବୋଗୁଡ଼ିକୁ ପ୍ରଯୁକ୍ତି ଶିକ୍ଷା, ନର୍ସିଂ, ଆର୍ଟସ ଏବଂ ସ୍ପୋର୍ଟସ ଭଳି ୪ ବିଶେଷ କ୍ଷେତ୍ରରେ ପ୍ରଶିକ୍ଷିତ କରାଯାଉଛି । ସେତିକି ନୁହେଁ, ରୋବୋ ଟେବୁଲ ଟେନିସ୍, ବାସ୍କେଟ୍ବଲ ଖେଳିବା, ପିଆନୋ ବଜାଇବା, ଜିନିଷପତ୍ର ଉଠାଇବା, ଟିମ୍ୱାର୍କ ଏବଂ ଦୈନନ୍ଦିନ ଜୀବନର ଅନେକ କାମ ଅଭ୍ୟାସ କରୁଛନ୍ତି । ରୋବୋଗୁଡ଼ିକର ଚାଲିବା, ନିଷ୍ପତ୍ତି ନେବା, ମଣିଷଙ୍କ ସହ ତାଳମେଳ ରଖି ସୁରକ୍ଷିତ ଭାବେ କାମ କରିବାର କ୍ଷମତାକୁ ବଢ଼ାଇବା ହେଉଛି ଏହି ତାଲିମର ଉଦ୍ଦେଶ୍ୟ । ଜୁନ୍ ୨୯ରେ ସ୍କୁଲ ଆରମ୍ଭ କରାଯାଇଥିବାବେଳେ ପ୍ରଥମ ବ୍ୟାଚ୍ରେ ବିଭିନ୍ନ କମ୍ପାନିର ପ୍ରାୟ ୩୦ ରୋବୋ ଛାତ୍ରଛାତ୍ରୀ ଭାବେ ନାମ ଲେଖାଇଛନ୍ତି । ଚୀନ୍ ପକ୍ଷରୁ ବ୍ୟାପକ ସଂଖ୍ୟାରେ ରୋବୋ ପ୍ରସ୍ତୁତ କରାଯାଉଥିଲେ ହେଁ ବାସ୍ତବ ଦୁନିଆରେ ସେହି ମେସିନ୍ ସେତେ ଉପଯୋଗୀ ହୋଇପାରୁନଥିବା ଅଭିଯୋଗ ଆସିବା ପରେ ଦେଶ ଏଭଳି ପଦକ୍ଷେପ ନେଇଛି ।
ଏହା ବି ପଢ଼ନ୍ତୁ... AI Cyberattack: ପ୍ରଥମ ସାଇବର ଆକ୍ରମଣ କଲା AI, ହ୍ୟାକର୍ ବଦଳରେ ମେସିନ୍ ମାଗିଲା ଟଙ୍କା
୨୦୨୪ରେ ଚୀନ୍ ୨୯୫,୦୦୦ ଔଦ୍ୟୋଗିକ ରୋବୋ ଲଗାଇଥିଲା । ତାହା ସାରା ବିଶ୍ୱରେ ଲଗାଯାଉଥିବା ରୋବୋର ୫୪ ପ୍ରତିଶତ ଥିଲା । କିନ୍ତୁ, ସେଥିମଧ୍ୟରୁ ଅନେକ ରୋବୋ ନିକଟରେ ବ୍ୟବହାରିକ କାମ ଲାଗି ନିର୍ଣ୍ଣୟ ନେବାର କ୍ଷମତାରେ ଅଭାବ ପରିଲକ୍ଷିତ ହୋଇଥିଲା । ହାଙ୍ଗଝୌ ରୋବୋ ସ୍କୁଲର ପ୍ରତିଷ୍ଠାତା ଝୁ ସିକିଆଙ୍ଗ କହିଛନ୍ତି, ରୋବୋଟିକ୍ସ ଫାର୍ମଗୁଡ଼ିକ ହାର୍ଡୱେର ମାମଲାରେ ଭଲ କାମ କରିଥିଲେ । କିନ୍ତୁ ସଫ୍ଟୱେର କ୍ଷେତ୍ରରେ ପଛରେ ଥିଲେ । ସେହି ତାରତମ୍ୟକୁ ଦୂର କରିବା ଲାଗି ଏହି ସ୍କୁଲ ଆରମ୍ଭ ହୋଇଛି । ଆମେ ମାନବ ତାଲିମ ପ୍ରତିଷ୍ଠାନ ଭଳି ଏକ ସଂପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥା ନିର୍ମାଣ କରିଛୁ । ଏଥିରେ ନୀତିଶାସ୍ତ୍ର, ଆଇନ, ନିୟମାବଳୀ ଏବଂ ସ୍ୱତନ୍ତ୍ର ପାଠ୍ୟକ୍ରମର ଏକ ସେଟ୍ ରହିଛି । ତାଲିମ ପାଠ୍ୟକ୍ରମ ସରିବା ପରେ ପ୍ରତି ରୋବୋର ପ୍ରଦର୍ଶନକୁ ଅଧିକାରୀମାନେ ମୂଲ୍ୟାଙ୍କନ କରିବେ ।