ନୂଆଦିଲ୍ଲୀ, ୩୦/୦୧ : ସମ୍ପ୍ରତି କୃତ୍ରିମ ବୁଦ୍ଧିମତ୍ତା ବା ଆର୍ଟିଫିସାଲ୍‌ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ବିଶ୍ୱବ୍ୟାପୀ ଜୋରଦାର ଉତ୍ସାହ ଦେଖାଦେଇଛି। ଦେଶଗୁଡ଼ିକ ଏଥିପାଇଁ ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି। ସବୁଠୁ ଶକ୍ତିଶାଳୀ ଏଆଇ ମଡେଲ୍‌ର ଅଧିକାରୀ ହେବାକୁ ଆମେରିକା, ଚୀନ୍‌, ଜାପାନ ଭଳି ଦେଶ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ଭାରତ ବି ଏ କ୍ଷେତ୍ରରେ ପଛୁଆ ରହିବ ନାହିଁ ବୋଲି ବଦ୍ଧପରିକର ହୋଇଛି । ଏହି ପରିପ୍ରେକ୍ଷୀରେ ଗୁରୁବାର ଲୋକସଭାରେ ଆଗତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୫- ୨୬ରେ ଏଆଇ ଲାଗି ନୂଆ ଅଧ୍ୟାୟ ଯୋଡ଼ାଯାଇଛି । ଏଆଇକୁ ନେଇ ଭାରତ କେତେ ତତ୍ପର ତାହା ଏଥିରୁ ସ୍ପଷ୍ଟ ଅନୁମାନ ହେଉଛି । ତେବେ ସର୍ଭେ ରିପୋର୍ଟରେ ଏକ ଭିନ୍ନ ତଥା ନୂଆ ଆଭିମୁଖ୍ୟ ରଖିଛନ୍ତି ସରକାର । ଏଥିରେ କୁହାଯାଇଛି ଯେ ଭାରତ ଆଖି ବନ୍ଦ କରି ଦୁନିଆର ବଡ଼ ଏଆଇ ମଡେଲ୍‌ ପଛରେ ଦୌଡ଼ିବ ନାହିଁ । ଏଭଳି ହେଲେ କ୍ଷତିର ସମ୍ମୁଖୀନ ହେବା ସାର ହେବ । ରିପୋର୍ଟରେ କୁହାଯାଇଛି ଯେ ଏଆଇ ଏବେ କେବଳ ଭବିଷ୍ୟତର ପ୍ରଯୁକ୍ତି ନୁହେଁ, ବରଂ ବର୍ତ୍ତମାନର ବାସ୍ତବିକତା ।

‘ମ୍ୟାକିନ୍‌ସେ’ର ୨୦୨୫ ରିପୋର୍ଟ ଅନୁସାରେ, ବିଶ୍ୱର ୮୮% କମ୍ପାନି ଏବେ କୌଣସି ନା କୌଣସି ଏଆଇ ବ୍ୟବହାର କରୁଛନ୍ତି । ପୂର୍ବରୁ ଏହା କେବଳ ଧନୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସୀମିତ ଥିଲା । କିନ୍ତୁ ବର୍ତ୍ତମାନ ମଧ୍ୟବିତ୍ତ ରାଷ୍ଟ୍ରଗୁଡ଼ିକ ବି ଏହାକୁ ଦ୍ରୁତ ଗତିରେ ଆପଣାଇବାରେ ଲାଗିଛନ୍ତି । ଏଆଇର ବିକଶିତ ମଡେଲ ବନାଇବାର କାମ ଏବେ କିଛି ବଡ଼ କମ୍ପାନି ମଧ୍ୟରେ ସୀମିତ ରହିଛି । କାରଣ ଏଥିପାଇଁ ବିପୁଳ ପୁଞ୍ଜି, କମ୍ପ୍ୟୁଟିଂ କ୍ଷମତା, ସ୍ୱତନ୍ତ୍ର ହାର୍ଡୱେର ଏବଂ ସାମର୍ଥ୍ୟର ଆବଶ୍ୟକ ହେଉଛି । ଭାରତ ଭଳି ଦେଶ ପାଇଁ ଏତେ ବଡ଼ ଆକାରର ପୁଞ୍ଜିନିବେଶ କରିବା କେବଳ କଷ୍ଟକର ନୁହେଁ, ବରଂ ଆବଶ୍ୟକ ବି ନାହିଁ । ବର୍ତ୍ତମାନ ବିଶ୍ୱର ୭୦% ଡାଟା ସେଣ୍ଟର ଧନୀ ଦେଶଗୁଡ଼ିକରେ ରହିଛି । ଯେବେ କି ଭାରତର ଅଂଶ ମାତ୍ର ୩% । ସର୍ଭେରେ ଯୁକ୍ତି ଦର୍ଶାଯାଇଛି ଯେ ଭାରତ ପାଖରେ ପୁଞ୍ଜି ଓ କମ୍ପ୍ୟୁଟିଂ କ୍ଷମତା କମ୍‌ । ଏଭଳି ସ୍ଥିତିରେ ‘ଫ୍ରଣ୍ଟିୟର ମଡେଲ’ ବନାଇବାରେ ନିଜ ଶକ୍ତି ନଷ୍ଟ କରିବା ପରିବର୍ତ୍ତେ ଆମକୁ ସେହି ଏଆଇ ଟୁଲ୍‌ ଉପରେ ଧ୍ୟାନ ଦେବା ଉଚିତ, ଯାହା କି ସିଧାସଳଖ ଭାବେ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିପାରିବ।

କ୍ଷୁଦ୍ର ମଡେଲ୍‌ ଆପଣାଇବ ଭାରତ

ସର୍ଭେ ରିପୋର୍ଟ ଅନୁସାରେ, ଭାରତକୁ ନିଜର ଆର୍ଥିକ ବାସ୍ତବତା ଏବଂ ଆବଶ୍ୟକତା ହିସାବରେ ଏଆଇ ରଣନୀତି ଆପଣାଇବାକୁ ହେବ । ଏଥିଲାଗି ତୃଣମୂଳ ସ୍ତରରୁ ପଦକ୍ଷେପ ନେବାକୁ ପଡ଼ିବ । ଅର୍ଥାତ ଛୋଟ ଛୋଟ କ୍ଷେତ୍ର ଆଧାରିତ ମଡେଲ୍‌ ବନାଇବାକୁ ପଡ଼ିବ, ଯାହା କୃଷି, ଶିକ୍ଷା, ସ୍ଥାନୀୟ ଭାଷା ଏବଂ ଗ୍ରାମାଞ୍ଚଳ ସମସ୍ୟାର ପ୍ରତିକାର କରିପାରୁଥିବ । ଏଭଳି ମଡେଲ୍‌ କମ୍‌ କମ୍ପ୍ୟୁଟିଂ ଉପରେ କାମ କରିପାରିବ । ସ୍ମାର୍ଟଫୋନ୍‌ କିମ୍ବା କମ୍ପ୍ୟୁଟରରେ ମଧ୍ୟ ଚାଲିପାରିବ । ଏହାଦ୍ୱାରା କ୍ଷୁଦ୍ର ଷ୍ଟାର୍ଟଅପ୍‌, ବିଶ୍ୱବିଦ୍ୟାଳୟ ଏବଂ ସ୍ଥାନୀୟ କମ୍ପାନି ମଧ୍ୟ ନବସୃଜନରେ ସାମିଲ ହୋଇପାରିବେ । ଫଳରେ ବିକଶିତ ପ୍ରଯୁକ୍ତି ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚି ପାରିବ ।  

ସ୍ଥାନୀୟ ନବସୃଜନକୁ ଗୁରୁତ୍ୱ

ଦକ୍ଷିଣ ଭାରତରେ ଥର୍ମାଲ ଇମେଜିଂ ଦ୍ୱାରା ବ୍ରେଷ୍ଟ କ୍ୟାନ୍‌ସର ସ୍କ୍ରିନିଙ୍ଗ୍‌, ପୂର୍ବ ଭାରତରେ ମୁଖ କର୍କଟ ଚିହ୍ନଟ, ବେଙ୍ଗାଲୁରୁରେ ପାଣିର ଲିକେଜ ଚିହ୍ନଟ, ହିମାଳୟରେ ଭୂସ୍ଖଳନ ପାଇଁ ସତର୍କତା ଜାରି କରିବା ଏବଂ ୧୨ ରାଜ୍ୟରେ ୧୮ ଲକ୍ଷ ଚାଷୀଙ୍କ ନିମନ୍ତେ ଏଆଇ ମାର୍କେଟ୍‌ ଟୁଲ୍‌ ଉପଲବ୍ଧ ହୋଇଛି । ଏହିସବୁ ଉଦାହରଣ ଭାରତରେ ସ୍ଥାନୀୟ ନବସୃଜନର ଶକ୍ତିକୁ ଦର୍ଶାଉଛି ।  

କୃଷି, ସ୍ୱାସ୍ଥ୍ୟ କ୍ଷେତ୍ରରେ ସାଜିବ ବିପ୍ଳବ

ଭାରତର ପ୍ରକୃତ ଶକ୍ତି ଏହାର ଡାଟା ଓ ଜନତା । ସର୍ଭେ ପକ୍ଷରୁ ସୁପାରିସ କରାଯାଇଛି କି ଭାରତକୁ ଏଆଇର ବ୍ୟବହାର କୃଷି, ସ୍ୱାସ୍ଥ୍ୟ ସେବା, ବିନିର୍ମାଣ ଏବଂ ସରକାରୀ କାର୍ଯ୍ୟକୁ ଉନ୍ନତ ବନାଇବା ପାଇଁ ହେବା ଉଚିତ । ଉଦାହରଣ ସ୍ୱରୂପ, ଏଭଳି ଏକ ଏଆଇ ଯାହା ଚାଷୀଙ୍କୁ ସେମାନଙ୍କ ଫସଲ ରୋଗ ବାବଦରେ ସୂଚନା ଦେବ । ୨୦୨୫ ଶେଷ ସୁଦ୍ଧା ଭାରତର ବ୍ରଡ୍‌ବ୍ୟାଣ୍ଡ ଉପଭୋକ୍ତା ସଂଖ୍ୟା ୧୦୦ କୋଟି ପାର୍‌ କରିଛି । ଏହାଦ୍ୱାରା ଏଆଇ ନିମନ୍ତେ ଜରୁରି ଇନ୍ଧନ ଅର୍ଥାତ ଡାଟା ସୃଷ୍ଟି ହୋଇପାରିବ । କୃଷି ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏଆଇ ବିପ୍ଳବ ସାଜିପାରିବ ।  

ରୋଜଗାର ଓ ଯାନ୍ତ୍ରିକକରଣର ଚ୍ୟାଲେଞ୍ଜ

ସର୍ଭେରେ ଏକ ଗମ୍ଭୀର ଚେତାବନୀ ବି ଦିଆଯାଇଛି । ଏହା ଅନୁସାରେ, ୨୦୨୨ ପରେ ଉତ୍ପାଦନରେ ମାନବ ଶ୍ରମ ଯୋଗଦାନ କମ୍‌ ହେବାରେ ଲାଗିଛି । ଏହାର ଅର୍ଥ କମ୍ପାନିମାନେ ଏବେ କାମ ପାଇଁ ମେସିନ୍‌ ଏବଂ ଏଆଇ ଉପରେ ଅଧିକ ନିର୍ଭରଶୀଳ ହେଉଛନ୍ତି । ଯଦି ଆମେ ନିଜ ଶ୍ରମଶକ୍ତିକୁ ଠିକଣା ସମୟରେ ନୂଆ ଦକ୍ଷତା ନ ଶିଖାନ୍ତି ତେବେ ଭବିଷ୍ୟତରେ ରୋଜଗାରର ବଡ଼ ସଙ୍କଟ ସୃଷ୍ଟି ହୋଇପାରେ । ଭାରତର ସବୁଠୁ ବଡ଼ ଶକ୍ତି ହେଉଛି ଯୁବପିଢ଼ିଙ୍କ ସଂଖ୍ୟା । ଏଆଇକୁ ଏଭଳି ଭାବେ ଆପଣାଇବାକୁ ହେବ, ଯାହାଦ୍ୱାରା ମାନବଙ୍କୁ ହଟାଯିବା ପରିବର୍ତ୍ତେ ସେମାନଙ୍କୁ ସହାୟତା କରାଯାଇ ପାରିବ ।  

ଡାଟା ହେଉଛି ‘ରଣନୀତିକ ସମ୍ବଳ’

ସର୍ଭେ ରିପୋର୍ଟରେ ଡାଟାକୁ ‘ରଣନୀତିକ ସମ୍ବଳ’ ବିବେଚନା କରାଯାଇଛି । ଏଥିରେ ପ୍ରସ୍ତାବ ଦିଆଯାଇଛି ଯେ ଯେଉଁ କମ୍ପାନି ଭାରତର ଡାଟାରୁ କୋଟି କୋଟି ଟଙ୍କା ଆୟ କରୁଛନ୍ତି, ସେମାନଙ୍କୁ ଏହା ବଦଳରେ ଭାରତୀୟ ଏଆଇ ଇକୋସିଷ୍ଟମରେ ଯୋଗଦାନ ଦେବା ଉଚିତ । ଏହି ଯୋଗଦାନ ଗବେଷଣା ପାଣ୍ଠି, କମ୍ପ୍ୟୁଟର ପାୱାର ସେୟାରିଂ ଅଥବା ଲୋକଙ୍କୁ ତାଲିମ ଦେବା ରୂପରେ ହୋଇପାରିବ ।  

ସ୍ଥାପନ ହେବ ଏଆଇ  ସେଫ୍‌ଟି ଇନ୍‌ଷ୍ଟିଚ୍ୟୁଟ୍‌

ଏଆଇକୁ ନିୟନ୍ତ୍ରଣ କରିବା ପାଇଁ ସର୍ଭେ ରିପୋର୍ଟ ୟୁରୋପ ଭଳି କଡ଼ା ଓ ଜଟିଳ ଆଇନଗୁଡ଼ିକଠାରୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛି । ଏହା ଅନୁସାରେ, ଅତ୍ୟଧିକ କଟକଣା ନବସୃଜନକୁ ସଙ୍କୁଚିତ କରିଦେଇଥାଏ । ଏହା ପରିବର୍ତ୍ତେ, ଭାରତକୁ ଏକ ‘ରିସ୍କ-ଆଧାରିତ’ ଉପାୟ ଆପଣାଇବାକୁ ହେବ । ସରକାର ଖୁବଶୀଘ୍ର ଏକ ‘ଏଆଇ ସେଫ୍‌ଟି ଇନ୍‌ଷ୍ଟିଚ୍ୟୁଟ୍‌’ ସ୍ଥାପନ ନେଇ ପ୍ରସ୍ତୁତିରେ ଅଛନ୍ତି । ଏଆଇର ବ୍ୟବହାର ସୁରକ୍ଷିତ ହେବା ଏବଂ କାହାର ଯେମିତି କ୍ଷତି ନ ହୁଏ, ତାହାକୁ ସୁନିଶ୍ଚିତ କରାଯିବ । ମୋଟାମୋଟି ଭାବେ ସର୍ଭେ ରିପୋର୍ଟରେ ସ୍ପଷ୍ଟ ବାର୍ତ୍ତା ଦିଆଯାଇଛି ଯେ ଭାରତକୁ ଏଆଇ ଦୌଡ଼ରେ ନିଜ ଗତି ଧାର୍ଯ୍ୟ କରିବାକୁ ହେବ । ନିଜ ଚ୍ୟାଲେଞ୍ଜଗୁଡ଼ିକୁ ଶକ୍ତିରେ ରୂପାନ୍ତରିତ କରିବାକୁ ପଡ଼ିବ । ଏହାଦ୍ୱାରା ଡିଜିଟାଲ ବିପ୍ଳବର ଅସଲ ଫାଇଦା ଉଠାଯାଇ ପାରିବ।

ଏହି ଖବରଟିକୁ ପଢନ୍ତୁ- ଆର୍ଥିକ ସର୍ଭେ ରିପୋର୍ଟ : ରାଜ୍ୟଗୁଡ଼ିକ ପାଇଁ ଭୟଙ୍କର ବିତ୍ତୀୟ ସମସ୍ୟା ଆଣିବ ଫ୍ରିବିଜ୍‌, ବଢିବ ଋଣ ବୋଝ