ନୂଆଦିଲ୍ଲୀ, ୩୦/୦୧ : ବିକାଶମୂଳକ ନୀତିର ଏକ ମୁଖ୍ୟ ଅଂଶ ପାଲଟିଛି ବିଭିନ୍ନ ରାଜ୍ୟରେ ନିଃସର୍ତ୍ତ ନଗଦ ଟଙ୍କା ବଣ୍ଟନ। ବିଶେଷକରି ମହିଳାଙ୍କ ରୋଜଗାରରେ ସହାୟତା ଲାଗି ଏହି ଅର୍ଥ ବଣ୍ଟନ କରାଯାଉଛି। ତେବେ ଏହା ଜଟିଳ ବିତ୍ତୀୟ ସମସ୍ୟା ସୃଷ୍ଟି କରୁଥିବା ଅର୍ଥନୈତିକ ସର୍ଭେରେ କୁହାଯାଇଛି । ଏପରି ଯୋଜନା ସ୍ୱଳ୍ପ ସମୟ ଲାଗି ଲାଭକାରୀ, କିନ୍ତୁ ଲଗାତର ମାଗଣା ବଣ୍ଟନ ଜାରି ରଖିବା ଏବଂ ତାହାର ପରିଧି ବଢ଼ାଇବା ରାଜ୍ୟଗୁଡ଼ିକର ଆର୍ଥିକ ସ୍ଥିତିକୁ ଦୁର୍ବଳ କରିଦେଇପାରେ । ଏଥିସହ ସାର୍ବଜନୀନ ବିକାଶ ବୃଦ୍ଧି ଲାଗି ନିବେଶକୁ କମ୍‌ କରିପାରେ ବୋଲି ସର୍ଭେ ରିପୋର୍ଟରେ ଚିନ୍ତା ବ୍ୟକ୍ତ କରାଯାଇଛି ।  

୨୦୨୬ ଆର୍ଥିକ ବର୍ଷରେ ନିଃସର୍ତ୍ତ ନଗଦ ବଣ୍ଟନ ପ୍ରାୟ ୧.୭ ଲକ୍ଷ କୋଟି ଟଙ୍କା ହେବାର ଅନୁମାନ କରାଯାଇଛି । ଏଥିଯୋଗୁ ରାଜ୍ୟ ବଜେଟ ଏବଂ ଋଣ ବୃଦ୍ଧି ହୋଇପାରେ । ଏପରି ଯୋଜନା ମିଡିୟମ ଟର୍ମ ଗ୍ରୋଥ୍‌ ବା ମଧ୍ୟମକାଳୀନ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିପାରେ । କିନ୍ତୁ ଦୀର୍ଘକାଳୀନ ଅଭିବୃଦ୍ଧିକୁ ଯେପରି ଏହା ପ୍ରଭାବିତ ନ କରେ, ତାହାକୁ ଦୃଷ୍ଟିରେ ରଖି ମାଗଣା ବଣ୍ଟନ ଯୋଜନାକୁ ଡିଜାଇନ୍‌ କରାଯିବା ଉଚିତ । ସର୍ଭେ ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଟଙ୍କା ବଣ୍ଟନ ଯୋଜନା କରୁଥିବା ରାଜ୍ୟଗୁଡ଼ିକ ସଂଖ୍ୟା ୨୦୨୩ ଏବଂ ୨୦୨୬ ଆର୍ଥିକ ବର୍ଷ ମଧ୍ୟରେ ୫ ଗୁଣା ହୋଇଛି । ସେମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ ରାଜ୍ୟ ରାଜସ୍ୱ ହାନି ଜନିତ ସମସ୍ୟା ଦେଇ ଗତିକରୁଛନ୍ତି । ଏପରି ଟଙ୍କା ବଣ୍ଟନ ଜିଏସ୍‌ଡିପିର ୦.୧୯% ରୁ ୧.୨୫% ପର୍ଯ୍ୟନ୍ତ ରହିଥାଏ ଏବଂ ମୋଟ ରାଜ୍ୟ ବଜେଟ ଖର୍ଚ୍ଚର ୮.୨୬% ପର୍ଯ୍ୟନ୍ତ ହୋଇପାରେ ।  

ଏଥିସହ ଅର୍ଥନୈତିକ ସର୍ଭେ ଜଟିଳ ଆର୍ଥିକ ପୃଷ୍ଠଭୂମି ଉପରେ ମଧ୍ୟ ଆଲୋକପାତ କରିଛି। ରାଜ୍ୟଗୁଡ଼ିକର ମୋଟ ବିତ୍ତୀୟ ନିଅଣ୍ଟ ୨୦୨୨ରେ ୨.୬% ଥିବାବେଳେ ୨୦୨୫ ଆର୍ଥିକ ବର୍ଷରେ ତାହା ୩.୨%କୁ ବୃଦ୍ଧି ପାଇଛି । ସେହିପରି ବକେୟା ଦେୟ ଜିଡିପିର ପ୍ରାୟ ୨୮.୧% ରହିଛି । ଦରମା, ପେନ୍‌ସନ, ସୁଧ ପେମେଣ୍ଟ ଏବଂ ସବ୍‌ସିଡିରେ ରାଜସ୍ୱର ପ୍ରାୟ ୬୨% ଯାଉଛି । ସର୍ଭେରେ କେବଳ ଆର୍ଥିକ ସ୍ଥିତି ନୁହେଁ ବରଂ ଗଠନମୂଳକ ଦୃଷ୍ଟିରୁ ମଧ୍ୟ ଚିନ୍ତା ବ୍ୟକ୍ତ କରାଯାଇଛି । ଅନେକ ଯୋଜନାରେ ସମୟ ସମୟରେ ସମୀକ୍ଷାର ଆବଶ୍ୟକତା ରହିଛି, ଯାହାଦ୍ୱାରା ରାଜସ୍ୱ ଖର୍ଚ୍ଚ ବୃଦ୍ଧି ପାଉଥିବା ଏଥିରେ କୁହାଯାଇଛି ।

ଏହି ଖବରଟିକୁ ପଢନ୍ତୁ- ଅର୍ଥନୈତିକ ସର୍ଭେ ୨୦୨୬ : ବିଶ୍ୱ ବଜାର ପାଇଁ ‘ମେକ୍ ଇନ୍ ଇଣ୍ଡିଆ’ ଉତ୍ପାଦକୁ ଗତି ଦେବାକୁ ଯୋଜନା