ନୂଆଦିଲ୍ଲୀ : ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ ମୁସଲିମିନ (AIMIM)ର ଉତ୍ତର ପ୍ରଦେଶ ଅଧ୍ୟକ୍ଷ ଶୌକତ ଅଲୀ ମୁରାଦାବାଦରେ ଆୟୋଜିତ ଏକ ଜନସଭାକୁ ସମ୍ୱୋଧିତ କରି ଜନସଂଖ୍ୟା ବଢାଇବାକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି।
ମଞ୍ଚରୁ ସେ ନୂଆ ନାରା ଦେଇ କହିଥିଲେ , ଆମେ ଦୁଇ , ଆମର ଦୁଇ ଡର୍ଜନ। ଶୌକତ ଅଲୀ ତାଙ୍କ କଥାକୁ ଆଗକୁ ବଢାଇ କହିଥିଲେ – ତାଙ୍କ ନିଜର ୮ ଜଣ ପିଲା ଏବଂ ତାଙ୍କର ବଡ଼ ଭାଇର ୧୬ ଜଣ ପିଲା। ସେ ମୁସଲମାନଙ୍କ ଠାରୁ ଅଧିକରୁ ଅଧିକ ପିଲା ସୃଷ୍ଟି କରିବାକୁ ଅପିଲ କରିଥିଲେ।
ଶୌକତ ଅଲୀ କହିଥିଲେ –ଯେବେ ଆଲ୍ଲା ପିଲା ଦେଉଛନ୍ତି ତ ତାଙ୍କୁ ସ୍ୱୀକାର କରିବା ଉଚିତ୍ ଏବଂ ଯେପର୍ଯ୍ୟନ୍ତ ଦେଉଛନ୍ତି , ନେଇ ଚାଲିବା ଉଚିତ୍। ଏହି ସମୟରେ ସେ ଦାବି କରିଛନ୍ତି ଯେ, କିଛି ଲୋକ ମୁସଲିମ୍ ଜନସଂଖ୍ୟା ବୃଦ୍ଧିକୁ ନେଇ ଚିନ୍ତିତ। କିନ୍ତୁ ଜନସଂଖ୍ୟା ବଢିବା ଦ୍ୱାରା ଦେଶ ମଜବୁତ ହେବ। ଏହା ବ୍ୟତୀତ ଶୌକତ ଅଲୀ ସପା ଉପରେ ମଧ୍ୟ ଦୃଢ ହମଲା କରିଥିଲେ। ସେ ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ କମାଲ ଅଖତରଙ୍କ ନାମ ନେଇ କହିଥିଲେ ଯେ, ସେ ମୁରାଦାବାଦରେ ମଦ ବିକ୍ରି କରନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ସମାଜବାଦୀ ପାର୍ଟି ଲୋକେ ନିଜେ ମଦ ବିକ୍ରି କରନ୍ତି ଏବଂ ପୁଣି AIMIM ଉପରେ ବିଜେପିର ବି ଟିମ୍ ହେବାର ଅଭିଯୋଗ କରନ୍ତି।
ଶୌକତ ଅଲୀ ମଞ୍ଚରୁ ମବ୍ ଲିଞ୍ଚିଂ ଓ ଅନ୍ୟ ପ୍ରସଙ୍ଗରେ ମଧ୍ୟ କହିଥିଲେ। ସେ କହିଥିଲେ ଯେ, ଏବେ ହିନ୍ଦୁ ସଙ୍ଗଠନ ଗୁଡ଼ିକର ମହିଳାମାନେ ମଧ୍ୟ ମୁସଲମାନଙ୍କ ସହ ଅପମାନ କରୁଛନ୍ତି। ମୁରାଦାବାଦରେ ୧୦୦ଟି ମଦ୍ରାସା ବନ୍ଦ କରିଦିଆ ଯାଇଛି ଏବଂ ମଦ୍ରାସା ଗୁଡ଼ିକୁ ଆତଙ୍କବାଦର ଆଡ୍ଡା କୁହାଯାଏ । ସେ ଅଭିଯୋଗ କରିଥିଲେ ଯେ ମୁସଲିମ୍ ଯୁବତୀଙ୍କ ସାର୍ବଜନିକ ସ୍ଥାନରେ ମୁଖା ଖୋଲା ଯାଉଛି, ମାଂସ ନାଁରେ ମବ୍ ଲିଞ୍ଚିଂ ହେଉଛି, ଟ୍ରେନ୍ ବସ୍ରେ ଯାତ୍ରା ମଧ୍ୟ ସୁରକ୍ଷିତ ନୁହେଁ, ଦାଢି ଟାଣି ଦିଆଯାଉଛି।