ନୂଆଦିଲ୍ଲୀ ୩୧/୮: ମଝି ଆକାଶରେ ଥିବାବେଳେ ପାଣିରେ ମାଛ ଛଟ୍ପଟ୍ ହେବା ଭଳି ହଠାତ୍ ବିମାନ ଯଦି ଝଟ୍କାର ଶିକାର ହୁଏ, ତେବେ ତାହା ଟର୍ବ୍ୟୁଲାନ୍ସ । ବିମାନ ଉଡ଼ାଣରେ ଏହା ଅନ୍ୟତମ ସବୁଠୁ ଭୟାନକ ଓ ବିପଦପୂର୍ଣ୍ଣ ମୁହୂର୍ତ୍ତ । ଏବେ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି, ଏଭଳି ଘଟଣା ଆହୁରି ବଢ଼ିବ ଏବଂ ଆହୁରି ସାଧାରଣ ହେବ । ବିଶ୍ୱ ତାପନ ଏହାର କାରଣ ।
ବ୍ରିଟେନର ୟୁନିଭର୍ସିଟି ଅଫ୍ ରିଡିଂର ଗବେଷକଙ୍କ ଦ୍ୱାରା କରାଯାଇଥିବା ସଦ୍ୟ ଅଧ୍ୟୟନରୁ ଏହି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ଅଧ୍ୟୟନରୁ ଜଣାପଡ଼ିଛି, ଜଳବାୟୁ ପରିବର୍ତ୍ତନ ଉଚ୍ଚରେ ହେଉଥିବା ଜେଟ୍ ଷ୍ଟ୍ରିମ୍ (ପୃଥିବୀ ବାୟୁମଣ୍ଡଳର ପ୍ରାୟ ୩୦ ହଜାର ଫୁଟ ଉଚ୍ଚରେ ପ୍ରବାହିତ ଶକ୍ତିଶାଳୀ ପବନର ଧାରା), ପୃଥିବୀକୁ ପରିକ୍ରମା କରୁଥିବା ଓ ମହାଦେଶମାନଙ୍କରେ ବିମାନର ମାର୍ଗଦର୍ଶନ କରୁଥିବା ଶକ୍ତିଶାଳୀ ପବନର ଧାରାରେ ବ୍ୟାଘାତ ସୃଷ୍ଟି କରୁଛି । ଅଧ୍ୟୟନ ଅନୁସାରେ, ଏହି ପରିବର୍ତ୍ତନ ବାୟୁମଣ୍ଡଳକୁ ଲଗାତାର ଅସ୍ଥିର କରୁଛି । ଏହା ଦ୍ୱାରା ଯାତ୍ରୀ ଓ ବିମାନ ଚାଳକ ଦଳଙ୍କ ପାଇଁ ବିପଦପୂର୍ଣ୍ଣ ଟର୍ବ୍ୟୁଲାନ୍ସର ବିପଦ ବଢୁଛି ।
ଏହି ବିଶ୍ୱବିଦ୍ୟାଳୟ ପୂର୍ବ ଅଧ୍ୟୟନରୁ ଦର୍ଶାଇଥିଲା ଯେ ୧୯୭୯ରୁ ୨୦୨୦ ମସିହା ମଧ୍ୟରେ ଗମ୍ଭୀର ବିମାନ ଟର୍ବ୍ୟୁଲାନ୍ସ ଘଟଣା ୫୫ ପ୍ରତିଶତ ବଢ଼ିଛି । ଆଟ୍ମୋସପିୟରିକ୍ ସାଇନ୍ସେସ୍ ପତ୍ରିକାରେ ପ୍ରକାଶିତ ସଦ୍ୟ ଅଧ୍ୟୟନ ଆକଳନ କରିଛି, ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ଜେଟ୍ ଷ୍ଟ୍ରିମ୍ ପବନର ଧାରାରେ ପରିବର୍ତ୍ତନ ୧୬ରୁ ୨୭ ପ୍ରତିଶତ ବୃଦ୍ଧି ହୋଇପାରେ । ସେହିପରି ମୋଟାମୋଟି ବାୟୁମଣ୍ଡଳୀୟ ସ୍ଥିରତା ୧୦ରୁ ୨୦ ପ୍ରତିଶତ ହ୍ରାସ ହୋଇପାରେ । ଉଭୟ ଗୋଲାର୍ଦ୍ଧରେ ଏହି ପରିବର୍ତ୍ତନ ହୋଇପାରେ ବୋଲି ବୈଜ୍ଞାନିକମାନେ କହିଛନ୍ତି ।
ଅଧ୍ୟୟନର ମୁଖ୍ୟ ଲେଖକ ଜୋଆନା ମେଡିରୋସ୍ କହିଛନ୍ତି, ଶକ୍ତିଶାଳୀ ପବନ ଧାରାରେ ବ୍ୟାଘାତ ଓ ଦୁର୍ବଳ ବାୟୁମଣ୍ଡଳୀୟ ସ୍ଥିରତା କ୍ଲିୟର-ଏୟାର ଟର୍ବ୍ୟୁଲାନ୍ସ (ସିଏଟି) ସ୍ଥିତିକୁ ଦର୍ଶାଉଛି । ଏହା ଟର୍ବ୍ୟୁଲାନ୍ସର ଏକ ନିର୍ଦ୍ଦିଷ୍ଟ ବିପଦପୂର୍ଣ୍ଣ ରୂପ । କାରଣ କୌଣସି ଚେତାବନୀ ବିନା ଏହି ଘଟଣା ଘଟେ ଏବଂ ରାଡାର ମଧ୍ୟ ଏହାକୁ ଚିହ୍ନଟ କରିପାରେ ନାହିଁ । ଟର୍ବ୍ୟୁଲାନ୍ସ ଝଡ଼ ଦ୍ୱାରା ସୃଷ୍ଟି ହେଉଥିବା ବେଳେ ସିଏଟି ବା ପାଇଲଟ୍ ଓ ଯାତ୍ରୀ ପ୍ରସ୍ତୁତ ନ ଥିବାବେଳେ କ୍ଲିୟର-ଏୟାର ଟର୍ବ୍ୟୁଲାନ୍ସର ସମ୍ମୁଖୀନ ହୋଇଥାନ୍ତି । ଫଳରେ ଧନ-ଜୀବନ ହାନିରୁ ରକ୍ଷା ପାଇବା କଷ୍ଟକର ହୋଇପଡ଼େ । ଅଧ୍ୟୟନର ନିଷ୍କର୍ଷରେ ପହଞ୍ଚିବା ପାଇଁ ଗବେଷକମାନେ ୨୬ ବିଶ୍ୱସ୍ତରୀୟ ଜଳବାୟୁ ମଡେଲ ଉପରେ ନିର୍ଭର କରିଥିଲେ ।
ଅଧ୍ୟୟନରୁ ଜଣାପଡ଼ିଲା, ଅଧିକାଂଶ ବ୍ୟବସାୟିକ ଜେଟ୍ଗୁଡ଼ିକର ଯାତାୟାତ ଉଚ୍ଚତା- ପ୍ରାୟ ୩୫ ହଜାର ଫୁଟ ଉଚ୍ଚରେ ଉତ୍ତାପନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ କେନ୍ଦ୍ରିତ ଥାଏ । ଅଧ୍ୟୟନର ସହ-ଲେଖକ ତଥା ଅଗ୍ରଣୀ ବାୟୁମଣ୍ଡଳୀୟ ବୈଜ୍ଞାନିକ ପଲ୍ ୱିଲିୟମ୍ସଙ୍କ ଅନୁସାରେ, ଟର୍ବ୍ୟୁଲାନ୍ସ ପାଇଲଟ୍ ଓ ଯାତ୍ରୀଙ୍କୁ ଗମ୍ଭୀର ଆଘାତ ଦେଇଛି, ମୃତ୍ୟୁର କାରଣ ମଧ୍ୟ ହୋଇଛି । ଅଧ୍ୟୟନରୁ ସ୍ପଷ୍ଟ ହେଉଛି ଯେ ବିମାନ ଯାତ୍ରା ପାଇଁ ଭବିଷ୍ୟତର ଆକାଶ ସୁରକ୍ଷିତ ଓ ସୁଗମ ହୋଇନପାରେ