PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଭୁବନେଶ୍ୱର ବିମାନବନ୍ଦରର ନବକଳେବର : ନୂଆବର୍ଷରେ ନୂଆ ଟାୱାରରୁ ହେବ ବିମାନ ନିୟନ୍ତ୍ରଣ

ଭୁବନେଶ୍ୱର,୧୮/୧୧: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନବକଳେବର ଚାଲିଛି । ଆସନ୍ତା ନୂଆବର୍ଷରେ ନୂଆ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ (ଏଟିସି) ଟାୱାରରୁ ବିମାନ ଚଳାଚଳ ନିୟନ୍ତ୍ରଣ କରାଯିବ । ଟର୍ମିନାଲ-୨ ବିଲ୍ଡିଂ ନିର୍ମାଣ ବି ସରିବା ଉପରେ । ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ । ଅନ୍ୟ ୩ଟି ନୂଆ ପ୍ରକଳ୍ପ ବି ଉଦ୍‌ଘାଟନ ଅପେକ୍ଷାରେ । ଏହାବାଦ୍‌ ‘ରନ୍‌ୱେ’ର ପୁନରୁଦ୍ଧାର କରାଯିବା ସହ କମ୍‌ ଦୃଶ୍ୟମାନ ଲାଇଟ୍‌ ସଂଯୋଗୀକରଣ ଆରମ୍ଭ ହେବ ।

ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ସୂଚନା ମୁତାବକ, ୩୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏଟିସି ଟାୱାରରୁ ଖୁବ୍‌ ଶୀଘ୍ର ବିମାନ ଚଳାଚଳ ନିୟନ୍ତ୍ରଣ କରାଯିବ । ବିଲ୍ଡିଂ ନିର୍ମାଣ କାମ ସରିଯାଇଛି । ଡିସେମ୍ବର ସୁଦ୍ଧା ଏହି ଟାୱାରରେ ବିମାନ ପରିଚାଳନା ପାଇଁ ସମସ୍ତ ସିଷ୍ଟମ ଲଗାଯିବାର ବ୍ୟବସ୍ଥା ଚାଲିଛି । ଯଦି ସବୁ ଠିକ୍‌ଠାକ୍‌ ରୁହେ, ତେବେ ଆସନ୍ତା ଜାନୁଆରୀ ପହିଲାରୁ ଏହି ଟାୱାରରୁ ବିମାନ କମାଣ୍ଡର ଶଦ୍ଦ ଶୁଭିବ । ସେହିପରି ଏୟାରପୋର୍ଟ ଟର୍ମିନାଲ-୨ ନୂଆ ବିଲ୍ଡିଂ ନିର୍ମାଣ କାମ ଦୃତଗତିରେ ଚାଲିଛି । ୨୦୨୦ ଜାନୁଆରୀ ୨୪ ରାତିରେ ଭୁଶୁଡି଼ଥିବା ଲିଙ୍କ୍‌ ବିଲ୍ଡିଂର ନିର୍ମାଣ ବି ସରି ସରି ଆସୁଛି । ଭୁଶୁଡି଼ବା ପରେ ୨୦୨୦ ସେପ୍ଟେମ୍ବରଠୁ ନିର୍ମାଣ କାମ ଆଗେଇଛି । ତେବେ ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ୨ଟି ବିଲ୍ଡିଂ ଯାତ୍ରୀଙ୍କ ପାଇଁ ଖୋଲିପାରିବ । ବିଲ୍ଡିଂ ନିର୍ମାଣରେ ୧୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

ବିମାନବନ୍ଦର ରନୱେ ଏବଂ ପାର୍କିଂ ପାଇଁ ୫୫ କୋଟି ଟଙ୍କା ବ୍ୟୟରେ ୨ଟି ପ୍ରକଳ୍ପ ନିର୍ମାଣ ଆପାତତଃ ସରିଯାଇଛି । ଗୋଟିଏ ହେଲା, ସମାନ୍ତରାଳ ଟ୍ୟାକ୍ସି ଟ୍ରାକ୍‌ । ଏହି ଟ୍ରାକ୍‌ ନିର୍ମାଣ ପରେ ବିମାନବନ୍ଦର ପରିସରରେ ଏକାବେଳକେ ଏକାଧିକ ବିମାନ ଚଳାଚଳ କରିପାରିବ । ସେହିପରି ବିମାନବନ୍ଦର ଉତ୍ତର-ପଶ୍ଚିମ ଦିଗରେ ନୂଆ ୮ଟି ‘ଆପ୍ରନ୍‌ ବେ’ (ବିମାନ ପାର୍କିଂ ସ୍ଥଳ) ଗତ ଜୁନ ମାସରୁ ନିର୍ମାଣ ସରିଛି । ବର୍ତ୍ତମାନ ସୁଦ୍ଧା ବିମାନବନ୍ଦରରେ ମୋଟ ୨୪ଟି ‘ଆପ୍ରନ୍‌ ବେ’ ଅଛି । ଯାହାକି, ପୂର୍ବାଞ୍ଚଳ ଭାରତର ସର୍ବାଧିକ କ୍ଷମତା ବିଶିଷ୍ଠ ।

ଆଗାମୀ ଦିନରେ ବିମାନବନ୍ଦର ରନ୍‌ୱେକୁ ମରାମତି କରାଯିବ । ପୁରୁଣା ରନୱେ ଉପରେ ‘ରି-କାର୍ପେଟିଙ୍ଗ’ କରାଯିବ । ଏଥିପାଇଁ ୧୦୦ କୋଟି ବ୍ୟୟ ଅଟକଳ କରାଯାଇଛି । କମ୍‌ ଦୃଶ୍ୟମାନ (କାଟ୍‌-୩) ଲାଇଟ୍‌ର ଅଭାବ ଯୋଗୁଁ ରାତି ବେଳା ରନ୍‌ୱେରେ ବିମାନ ଅବତରଣ ବେଳେ ଅସୁବିଧା ହେଉଛି । ୪୦ କୋଟି ଟଙ୍କା ଖର୍ଚ୍ଚରେ ଏହି କମ୍‌ ଦୃଶ୍ୟମାନ ଲାଇଟ ରନ୍‌ୱେ ଚାରିପାଖେ ସଂଯୋଗ କରାଯିବ । ପ୍ରତିଦିନ ରାତିରେ ୮ ଘଣ୍ଟା ପାଇଁ ବିମାନ ଚଳାଚଳକୁ ବନ୍ଦ କରାଯିବ । ଏହି ସମୟରେ ରନ୍‌ୱେ ମରାମତି କାମ ଚାଲିବ । ଆସନ୍ତାବର୍ଷ ଉତ୍କଳ ଦିବସରୁ ୨ଟି ବଡ଼ କାର୍ଯ୍ୟର ମୂଳଦୁଆ ପଡି଼ବ । ସେହିପରି ଆସନ୍ତାବର୍ଷ ପହିଲାରୁ ଆଉ ଏକ ସମାନ୍ତରାଳ ଟ୍ୟାକ୍ସି ଟ୍ରାକ୍‌ ନିର୍ମାଣ କାମ ଆରମ୍ଭ ହେବ । ଏଥିପାଇଁ ୫୦ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିବା ସୂଚନା ମିଳିଛି ।