ନୂଆଦିଲ୍ଲୀ,୧୬।୪:  ଅଖିଳେଶ ଯାଦବଙ୍କ ବୟାନର ପାଲଟା ଜବାବ୍ ଦେଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତ୍ରୀ ସ୍ମୃତି ଇରାନୀ। ଗୁରୁବାର ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଉପରେ ଚର୍ଚ୍ଚା ବେଳେ ଅଖିଳେଶ ପରୋକ୍ଷରେ ସ୍ମୃତିଙ୍କ ନାଁ ନେଇ କହିଥିଲେ। ସେ କହିଥିଲେ ‘ସାସ୍-ବହୁ ଓ୍ବାଲି ତୋ ହାର ଗୟି’। ଏହାର ଜବାବ୍‌ରେ ସ୍ମୃତି ଇରାନୀ ସମାଜବାଦୀ ପାର୍ଟି ସାଂସଦ ଅଖିଳେଶ ଯାଦବଙ୍କୁ ପରମର୍ଶ ଦେଇ କହିଛନ୍ତି ସିରିୟଲ କଥାରୁ ହଟି ସେ ସଂସଦ ଉପରେ ଧ୍ୟାନ ଦିଅନ୍ତୁ।’

ସ୍ମୃତି କହିଛନ୍ତି, ଶୁଣିବାକୁ ମିଳୁଛି ଯେ କୁଆଡେ ମୋତେ ଅଖିଳେଶ ଯାଦବ ସଂସଦରେ ଖୁବ୍ ମନେ ପକାଉଛନ୍ତି। କର୍ମଜୀବି ମହିଳାଙ୍କ ଉପରେ ମଧ୍ୟ ଟିପ୍ପଣୀ ଦେଉଛନ୍ତି, ଯିଏକି ଜୀବନରେ କେବେ ବି ଗୋଟିଏ ଥର କୌଣସି ଚାକିରୀ କରି ନାହାଁନ୍ତି। ସ୍ମୃତି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ‘ଶୁଣିଲି ଯେ, ଅଖିଳେଶ ଜୀ ମୋତେ ସଂସଦରେ ମନେପକାଇଲେ। ଭଲ କଥା, ଯାହାଙ୍କୁ ରାଜନୀତି ପରମ୍ପରା ଭାବରେ ମିଳିଛି, ସେସେ ପୁଣି ମୋତେ କହୁଛନ୍ତି, ଯିଏ ନିଜର ଦମ୍‌ରେ ଆକାଶ ଛୁଇଁ ପାରିଛି। କର୍ମଜୀବି ମହିଳା ଉପରେ ସେ ଟିପ୍ପଣୀ କରୁଛନ୍ତି, ଯିଏ ଜୀବନରେ କେବେ ବି କୌଣସି ଚାକିରୀ କରି ନାହାଁନ୍ତି। ସିରିଏଲରୁ ହଟି ସଂସଦ ଉପରେ ଧ୍ୟାନ ଦିଅନ୍ତୁ, ମହିଳାଙ୍କ ସମ୍ଭଳ ପାଇଁ ଗୁରୁତ୍ବପୂର୍ଣ୍ଣ ବିଲ୍ ପାସ୍ କରାନ୍ତୁ।’

ମହିଳା ସଂରକ୍ଷଣ ଏବଂ ସୀମା ନିର୍ଦ୍ଧାରଣ ବିଲ୍ ଉପରେ ଲୋକସଭାର ଏକ ସ୍ୱତନ୍ତ୍ର ଅଧିବେଶନ ସମୟରେ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ଏହି ଅଧିବେଶନ ସମୟରେ, ସମାଜବାଦୀ ପାର୍ଟି ସାଂସଦ ଅଖିଳେଶ ଯାଦବ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କଟାକ୍ଷ କରିଥିଲେ। ସେ କହିଥିଲେ ‘ସାସ୍-ବହୁ ଓ୍ବାଲି ତୋ ହାର ଗୟି’ । ଏହି ଲୋକେମାନେ ମହିଳାଙ୍କୁ ସେମାନଙ୍କର ପ୍ରକୃତ ଅଧିକାର ଦେବାକୁ ଚାହାଁନ୍ତି ନାହିଁ। ବିଜେପି ‘ମହିଳା’ କୁ କେବଳ ଏକ ସ୍ଲୋଗାନ ଭାବରେ ବ୍ୟବହାର କରୁଥିବାର ଅଭିଯୋଗ ଆଣିଥିଲେ ଅଖିଳେଶ। ସେ କହିଥିଲେ ଯେଉଁ ଦଳ ନିଜ ସଂଗଠନ ଭିତରେ ମହିଳାଙ୍କୁ ପର୍ଯ୍ୟାପ୍ତ ସ୍ଥାନ ଦେଉନାହିଁ, ସେ କିଭଳି ସେମାନଙ୍କର ସମ୍ମାନ ଏବଂ ଅଧିକାର ବିଷୟରେ କହିପାରିବ ? ବହୁ ବର୍ଷ ଧରି କ୍ଷମତାରେ ରହିବା ସତ୍ତ୍ୱେ, ଦେଶରେ ଲିଙ୍ଗଗତ ସମାନତାର ସ୍ଥିତି ଅସନ୍ତୁଷ୍ଟଜନକ ରହିଛି।’

ଉଲ୍ଲେଖନୀୟ ଯେ,  ସ୍ମୃତି ଇରାନୀ ଟେଲିଭିଜନ ଜଗତରେ ସବୁଠାରୁ ଅଧିକ ଜଣାଶୁଣା ସିରିୟଲ ହେଉଛି କ୍ୟୁଁକି ସାସ୍ ଭି କଭି ବହୁ ଥି’  ଏଥିରେ ସେ 'ତୁଳସୀ ମିହିର ବିରାନୀ' ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ। ଏବେ ପୁଣିଥରେ ସେ "କ୍ୟୁଁକି ସାସ୍ ଭି କଭି ବହୁ ଥି’ ସିରିୟଲର ସିଜିନ୍‌-୨ ରେ ବି କାମ କରୁଛନ୍ତି। ରାଜନୀତି ଦୁନିଆରେ ସକ୍ରିୟ ରହିବା ପରେ ଏବେ ପୁଣିଥରେ ସେ କଳାର ଦୁନିଆକୁ ଫେରିଛନ୍ତି।