ନୂଆଦିଲ୍ଲୀ,୧୧/୧୦: ଲକ୍ଷ୍ନୌରେ ସମାଜବାଦୀ ପାର୍ଟି କର୍ମୀଙ୍କ ବିକ୍ଷୋଭ। ପ୍ରବଳ ଉତ୍ତେଜନା ପରେ କିଛି ଲୋକଙ୍କୁ ଉଠାଇ ନେଇଛି ପୋଲିସ। ସମାଜବାଦୀ ପାର୍ଟି ନେତା ଜୟପ୍ରକାଶ ନାରାୟଣଙ୍କ ଜନ୍ମ ଜୟନ୍ତୀରେ ମାଲ୍ୟାର୍ପଣ ସମୟରେ ଏହି ଉତ୍ତେଜନା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଆଜି ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ଥିଲା। ଲକ୍ଷ୍ନୌ ସ୍ଥିତ ଜୟପ୍ରକାଶ ନାରାୟାଣ ଇଣ୍ଟରନ୍ୟାସନାଲ ସେଣ୍ଟର ରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କିନ୍ତୁ ସେଣ୍ଟର ବାହାରେ ବିଜେପି ଟିଣ ଚାଦର ଲଗାଇ ଅବରୋଧ କରିଥିବା ଅଭିଯୋଗ କରିଛନ୍ତି ଅଖିଳେଶ ଯାଦବ। ବିଜେପି ସରକାର ଜେପିଏନଆଇସି ସମ୍ମୁଖରେ ଟିଣ ଚାଦର ଲଗାଇ ଆମ ବାଟ ରୋକିବାକୁ ଚେଷ୍ଟା କରିଥିବା ସେ ଅଭିଯୋଗ କରିଥିଲେ। ଏହାକୁ ନେଇ ଦଳୀୟ କର୍ମୀ ଜେପିଏନଆଇସି ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦଳୀୟ ପତାକା ସହ ଜୟପ୍ରକାଶ ନାରାୟଣଙ୍କ ପ୍ଲାଏ କାର୍ଡ ଧରି ନାରା ଦେଇଥିଲେ। ଏହାପରେ ପୋଲିସ ପହଞ୍ଚି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ବ୍ୟାରିକେଡ ଲଗାଇଥିଲା। ସମାଜବାଦୀ କର୍ମୀ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାରି ମଧ୍ୟରେ ଅଖିଳେଶ ଯାଦବ ରାସ୍ତା ଉପରେ ଜୟପ୍ରକାଶ ନାରାୟଙ୍କ ପ୍ରତିମୂର୍ତ୍ତି ରଖି ମାଲ୍ୟାର୍ପଣ କରିଥିବା ଦେଖିବାକୁ ମିଳିଛି। ସ୍ଥିତି ଅସମ୍ଭାଳ ହେବାରୁ କିଛି କର୍ମୀଙ୍କୁ ଉଠାଇ ନେଇଛି ପୋଲିସ।