ଭୁବନେଶ୍ୱର,୨୧/୦୪: ସୁନାର ଚଢ଼ା ଦର ମଧ୍ୟରେ ଦେଶବାସୀ ପବିତ୍ର ପର୍ବ ଅକ୍ଷୟ ତୃତୀୟାକୁ ପାଳନ କରିଛନ୍ତି । ଏହି ଦିନ ସୁନା କିଣିଲେ ଘରକୁ ସମୃଦ୍ଧି ଆସେ ବୋଲି ରହିଛି ବିଶ୍ୱାସ । ପୂର୍ବବର୍ଷ ତୁଳନାରେ ଏ ବର୍ଷ ଅକ୍ଷୟ ତୃତୀୟାରେ ସୁନା ଦର ହୋଇଯାଇଛି ୫୨,୦୦୦ ଟଙ୍କାରୁ ଅଧିକ ମହଙ୍ଗା । ଏହାସତ୍ତେ୍ୱ ଲୋକେ ପରମ୍ପରାକୁ ଆଗେଇ ନେଇ ହାଲୁକା ଗହଣା ଆଡ଼କୁ ମୁହାଁଇଛନ୍ତି । ଅପେକ୍ଷାକୃତ କମ୍ ଦର ଯୋଗୁ ୧୮ କ୍ୟାରେଟ୍ ସୁନା ଗହଣା ଏବଂ ହୀରା ଗହଣାର ଏକ ନୂଆ ଟ୍ରେଣ୍ଡ୍ ତିଆରି ହୋଇଛି । ଏ ବର୍ଷ ବିକ୍ରିରେ ପ୍ରାୟ ୧୦% ଅଭିବୃଦ୍ଧି ଘଟିଥିବା ବଜାର ସୂତ୍ରରୁ ଜଣାପଡ଼ିଛି । ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ରାଜ୍ୟବାସୀ ପ୍ରାୟ ୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା କିଣିଥିବା ବଜାର ସୂତ୍ରରୁ ଜଣାପଡ଼ିଛି ।

ଗତବର୍ଷ ଅକ୍ଷୟ ତୃତୀୟାରେ ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍ ସୁନା ଦର ଥିଲା ପ୍ରାୟ ପାଖାପାଖି ୯୦,୦୦୦ ଟଙ୍କା ରହିଥିଲା । ଏ ବର୍ଷ ଏହା ଲକ୍ଷେ ୪୨ ହଜାର ଟଙ୍କା ଉପରେ। ଅର୍ଥାତ୍ ବର୍ଷକରେ ଦର ପାଖାପାଖି ୬୦% ବଢ଼ିଯାଇଛି । ୨୪ କ୍ୟାରେଟ୍ ସୁନା ଦର ଏବେ ଲକ୍ଷେ ୫୫ ହଜାର ଉପରେ । ତେଣୁ ସାଧାରଣ ଲୋକେ ହାଲୁକା ଗହଣା କିଣି ଅକ୍ଷୟ ତୃତୀୟା ପରମ୍ପରାକୁ ବଜାୟ ରଖିଥିବା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି । ରୁପା ସାମଗ୍ରୀ ମଧ୍ୟ ଭଲ ଆକାରରେ ବିକ୍ରି ହୋଇଛି । ଅକ୍ଷୟ ତୃତୀୟା ଅଫରରେ ଗ୍ରାହକ ବିବାହ ଗହଣା ମଧ୍ୟ କିଣିଥିବା ଏମାନେ ପ୍ରକାଶ କରିଛନ୍ତି ।

ସୁନା ଦର ବଢ଼ିଥିଲେ ମଧ୍ୟ କାରବାର ସ୍ୱାଭାବିକ ରହିଛି । ପ୍ରାୟ ୧୦% ଯାଏ କାରବାର ବଢ଼ିଥିବା କହିଛନ୍ତି ଜୁଏଲର୍ସ । ୨ ଦିନ ଅକ୍ଷୟ ତୃତୀୟା ମୁହୁର୍ତ୍ତ ରହିଥିବାରୁ ଲୋକେ ୨ ଦିନ ସୁନା ଗହଣା କିଣିଛନ୍ତି । ପୁରୁଣା ଗହଣା ଗୁଡ଼ିକର ଏକ୍ସଚେଞ୍ଜ କରାଇ ମଧ୍ୟ ନୂଆ ଗହଣା କିଣିଛନ୍ତି । ଗହଣା ଏକ୍ସଚେଞ୍ଜ କରି ନୂଆ ଗହଣା କିଣିବା ନୂଆ ଟ୍ରେଣ୍ଡ ଭାବେ ଉଭା ହୋଇଛି ।

ଏବେ ହୀରା ଗହଣାଗୁଡ଼ିକର ଚାହିଦା ବଢ଼ିଛି । ସୁନା ଗହଣା ଠାରୁ ଅପେକ୍ଷାକୃତ କମ୍ ଦରରେ ମିଳୁଥିବାରୁ ଏହି ଗହଣା ଗୁଡ଼ିକର ବିକ୍ରି ବଢ଼ିଛି । ହୀରାର ଗିଫ୍ଟ କଲେକ୍ସନଗୁଡ଼ିକ ୧୫ ହଜାର ଟଙ୍କାରୁ ଆରମ୍ଭ ହେଉଥିବାରୁ ଲୋକେ ଏହାକୁ କିଣିବାକୁ ବେଶ ଆଗଭର ହେଉଛନ୍ତି । ୧୮ କ୍ୟାରେଟ ବର୍ଗରେ ଗହଣା ଚାହିଦାକୁ ନଜରରେ ରଖି ଜୁଏଲର୍ସ ମାନେ ଏଥର ବିଶେଷ ପ୍ରସ୍ତୁତି କରିଥିଲେ । ଏହି ଗହଣା ଗୁଡିକର ବିକ୍ରି ମଧ୍ୟ ବେଶ ଉନ୍ନତ ରହିଛି ।

ବଜେଟ ଦୃଷ୍ଟିରୁ ୨୨ କ୍ୟାରେଟ ତୁଳନାରେ ୧୮ କ୍ୟାରେଟ ସୁନା ଗହଣା ପ୍ରତି ବିଶେଷ ଆଗ୍ରହ ଦେଖିବାକୁ ମିଳୁଛି । ଗିଫ୍ଟ ଆଇଟମରେ ହୀରା ମୁଦି ଟ୍ରେଣ୍ଡରେ ରହିଛି । ୧୫ରୁ ୨୦ ହଜାର ଟଙ୍କାରେ ହୀରା ମୁଦି ଉପଲବ୍ଧ ରହୁଛି । ସେହିଭଳି ହାଲୁକା ଗହଣାଗୁଡ଼ିକର ବିକ୍ରି ବେଶ ଭଲ ରହିଥିଲା । କର୍ମଜୀବି ଏବଂ ଦୈନନ୍ଦିନ ବ୍ୟବହାର କ୍ଷେତ୍ରରେ ମହିଳାମାନେ ଏହି ଗହଣାଗୁଡ଼ିକୁ ବେଶି ପସନ୍ଦ କରୁଛନ୍ତି । ଏଥିରେ ନେକ୍ଲେସ, କାନଫୁଲ, ମଙ୍ଗଳସୂତ୍ର, ମୁଦି, ଚୁଡ଼ି ସାମିଲ ରହିଛି । ଏହାବାଦ ବିବାହ ପାଇଁ ପାରମ୍ପରିକ ଗହଣା ଏବଂ ବିବାହ ଗହଣା କିଣା ମଧ୍ୟ ଜାରି ରହିଛି ।

ଅକ୍ଷୟ ତୃତୀୟା ଉପଲକ୍ଷେ ଗହଣା ବ୍ୟବସାୟୀମାନେ ଗଢ଼ା ମଜୁରି ଉପରେ ବିଶେଷ ରିହାତି ପ୍ରଦାନ କରିଥିଲେ । ସେହିଭଳି ହୀରା ଗହଣା ମୂଲ୍ୟ ଏବଂ ଗଢ଼ା ମଜୁରି ଉପରେ ଅଫର ରହିଥିଲା । ନିର୍ଦ୍ଧିଷ୍ଟ କ୍ରୟ ଉପରେ କ୍ୟାସ୍ବ୍ୟାକ, ସୁନା ମୂଲ୍ୟ ଉପରେ ରିହାତି, ପ୍ରିବୁକିଂ ଭଳି ସୁବିଧା ଗ୍ରାହକଙ୍କୁ ଗହଣା କ୍ରୟ ପ୍ରତି ବେଶ ଆକୃଷ୍ଟ କରୁଛି । ଅକ୍ଷୟ ତୃତୀୟା ପାଇଁ ସୋ’ରୁମ ଗୁଡ଼ିକ ସକାଳ ୮ଟାରୁ ଖୋଲିଥିଲା । ସେହିଭଳି ଗ୍ରାହକଙ୍କ ସୁବିଧା ଲାଗି ଅତିରିକ୍ତ କାଉଣ୍ଟର ଏବଂ ପାର୍କିଂ ବ୍ୟବସ୍ଥା କରାଯାଇଥିଲା ।

ଖିମଜୀ ଜୁଏଲର୍ସର ଏମ୍‌ଡି ମିତେଶ ଖିମଜୀ କହିଛନ୍ତି, ଏଥର ଅକ୍ଷୟ ତୃତୀୟା ୨ ଦିନ ଥିବାରୁ ଉଭୟ ଦିନରେ ଗ୍ରାହକ ସୁନା ଗହଣା କିଣିଛନ୍ତି । ଉଭୟ ସୁନା ଓ ହୀରା ଗହଣା ବିକ୍ରି ଉନ୍ନତ ରହିଛି । ଗତ ବର୍ଷ ତୁଳନାରେ ସୁନା ଗହଣା କାରବାର ୨୫-୨୯% ଏବଂ ହୀରା କ୍ଷେତ୍ରରେ ୧୫% ବୃଦ୍ଧି ହୋଇଛି ।

ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସର ମାର୍କେଟିଂ ମ୍ୟାନେଜର ସିଦେ୍ଧଶ୍ୱର ରଥ କହିଛନ୍ତି, ସୁନା ଦର ବଢ଼ିଥିଲେ ବି କାରବାର ଉପରେ ଏହାର ଏତେଟା ପ୍ରଭାବ ପଡିନାହିଁ । ଏଥର ୨ ଦିନ ଅକ୍ଷୟ ତୃତୀୟା ରହିଥିଲା । ଲୋକେ ନିଜ ସୁବିଧା ମୁତାବକ ଷ୍ଟୋର ଆସି ସୁନା ଗହଣା କ୍ରୟ କରିଛନ୍ତି । ଚଳିତ ବର୍ଷ ଅକ୍ଷୟ ତୃତୀୟାରେ ଆଶା ମୁତାବକ କାରବାର ହୋଇଛି । ତନିସ୍କର ବରିଷ୍ଠ ଅଧିକାରୀ ଅରିନ୍ଦମ ପ୍ରାମାଣିକ କହିଛନ୍ତି, ଗତ ବର୍ଷ ଭଳି ଏ ବର୍ଷ ମଧ୍ୟ ବେଶ୍ ଭଲ କାରବାର ହୋଇଛି । ୨ ଦିନ ଯାକ ସୋ’ରୁମରେ ଗ୍ରାହକଙ୍କ ଆଗମନ ଉନ୍ନତ ରହିଥିଲା । ଏଥର ଆମେ ଗ୍ରାହକଙ୍କୁ ନୂଆ କଲେକ୍ସନ ସହ ଅନ୍ୟ ଆକର୍ଷଣୀୟ ଅଫର ପ୍ରଦାନ କରିଥିଲୁ । ଏହା ବିକ୍ରି ବଢ଼ାଇବାରେ ସହାୟକ ହୋଇଛି।