ମୁମ୍ବାଇ ୨୩/୦୭: ବୁସାନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଚଳିତ ବର୍ଷର ଏସିଆନ୍‌ ପ୍ରୋଜେକ୍ଟ ମାର୍କେଟ୍‌ ପାଇଁ ସୋନି ରାଜଦାନଙ୍କ ନିର୍ଦ୍ଦେଶିତ ଏବଂ ଆଲିୟା ଓ ଶାହୀନ ଭଟ୍ଟଙ୍କ ପ୍ରଯୋଜିତ ଫିଲ୍ମ ‘ଡିଫିକଲ୍ଟ ଡଟର୍ସ’କୁ ଚୟନ କରାଯାଇଛି । ପାୟଲ କପାଡ଼ିଆ, କନି କୁସରୁତି ଓ ଜୋ ବେବିଙ୍କ ‘ଦ ଲାଷ୍ଟ୍‌ ଅଫ୍‌ ଦେମ୍‌ ପ୍ଲାଗ୍‌ସ’କୁ ମଧ୍ୟ ଏଥିରେ ଚୟନ କରାଯାଇଛି । କୁଞ୍ଜିଲା ମସ୍‌ସିଲାମନି ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଭାରତର ଅନ୍ୟତମ ପ୍ରୋଜେକ୍ଟ ମଧ୍ୟରେ ସୌରଭ ରାୟଙ୍କ ନିର୍ଦ୍ଦେଶିତ ‘ଲଙ୍କା (ଦ ଫାୟାର)’ ଓ ‘ପ୍ରଦୀପ କୁରବାହଙ୍କର ‘ମୁନ୍‌’ର ମଧ୍ୟ ଏଣ୍ଟ୍ରି ହୋଇଛି । ଫିଲ୍ମର କାମ ଚାଲିଥିବାରୁ ଅଧିକ ସୂଚନା ଦେବାକୁ ସୋନି ରାଜଦାନ ମନା କରିଛନ୍ତି । 

ତେବେ ଚଳିତ ବର୍ଷ ଏସିଆନ୍‌ ପ୍ରୋଜେକ୍ଟ ମାର୍କେଟ୍‌ରେ ଚୟନ ପାଇଁ ୪୪ ଦେଶର ୪୫୫ ଫିଲ୍ମ ଆବେଦନ କରିଥିଲେ । ତନ୍ମଧ୍ୟରୁ ୩୦ ଫିଲ୍ମକୁ ଚୂଡ଼ାନ୍ତ ତାଲିକାରେ ସାମିଲ କରାଯାଇଛି । ଏସିଆନ୍‌ ପ୍ରୋଜେକ୍ଟ ମାର୍କେଟ୍‌ ଉଦୀୟମାନ ପ୍ରତିଭାଙ୍କୁ ଖୋଜି ବୈଶ୍ୱିକ ନିବେଶକ, ପ୍ରଯୋଜକ ଓ ବିତରକଙ୍କ ସହ ସେମାନଙ୍କୁ ଯୋଡ଼େ ।