ନୂଆଦିଲ୍ଲୀ,୧୭/୧୦: ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ ପାଇଁ ୨୦ ଦଳ ଚୂଡ଼ାନ୍ତ ହୋଇଛି । ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ଅନ୍ତିମ ଦଳ ଭାବେ ଯୋଗ୍ୟତା ଅର୍ଜନ କରିଛି । ଏହା ସହିତ ସମସ୍ତ ୨୦ ଦଳ ଫାଇନାଲ୍ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ଆୟୋଜନ କରାଯିବ । ୟୁଏଇ ଶେଷ ଦଳ ଭାବେ ଯୋଗ୍ୟତା ଅର୍ଜନ କରିଛି । ଓମାନରେ ଜାପାନକୁ ପରାସ୍ତ କରି ନିଜର ସ୍ଥାନ ସୁରକ୍ଷିତ କରିଛି । ଚଳିତ ଏସିଆ-ଫାସିଫିକ୍ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ଜାପାନକୁ ୮ ୱିକେଟରେ ହରାଇ ବିଶ୍ୱକପ୍ ଟିକେଟ୍ ହାସଲ କରିଛି ୟୁଏଇ ।
ୟୁଏଇର ଏକତରଫା ବିଜୟ- ଜାପାନ-ୟୁଏଇ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ୟୁଏଇ ଏକତରଫା ଭାବରେ ମ୍ୟାଚ୍ ଜିତିଥିଲା । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ୟୁଏଇ । ଯାହା ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଜାପାନ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୧୬ ରନ୍ କରିପାରିଥିଲା । ୧୧୭ ରନ୍ର ବିଜୟ ଲକ୍ଷ୍ୟ ପିଛା କରି ୟୁଏଇ ୧୨.୧ ଓଭରରେ ୨ ୱିକେଟ୍ ହରାଇ ଟାର୍ଗେଟ ହାସଲ କରିଥିଲା । ଆଲିଶାନ୍ ଶରାଫୁ ୪୬ ରନ୍ର ଇନିଂସ ଖେଳିଥିଲେ । ଅଧିନାୟକ ମହମ୍ମଦ ୱାସିମ୍ ମଧ୍ୟ ୪୨ ରନ୍ କରିଥିଲେ । ୟୁଏଇ ବ୍ୟତୀତ ନେପାଳ ଏବଂ ଓମାନ ମଧ୍ୟ ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୬ ପାଇଁ ଟିକେଟ୍ ହାସଲ କରିଛନ୍ତି ।
ଆସନ୍ତାବର୍ଷ ଭାରତ-ଶ୍ରୀଲଙ୍କା ମିଳିବ ଭାବେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଆୟୋଜନ କରିବେ । ଫେବୃଆରୀ ୭ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ମାର୍ଚ୍ଚ ୮ରେ ଶେଷ ହେବ । ମୋଟ ୨୦ ଦଳ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । ଆୟୋଜକ ଦଳ ଭବେ ଭାରତ ଓ ଶ୍ରୀଲଙ୍କା ସିଧାସଳଖ ଟିକେଟ୍ ପାଇଥିଲେ । ସେହିପରି ୨୦୨୪ ଟି-ଟ୍ୱେଣ୍ଟି ବିସ୍ୱକପର ଶ୍ରେଷ୍ଠ ପ୍ରଦର୍ଶନକାରୀ ୭ଟି ଦଳ ଯଥା ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଆମେରିକା, ୱେଷ୍ଟଇଣ୍ଡିଜ ଦଳ ବି ସିଧା ଯୋଗ୍ୟତା ଅର୍ଜନ କରିଥିଲେ ।
ପୁରୁଷ ଟି-ଟ୍ୱେଣ୍ଟି ବିଶ୍ୱକପ ଦଳ- ଭାରତ, ଶ୍ରୀଲଙ୍କା, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୟୁଏସ୍ଏ, ୱେଷ୍ଟଇଣ୍ଡିଜ, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, କାନାଡ଼ା, ଇଟାଲୀ, ନେଦରଲାଣ୍ଡ, ନାମ୍ବିବିଆ, ଜିମ୍ୱାୱେ, ନେପାଳ, ଓମାନ, ୟୁଏଇ ।
ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପର ପ୍ରଥମ ସଂସ୍କରଣ ୨୦୦୭ରେ ଖେଳାଯାଇଥିଲା । ଭାରତ ପୂର୍ବ ସଂସ୍କରଣ (୨୦୨୪)ର ଚାମ୍ପିଅନ୍ ଥିଲା ଏବଂ ଏଥର ବି ତା'ର ଟାଇଟଲ୍ ବଜାୟ ରଖିବାକୁ ଚେଷ୍ଟା କରିବ । ଭାରତ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟର ସବୁଠାରୁ ସଫଳ ଦଳ ମଧ୍ୟରୁ ଗୋଟିଏ । ଟିମ୍ ଇଣ୍ଡିଆ, ୱେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ ଦୁଇଟି ଲେଖାଏଁ ଟାଇଟଲ୍ ଜିତିଛନ୍ତି । ପାକିସ୍ତାନ, ଶ୍ରୀଲଙ୍କା ଏବଂ ଅଷ୍ଟ୍ରେଲିଆ ଗୋଟିଏ ଲେଖାଏଁ ଟାଇଟଲ୍ ଜିତିଛନ୍ତି ।