ଏଣିକି ରାତିରେ ଜେଲ ଅନ୍ତେବାସୀ ଖାଇବେ ମାଣ୍ଡିଆ ବିସ୍କୁଟ, ଶରୀରକୁ ଶକ୍ତି ଯୋଗାଇବା ସହିତ ଭୋକରୁ ମୁକ୍ତ କରିବ

ଭୁବନେଶ୍ୱର,୨୬/୦୫: ରାଜ୍ୟର ସବୁ କାରାଗାରରେ ଜେଲ ଅନ୍ତେବାସୀଙ୍କୁ ରାତ୍ର ଭୋଜନ ପରେ ଦିଆଯିବ ଦୁଇଟି ମାଣ୍ଡିଆ ବିସ୍କୁଟ । ଓୟୁଏଟିରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କୃଷି ଓ କୃଷକ କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ ପାଢୀ କହିଛନ୍ତି । ଡ. ପାଢ଼ୀ କହିଛନ୍ତି, ଖୁବ୍ ଶୀଘ୍ର ଜେଲ୍ ଅନ୍ତେବାସୀ ରାତିରେ ମାଣ୍ଡିଆ ବିସ୍କୁଟ କିମ୍ବା ମାଣ୍ଡିଆରୁ ପ୍ରସ୍ତୁତ ଶୁଖିଲା ଖାଦ୍ୟ ଖାଇବେ । ମଧୁମେହ ରୋଗୀଙ୍କ ଲାଗି ଏହା ବେଶ ଲାଭପ୍ରଦ ହେବ । ରାତିରେ ଅନ୍ତେବାସୀଙ୍କୁ ମିଲେଟ୍ ଖାଦ୍ୟ ମିଳିଲେ, ସେମାନଙ୍କ ସ୍ୱାସ୍ଥ୍ୟ ଠିକ୍ ରହିବ ।
ସେପଟେ ନିୟମ ରହିଛି, ଅନ୍ତେବାସୀଙ୍କୁ ସନ୍ଧ୍ୟା ୬ଟା ପୂର୍ବରୁ ରାତ୍ରିଭୋଜନ ଦିଆଯାଏ । ରାତି ବେଳା ନ ଖାଇବା ଯୋଗୁଁ ଅନେକ କଏଦୀ ଭୋକରେ ଆଉଟୁପାଉଟୁ ହେଉଛନ୍ତି । ଏମିତିକି କିଛି ଅନ୍ତେବାସୀଙ୍କ ଦେହ ଖରାପ ହେଉଥିବା ନଜିର୍ ରହିଛି । ସେଥିପାଇଁ ଜେଲ ଅନ୍ତେବାସୀଙ୍କୁ ରାତିରେ ମିଲେଟ ବିସ୍କୁଟ ଦିଆଯିବ । ଏଥିରେ ପ୍ରୋଟିନ ପ୍ରଚୁର ପରିମାଣରେ ରହିଥିବାରୁ ଶରୀରକୁ ଶକ୍ତି ଯୋଗାଇବା ସହିତ ଭୋକରୁ ମୁକ୍ତ କରିବ ।
ଝାରପଡ଼ା ସ୍ୱତନ୍ତ୍ର କାରାଗାର ଜେଲର ସନ୍ତୋଷିନୀ ଦାଶ କହିଛନ୍ତି, ଏହି ନିୟମ ଖୁବ୍ ଶୀଘ୍ର ଲାଗୁ ହେବ । ସମସ୍ତ କଏଦୀଙ୍କୁ ମିଲେଟ୍ ବିସ୍କୁଟ ଦିଆଯିବ । ତା’ ସହ ଜେଲ୍ ପରିସରରେ ବେକେରୀ ୟୁନିଟ୍ ଖୋଲିବ । ସେଠାରେ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରି ହେବ । ଏହି ଲକ୍ଷ୍ୟରେ ଗତ ଜାନୁଆରୀ ୧୧ ତାରିଖରେ ଜେଲ ପରିସରରେ ‘ମିଲେଟ୍ ଶକ୍ତି କାଫେ’ ଖୋଲାଯାଇଛି । ରାଜ୍ୟ ସରକାରଙ୍କ ମାଣ୍ଡିଆ ଖାଦ୍ୟ ପ୍ରସାର ଅଭିଯାନରେ ସାମିଲ ହୋଇଛି ଝାରପଡ଼ା ସ୍ୱତନ୍ତ୍ର କାରାଗାର । ସୂଚନା ଅନୁସାରେ, ବର୍ତ୍ତମାନ ଜେଲ୍ର ପୁରୁଷ ୱାର୍ଡରେ ୧୫ଜଣ ଅନ୍ତେବାସୀ ମାଣ୍ଡିଆରୁ ବିଭିନ୍ନ ଖାଦ୍ୟ ପ୍ରସ୍ତୁତରେ ଲାଗିଛନ୍ତି । ଜେଲ୍ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଛନ୍ତି, ଖୁବ ଶୀଘ୍ର ଏହି ପ୍ରସ୍ତୁତି ପ୍ରଣାଳୀ ମହିଳା ଅନ୍ତେବାସୀ ଶିଖିବେ । ଏହାର ଲାଭାଂଶରେ ଅନ୍ତେବାସୀମାନେ ଆତ୍ମନିର୍ଭରଶୀଳ ହେବା ସହ ସ୍ୱାବଲମ୍ବୀ ହୋଇପାରିବେ ।