ଭୁବନେଶ୍ୱର, ୨୪/୧୧ : ନିଖିଳ ଓଡ଼ିଶା ଆୟୁଷ ସଂଗଠନ ପକ୍ଷରୁ ତାଲା ବନ୍ଦ ଡାକରା। ରାଜ୍ୟର ବିଭିନ୍ନ ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରେ ସୋମବାର ୮ଦଫା ଦାବି ନେଇ ଧାରଣାରେ ବସିଲେ ଡ଼ାକ୍ତରୀ ଛାତ୍ରଛାତ୍ରୀ ଓ ହାଉସ ସର୍ଜନ। ଆୟୁଷ ଛାତ୍ରୀଛାତ୍ର ଯେଉଁ ୮ ଦଫା ଦାବି ଉପସ୍ଥାପନ କରିଛନ୍ତି, ସେଥିରେ ଓପିଏସ୍ସି ମାଧ୍ୟମରେ ନୂଆ ସ୍ଥାୟୀ ଆୟୁଷ ମେଡିକାଲ ଅଫିସର ପଦବୀ ସୃଷ୍ଟି କରିବା, ଉଚ୍ଚ ଶିକ୍ଷା ସୁବିଧା ପାଇଁ ପିଜି ଓ ପିଏଚଡି ସିଟ୍ ବଢ଼ାଇବା, ଆୟୁଷ ହାଉସ୍ ସର୍ଜନମାନଙ୍କ ପାଇଁ ଡାଇନାମିକ ଷ୍ଟାଇପେଣ୍ଡ ବୃଦ୍ଧି, ଆୟୁଷ କଲେଜ ଗଭର୍ନିଂବଡିର ପୁନର୍ଗଠନ କରିବା, କଲେଜ ଏବଂ ଆୟୁଷ ମନ୍ତ୍ରଣାଳୟର ଗେଜେଟର ପୂର୍ଣ୍ଣ ପ୍ରୟୋଗ କରି ଉଭୟ ଶିକ୍ଷା ଓ ଭିତ୍ତିଭୂମିର ବିକାଶ କରିବାକୁ ଦାବି କରିଛନ୍ତି।
ଛାତ୍ରଛାତ୍ରୀମାନେ ସମସ୍ତ ଯୋଜନା ଯଥା ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଯଥା ନିରାମୟ, ଗୋପବନ୍ଧୁ ଜନ ଆରୋଗ୍ୟ ଆଦିରେ ଆୟୁଷକୁ ସମ୍ମିଳିତ କରିବା ଓ ଆୟୁଷ ଚିକିତ୍ସାଳୟ ନିମନ୍ତେ ସଚେତନତା ଓ ପ୍ରଚାର କରିବାକୁ ଦାବି କରିଛନ୍ତି। ସ୍ବତନ୍ତ୍ର ଆୟୁଷ ବିଭାଗ ସ୍ଥାପନ କରି ଏହାକୁ ରାଜନୈତିକ ଓ ପ୍ରଶାସନିକ ଦ୍ବନ୍ଦ୍ବରୁ ମୁକ୍ତି ଦେବାକୁ ଆୟୁଷ ଡାକ୍ତରୀ ଛାତ୍ରୀଛାତ୍ରମାନେ ଦାବି କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ଅନିର୍ଦ୍ଦିଷ୍ଟ କାଳଯାଏ ମହାବିଦ୍ୟାଳୟରେ ପ୍ରତିବାଦ ଜାରି ରଖିବେ ବୋଲି କହିଛନ୍ତି।